Patra electronics

୧୯୯୦ ଫୁଟ୍‌ବଲ ବିଶ୍ବକପ୍‌ ହିରୋ ସ୍କିଲାଚିଙ୍କ ପରଲୋକ

ରୋମ୍‌ : ଇଟାଲୀ ଫୁଟ୍‌ବଲ ଦଳର ପୂର୍ବତନ ଖ୍ୟାତନାମା ଖେଳାଳି ସାଲ୍‌ଭାଟୋର ସ୍କିଲାଚିଙ୍କ ମଙ୍ଗଳବାର ରାତିରେ ଦେହାନ୍ତ ଘଟିଛି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ୧୯୯୦ ଫୁଟ୍‌ବଲ ବିଶ୍ବକପ୍‌ରେ ସ୍କିଲାଚି ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଗୋଲ୍‌ଡେନ ବଲ୍‌ ପୁରସ୍କାର ପାଇଥିଲେ। ୧୯୯୦ ଫୁଟ୍‌ବଲ ବିଶ୍ବକପ୍‌ରେ ଇଟାଲୀ ୩ୟ ସ୍ଥାନ ହାସଲ କରିଥିବା ବେଳେ ସ୍କିଲାଚି ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସିସିଲି ଦ୍ବୀପର ବାସିନ୍ଦା ସାଲ୍‌ଭାଟୋର ସ୍କିଲାଚି ଫୁଟ୍‌ବଲ ଜଗତରେ ’ଟୋଟୋ’ ନାମରେ ଖ୍ୟାତ ଥିଲେ। ଜଣେ ଦକ୍ଷ ଫରୱାର୍ଡ ଭାବେ ସ୍କିଲାଚି ଫୁଟ୍‌ବଲ ଦୁନିଆରେ ଖ୍ୟାତ ଥିଲେ। ଇଟାଲୀର ‘ବି’ ଡିଭିଜନ୍‌ ଫୁଟ୍‌ବଲ ଲିଗ୍‌ରେ ସ୍କିଲାଚି ଖେଳିବା ଆରମ୍ଭ କରିଥିଲେ।

୧୯୮୮-୮୯ରେ ସ୍କିଲାଚି ଏହି ଲିଗ୍‌ର ସର୍ବାଧିକ ସ୍କୋରର୍ ଥିଲେ। ପରେ ତାଙ୍କୁ ଇଟାଲୀର ‘ଏ’ ଡିଭିଜନ୍‌ କ୍ଲବ୍‌ ଜୁଭେଣ୍ଟସ ପାଇଁ ଖେଳିବାର ସୁଯୋଗ ମିଳିଥିଲା। ୧୯୮୯-୯୦ ସଂସ୍କରଣରେ ଜୁଭେଣ୍ଟସ ପାଇଁ ସ୍କିଲାଚି କୋପା ଇଟାଲିଆ ଓ ୟୁଏଫା କପ୍‌ ଜିତିଥିଲେ। ୧୯୯୦ ଫୁଟ୍‌ବଲ ବିଶ୍ବକପ୍‌ରେ ସାଲ୍‌ଭାଟୋର ସ୍କିଲାଚି ଅତରିକ୍ତ ଫରୱାର୍ଡ ଭାବେ ଇଟାଲୀର ଦଳରେ ଥିଲେ। ଏକ ମ୍ୟାଚ୍‌ରେ ବଦଳ ଖେଳାଳି ଭାବେ ଯାଇ ଗୋଲ୍‌ଦେବା ପରେ ତାଙ୍କୁ ସମସ୍ତ ମ୍ୟାଚ୍‌ ଖେଳା ଯାଇଥିଲା। ଆର୍ଜେଣ୍ଟିନା ବିପକ୍ଷ ସେମିଫାଇନାଲ ଓ ଇଂଲଣ୍ଡ ବିପକ୍ଷ ୩ୟ ସ୍ଥାନ ପାଇଁ ମ୍ୟାଚ୍‌ରେ ସ୍କିଲାଚି ଗୋଲ୍‌ ଦେଇଥିଲେ। ଉକ୍ତ ବିଶ୍ବକପ୍‌ରେ ସେ ସର୍ବାଧିକ ୬ଟି ଗୋଲ୍‌ ସ୍କୋର୍ କରିଥିଲେ। ୧୯୯୦ ବାଲୋଁ ଡି ଅର୍ ପୁରସ୍କାର ଦୌଡ଼ରେ ଜର୍ମାନୀର ଲୋଥମ ମାଥାଏସ୍‌ଙ୍କ ପରେ ୨ୟ ସ୍ଥାନରେ ରହିଥିଲେ। ଜୁଭେଣ୍ଟସ ପରେ ସ୍କିଲାଚି ଇଣ୍ଟର ମିଲାନ୍ ପାଇଁ ମଧ୍ୟ ଖେଳିଥିଲେ।

Comments are closed.