ଭାରୋତ୍ତୋଳନରେ ବ୍ରୋଞ୍ଜ ଜିତିଲେ ଦୀପକ

0

ଗୋଲ୍‍ଡ କୋଷ୍ଟ : ଏଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ପୁରୁଷ ଭାରୋତ୍ତୋଳନ ବିଭାଗରେ ଭାରତ ପାଇଁ ବ୍ରୋଞ୍ଜ ଜିତିଛନ୍ତି ଦୀପକ ଲାଠେର। ଏହି ଯୁବ ଭାରୋତ୍ତୋଳନକାରୀ ୬୯ କେଜି ବିଭାଗରେ ମୋଟ୍‍ ୨୯୫ କେଜି ଭାର ଉଠାଇ ବ୍ରୋଞ୍ଜ ପଦକ ଜିିତିଛନ୍ତି।
ମନୋଜ ସ୍ନାଚ୍‍ରେ ୧୩୬ କେଜି ଓ କ୍ଲିନ୍‍ ଆଣ୍ଡ ଜର୍କରେ ୧୫୯ କେଜି ଭାର ଉଠାଇଥିଲେ। ଏହି ବିଭାଗରେ ୱେଲସ୍‍ର ଗାରେଥ୍‍ ଇଭାନ୍‍ସ ମୋଟ୍‍ ୨୯୯ କେଜି ଭାର ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଶ୍ରୀଲଙ୍କାର ଇନ୍ଦିକା ଦିସାନାୟକେ ୨୯୭ କେଜି ଭାର ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି। ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ଦୀପକଙ୍କ ନିକଟରେ ଥିବା ଶାରୀରିକ ଶକ୍ତି ସଂପର୍କରେ ତାଙ୍କ ବାପା ବିଜେନ୍ଦ୍ର ଛୋଟବେଳକୁ ଜାଣି ପାରିଥିଲେ। ବିଲରେ ଚାଷ କରିବା ଓ ହଳ ବୁଲାଇବା ବେଳେ ଦୀପକ ବେଶ୍‍ ଶକ୍ତିଶାଳୀ ବୋଲି ତାଙ୍କ ବାପା ଅନୁଭବ କରିଥିଲେ। ହରିୟାଣାରେ ସ୍ପୋର୍ଟ ଅଥୋରିଟି ଅଫ୍‍ ଇଣ୍ଡିଆ ଦ୍ୱାରା ଆୟୋଜିତ ମନୋନୟନ ଶିବିରରେ ମନୋନୟକାରୀଙ୍କୁ ପ୍ରଭାବିତ କରି ସେ ପୁଣେରେ ପ୍ରଶିକ୍ଷଣ ନେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୫ରେ ସେ ଏସିଆନ୍‍ ୟୁଥ ଚମ୍ପିଆନ୍‍ସିପରେ ରୌପ୍ୟ ପଦକ ଜିତିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିିତି ଦୀପକ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି।

Leave A Reply