Patra electronics

ଢେଙ୍କିକୋଟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟର ସତ୍ୟନାରାୟଣ ବିଦ୍ୟାପୀଠ ପରିସରରେ ସମଗ୍ର ଶିକ୍ଷା ପକ୍ଷରୁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୪ ଅନ୍ତର୍ଗତ କୁଇଜ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋଟ ୧୫୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଉପ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରେ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ମୋଟ ୧୦ ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିବା ବେଳେ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସହଭାଗିତା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘଟଗାଁ ବିଡିଓ ଭାଗବତ ପ୍ରସାଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ ତପୋଧନ ସ୍ବାଇଁ, ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ସଞ୍ଜୟ ପଲେଇ ଓ ବେଣୁଧର ଆଚାର୍ଯ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବା ସହ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯକ୍ରମରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ଚରଣ ସାହୁ ସଭାପତିତ୍ବ କରିଥିବା ବେଳେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ କୁମାର ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ସର୍ବଶ୍ରୀ ଦାଶରଥି ସାହୁ, ରମେଶ ଓଝା, ସଦାଶିବ ବେହେରା, ଆଶିଷ ବେହେରା, ନବକୃଷ୍ଣ ରାଉତ, ଚନ୍ଦ୍ରଶେଖର ମଲ୍ଲିକ, ଦିପ୍ତିଶୋଭା ବେହେରା, କେଶବ ମିଶ୍ର ଓ ମୋହନ ଚରଣ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତିଯୋଗିତାର ବରିଷ୍ଟ ବର୍ଗରେ ବିଭୁ ପ୍ରସାଦ ରଣା, ପ୍ରଦୀପ କୁମାର ରଣା ଓ ଜିତ ଜୟପ୍ରକାଶ ପଲେଇ, ସବ ଜୁନିୟର ବର୍ଗରେ ସ୍ନେହାରାଣୀ ସେଠୀ, ଏମ ଏମ ଇଲିୟା ଓ ସାଇ ଶୁଭମ ପାତ୍ର ,କନିଷ୍ଠ ବର୍ଗରେ ସ୍ଵୟାଂଶୁ ଆଚାର୍ଯ୍ୟ ଓ ଆଶୁତୋଷ ଖୁଣ୍ଟିଆ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ଥିବାବେଳେ ୨ୟ ସ୍ଥାନରେ ଅନିଶା ଖାତୁନ, ତୃତୀୟରେ ରାଧେନ୍ଦ୍ର କୁମାର ସାହୁଙ୍କୁ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Comments are closed.