ଆଦିବାସୀ ନାବାଳିକା ବିକ୍ରି ପ୍ରସଙ୍ଗ: ଗୋଆରୁ ନାବାଳିକା ଉଦ୍ଧାର
ଢେଙ୍କାନାଳ : ଗଁଦିଆ ଥାନା ଅନ୍ତର୍ଗତ ଦକ୍ଷିଣାପଶି ଗାଁର ଜଣେ ୧୦ ବର୍ଷର ଆଦିବାସୀ ନାବାଳିକା ଗୋଆରେ ବିକ୍ରି ହୋଇଥିବା ଘଟଣା ନଜରକୁ ଆସିବା ପରେ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ତନାଘନା ଚାଲିଥିଲା। ଏହି ଘଟଣାରେ ପୁଲିସ୍ ମାନବ ଚାଲାଣ ଏବଂ କିଶୋର ନ୍ୟାୟ ଆଇନ୍ ବଳରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ପୁଲିସ୍ର ଏକ ଟିମ୍ ଗୋଆ ଯାଇ ସେଠାରେ ନାବାଳିକାଙ୍କୁ ଠାବ କରି ଉଦ୍ଧାର କରିଛି। ଉଦ୍ଧାର ନାବାଳିକାକୁ ପୁଲିସ୍ ରବିବାର ଅପରାହ୍ନରେ ଶିଶୁ ମଙ୍ଗଳ କମିଟିରେ ହାଜର କରିଥିଲା। ନାବାଳିକାକୁ ଶିଶୁ ମଙ୍ଗଳ କମିଟି ଉନ୍ମୁକ୍ତ ଗୃହକୁ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି। ନାବାଳିକା ବିକ୍ରି ପ୍ରସଙ୍ଗକୁ ପୁଲିସ୍ ଆଇନ୍ ସମ୍ମତ କହି ଖଣ୍ଡନ କରିବା ସହ ନାବାଳିକା ସେଠାରେ ଭଲରେ ରହି ପାଠପଢୁଥିବା ପ୍ରକାଶ କରିଛି।
ପ୍ରକାଶ ଯେ ଗତ ଜାନୁଆରୀ ୬ ତାରିଖ ଦିନ ଜିଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଗଁଦିଆ ଥାନା ଦକ୍ଷିଣାପଶି ଗାଁର ଜଣେ ନାବାଳିକାକୁ ଦଲାଲ ସହାୟତାରେ ବିକ୍ରି କରାଯାଇଥିବା ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ୍ ଏହି ଘଟଣାକୁ ଗୁରୁତର ସହ ନେଇ ଏସ୍ପି ସନ୍ତୋଷ ନାୟକଙ୍କ ନିର୍ଦେଶରେ ଗଁଦିଆ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲା। ପୁଲିସ୍ର ଏକ ଟିମ୍ ୯ ତାରିଖରେ ଗୋଆଯାଇ ସେଠାକାର ପୁଲିସ୍ ସହାୟତାରେ ମାଡଗାଓଁ ଜିଲା କୋହ୍ଲୁଆ ଥାନା ଅନ୍ତର୍ଗତ ଫାଟରେଡ୍ ଅଞ୍ଚଳରୁ ଆଦିବାସୀ ନାବାଳିକାକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ନାବାଳିକାକୁ ପୁଲିସ୍ ରବିବାର ଶିଶୁ ମଙ୍ଗଳ କମିଟିରେ ହାଜର କରାଇଥିଲା। ଶିଶୁ ମଙ୍ଗଳ କମିଟି ନାବାଳିକାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କୁ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ୍ସ୍ଥିତ ଓପନ୍ ସେଲଟର ହୋମ୍ (ଉନ୍ମୁକ୍ତ ଗୃହ)ରେ ରଖିବା ପାଇଁ ପୁଲିସ୍କୁ ନିର୍ଦେଶ ଦେଇଛନ୍ତି। ନାବାଳିକାଙ୍କର ୧୬୪ ଧାରାରେ ବୟାନ ରେକର୍ଡ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପୁଲିସ୍ଠାରୁ ସୂଚନା ମିଳିଛି। ଗଁଦିଆ ଥାନା ଅଧିକାରୀ ନିରୁପମା ଜେନା ଏନେଇ କୁହନ୍ତି, ଦକ୍ଷିଣାପଶି ଗାଁର ଜନୈକ ଆଦିବାସୀ ବ୍ୟକ୍ତି ତାଙ୍କପତ୍ନୀକୁ ହାଣି ହତ୍ୟା କରିଥିଲେ। ତାଙ୍କର ୪ ସନ୍ତାନସନ୍ତତିଙ୍କ ମଧ୍ୟରୁ ଜଣେ ୧୦ ବର୍ଷର ନାବାଳିକାକୁ ଚଣ୍ଡିଖୋଲ ତୋରଙ୍ଗ ଅଞ୍ଚଳର ବାବୁଲି ସ୍ୱାଇଁ ନାମକ ଜଣେ ବ୍ୟକ୍ତି ସଦର ଥାନା ଅନ୍ତର୍ଗତ ବେଲଟିକିରି ଗାଁର ବୁନୁ ମହାରଣାଙ୍କ ସହାୟତାରେ ଗୋଆ ନେଇଯିବାକୁ ସକ୍ଷମ ହୋଇଥିଲେ। ଗୋଆରେ ଜଣେ ନିଃସନ୍ତାନ ଦମ୍ପତ୍ତିଙ୍କ ନିକଟରେ ନାବାଳିକା ଜଣକ ରହି ତୃତୀୟ ଶ୍ରେଣୀରେ ପାଠ ପଢୁଥିଲା। ତାଙ୍କୁ ଆମେ ସେଠାରୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ହାଜର କରିଛୁ। ପ୍ରାଥମିକ ତଦନ୍ତରୁ ତାଙ୍କୁ ବିକ୍ରି କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିପାରିନାହିଁ। ଏହା ବେଆଇନ୍ ଭାବେ ହୋଇଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଦକ୍ଷିଣାପଶି ଗାଁର ଜନୈକ ଆଦିବାସୀ ବ୍ୟକ୍ତି ତାଙ୍କ ପତ୍ନୀକୁ ହତ୍ୟା କରି ଢେଙ୍କାନାଳ ଜେଲ୍ରେ ସଜ୍ଜା କାଟୁଛନ୍ତି। ତାଙ୍କର ୪ ସନ୍ତାନଙ୍କ ମଧ୍ୟରୁ ନାବାଳକ ଦୁଇ ଝିଅ ଏବଂ ଦୁଇ ପୁଅ ରହିଛନ୍ତି। ଦୁଇଝିଅଙ୍କ ମଧ୍ୟରୁ ବଡଝିଅ ଜନୈକ ପୁଲିସ୍ ଅଫିସରଙ୍କ ଘରେ ରହି କାମଦାମ କରୁଥିବାବେଳେ ଜଣେ ୧୦ ବର୍ଷର ନାବାଳିକା ଝିଅକୁ ତାଙ୍କ ଜେଜେଙ୍କ ସହାୟତାରେ ବାବୁଲି ସ୍ୱାଇଁ ନାମକ ଜନୈକ ବ୍ୟକ୍ତି ଗୋଆ ନେଇଯାଇଥିଲେ। ବାବୁଲି ଗୋଆରେ ହୋଟେଲ ବ୍ୟବସାୟ କରୁଥିବାବେଳେ ସେ ରହୁଥିବା ଘର ମାଲିକଙ୍କୁ ନାବାଳିକାକୁ ଦେଇଦେଇଥିଲେ। ୨୦୧୭ ଲକ୍ଷ୍ମୀପୂଜା ସମୟରେ ନାବାଳିକା ଜଣକ ଜେଜେଙ୍କ ପାଖରୁ ଗୋଆ ଯିବା ପରେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା। ଗାଁ ଲୋକେ ନାବାଳିକା ଝିଅକୁ ବିକ୍ରି ହୋଇଥିବା ନେଇ ତାର ଜେଜେଙ୍କୁ ବାରମ୍ବାର କହିବାରୁ ଗତ ଡିସେମ୍ବର ୨୮ରେ ଶିଶୁ ମଙ୍ଗଳ କମିଟିରେ ଏନେଇ ଅଭିଯୋଗ ହୋଇଥିଲା। ଜିଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଦୌରା ଜଜ୍ ଗଜେନ୍ଦ୍ର ମହାପାତ୍ରଙ୍କ ନିର୍ଦେଶକ୍ରମେ ପ୍ରାଧିକାରଣ ସଚିବ ଅରୁଣ ପଟ୍ଟନାୟକ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଏବଂ ଜିଲା ଆଇନ୍ ସେବା ପ୍ରାଧିକରଣ ପାରାଲିଗାଲ ଭଲ୍ୟୁଣ୍ଟର କବିତା ବେହେରା ଗତ ୬ ତାରିଖରେ ଦକ୍ଷିଣାପଶି ଗାଁକୁ ଯାଇ ତଦନ୍ତ କରିଥିଲେ।
ଅଭିଯୋଗକାରୀ ଜେଜେ ମାଳି ଭାବେ କାର୍ଯ୍ୟ କରୁଥିବା ଦାମୋଦରନାଳି ଗାଁକୁ ଯାଇ ତାଙ୍କ ବୟାନ ସଂଗ୍ରହ କରିଥିଲେ। ଏହାପରେ ଶିଶୁ ମଙ୍ଗଳ କମିଟିକୁ ଘଟଣା ସଂପର୍କରେ ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ୍ ନାବାଳିକାକୁ ଉଦ୍ଧାର କରିବା ପୂର୍ବରୁ ୩୭୦ (୪) ଅନୁସାରେ ମାନବଚାଲାଣ ଭଳି ସଂଗୀନ ଦଫା ଏବଂ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଧାରା ୮୧ ଅନୁସାରେ ମାମଲା ରୁଜୁ କରିଛି। ଏହି ଘଟଣା ସଂପୂର୍ଣ୍ଣ ଭାବରେ ପୋଷ୍ୟ ସନ୍ତାନ ଅଧିଗ୍ରହଣ ଆଇନ୍କୁ ବିରୁଦ୍ଧାଚରଣ କରୁଛି। ମାନବ ଚାଲାଣ ନେଇ ପୁଲିସ୍ର ତଦନ୍ତ ଏବଂ ବେଆଇନ୍ ଭାବରେ ପୋଷ୍ୟ ସନ୍ତାନ ଭାବେ ରଖିଥିବା ଦମ୍ପତିଙ୍କ ପ୍ରତି ପୁଲିସ୍ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜିର ରହିଛି।