ଫରେଷ୍ଟର ଆତ୍ମହତ୍ୟା ଘଟଣା: ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ଥାନାକୁ ଆସୁନାହାନ୍ତି ଡିଏଫଓ

ଭବାନୀପାଟଣା: ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାର ବିଭାଗୀୟ ତଦନ୍ତ ହେବ। ସିସିଏଫ ରାଙ୍କର ଅଧିକାରୀ ଏହି ଘଟଣା ର ତଦନ୍ତ କରିବେ ବୋଲି ପିସିସିଏଫ ଦେବିଦତ୍ତ ବିଶ୍ବାଳ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ୧୮ ତାରିଖ ଦିନ ଜାରିଂ ହାଇଟେକ ନର୍ସରୀ ଦାୟିତ୍ୱରେ ଥିବା ଫରେଷ୍ଟର ସଞ୍ଜୟ ନାୟକଙ୍କ ଝୁଲନ୍ତା ମୃତଦେହ ବିଭାଗୀୟ ପୋଷାକ ପିନ୍ଧା ଅବସ୍ଥାରେ ସ୍ଥାନୀୟ ସରକାରୀ ବାସଭବନରେ ଠାବ ହେଇଥିଲା। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ମିଳିଥିଲା। ବିଭାଗୀୟ ଡିଏଫଓଙ୍କ ଉଦ୍ଦେଶ୍ୟରେ ଲେଖାଥିବା ସେହି ସୁଇସାଇଡ ନୋଟରେ ପିସି କାରବାର କଥା ଉଲ୍ଲେଖ ଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି।

ଡିଏଫଓଙ୍କୁ ତାଙ୍କ ଭାଇ ପ୍ରାୟ ଦଶଲକ୍ଷ ଟଙ୍କାର ନଗଦ ପିସି ଦେବାସତ୍ୱେ ସେ ଆହୁରି ମାଗୁଥିବାରୁ ତାଙ୍କ ଭାଇ ସଞ୍ଜୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ମୃତକଙ୍କ ଭାଇ ରବି ନାରାୟଣ ନାୟକ ସ୍ଥାନୀୟ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ମୃତକଙ୍କ ହସ୍ତାକ୍ଷର ଯାଞ୍ଚ କରିବା ସହିତ ସଂପୃକ୍ତ ଡିଏଫଓଙ୍କୁ ଟାଉନ୍ ଥାନାରେ ହାଜର ହେବାକୁ ନୋଟିସ କରିଥିଲା। ହେଲେ ଦ୍ଵିତୀୟ ଥର ପାଇଁ ନୋଟିସ ଦେବା ସତ୍ତ୍ୱେ ରାୟଗଡ଼ା ସିଳ୍ଭିକଲଚର ଡିଏଫଓ ଦେବେନ୍ଦ୍ର କୁମାର ବେହେରା ଭବାନୀପାଟଣା ଟାଉନ୍ ଥାନାରେ ଆଜି ହାଜର ହେଇନଥିଲେ। ପୁଲିସର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହାକୁ ନେଇ ପୀଡ଼ିତଙ୍କ ପରିବାର ଲୋକେ ଅପେକ୍ଷା କରିଛନ୍ତି।

Comments are closed.