www.samajalive.in
Tuesday, December 9, 2025
17.1 C
Bhubaneswar

ଜାତୀୟ ସିନିୟର ଟେବୁଲ ଟେନିସ ଚମ୍ପିଆନ୍‍ସିପ : ପଶ୍ଚିମବଙ୍ଗ ମହିଳା ଓ ପିଏସ୍‍ପିବି ପୁରୁଷ ଚମ୍ପିଆନ୍‍

କଟକ : କଟକରେ ଚାଲିଥିବା ୮୦ତମ ସିନିୟର ଜାତୀୟ ଓ ଆନ୍ତଃରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍‍ସିପରେ ରବିବାର ୩ୟ ଦିନରେ ଦଳଗତ ପ୍ରତିଯୋଗିତା ସମାପ୍ତ ହୋଇଛି। ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‍ ଦ୍ୱାରା ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍‍ଡୋର ଷ୍ଟାଡିୟମ୍‍ରେ ଖେଳା ଯାଉଥିବା ଏହି ଚମ୍ପିଆନ୍‍ସିପରେ ରବିବାର ମହିଳା ଦଳଗତ ବିଭାଗରେ ପଶ୍ଚିମବଙ୍ଗ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ଗତବର୍ଷର ଚମ୍ପିଆନ୍‍ ପେଟ୍ରୋଲିୟମ୍‍ ସ୍ପୋର୍ଟସ ପ୍ରମୋସନ ବୋର୍ଡ (ପିଏସ୍‍ପିବି) ପୁରୁଷ ଦଳଗତ ଟାଇଟଲ ବଜାୟ ରଖିଛି। ରବିବାର ସନ୍ଧ୍ୟାରେ ଖେଳା ଯାଇଥିବା ମହିଳା ଦଳଗତ ଫାଇନାଲ ମ୍ୟାଚରେ ପଶ୍ଚିମବଙ୍ଗ ଚମତ୍କାର ପ୍ରଦର୍ଶନ କରି ଗତବର୍ଷର ଚମ୍ପିଆନ୍‍ ପେଟ୍ରୋଲିୟମ୍‍ ସ୍ପୋର୍ଟସ ପ୍ରମୋସନ ବୋର୍ଡ (ପିଏସ୍‍ପିବି)କୁ ଗାଦିଚ୍ୟୁତ କରି ଚମ୍ପିଆନ୍‍ ହୋଇଛି। ଫାଇନାଲ ମୁକାବିଲାକୁ ପଶ୍ଚିମବଙ୍ଗ ୩-୧ ମ୍ୟାଚ୍‍ରେ ଜିତି ନେଇଥିଲା। ପିଏସ୍‍ପିବିର ତାରକା ଖେଳାଳି ମାନିକା ବାତ୍ରା ତାଙ୍କର ଉଭୟ ମ୍ୟାଚ୍‍ ହାରିବା ଦଳ ପାଇଁ କାଳ ହୋଇଛି। ପଶ୍ଚିମବଙ୍ଗର ମୌସୁମୀ ପାଲ, ଆୟହିକା ମୁଖାର୍ଜୀ ଓ କୃତିକା ସିହ୍ନା ରାୟ ମ୍ୟାଚ୍‍ ଜିତିବାରୁ ପଶ୍ଚିମବଙ୍ଗ ବିଜୟ ମୁକୁଟ ପିନ୍ଧିପାରିଛି। ପୁରୁଷ ଦଳଗତ ଫାଇନାଲରେ ପିଏସ୍‍ପିବି ୩-୨ ମ୍ୟାଚ୍‍ରେ ଗୁଜରାଟକୁ ପରାସ୍ତ କରି ଚମ୍ପିଆନ୍‍ ହୋଇଛି।
ପୁରୁଷ ବିଭାଗ ଫାଇନାଲ ମ୍ୟାଚରେ ପିଏସ୍‍ପିବିର ଅଚନ୍ତ ଶରତ କମଲ ୩-୦ (୧୬-୧୪, ୧୧-୪, ୧୧-୩)ରେ ଗୁଜରାଟର ଇଶାନ୍‍ ହିଙ୍ଗୋରାନିଙ୍କୁ ପରାସ୍ତକରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୨ୟ ମ୍ୟାଚ୍‍ରେ ପିଏସ୍‍ପିବିର ଜି. ସତ୍ୟନ ଗୁଜରାଟର ହରମିତ ଦେଶାଇଙ୍କୁ ୩-୧ (୬-୧୧, ୧୧-୫, ୧୨-୧୦, ୧୧-୭) ଗେମ୍‍ରେ ପରାସ୍ତକରି ପିଏସ୍‍ପିବିକୁ ୨-୦ ମ୍ୟାଚ୍‍ରେ ଆଗୁଆ କରିଥିଲେ। ୩ୟ ମ୍ୟାଚ୍‍ରେ ଗୁଜରାଟର ମାନୁଷ ଶାହା ୩-୦ (୧୧-୫, ୧୨-୧୦, ୧୧-୯)ରେ ପରାସ୍ତକରି ଗୁଜରାଟକୁ ମୁକାବିଲାରେ ବଜାୟ ରଖିଥିଲେ। ୪ର୍ଥ ମ୍ୟାଚ୍‍ରେ ପିଏସ୍‍ପିବିର ଏ. ଶରତ କମଲଙ୍କୁ ଗୁଜରାଟର ହରମିତ ଦେଶାଇ ୩-୨ (୧୧-୭, ୯-୧୧, ୧୧-୬, ୪-୧୧, ୧୧-୯) ଗେମ୍‍ରେ ପରାସ୍ତକରି ମୁକାବିଲାକୁ ୨-୨ କରିଥିଲେ। ନିର୍ଣ୍ଣାୟକ ୫ମ ମ୍ୟାଚ୍‍ରେ ପିଏସ୍‍ପିବିର ଜି. ସତ୍ୟନ୍‍ ଗୁଜରାଟର ଇଶାନ୍‍ ହିଙ୍ଗୋରାନିଙ୍କୁ ୩-୦ (୧୧-୬, ୧୧-୬, ୧୧-୭)ରେ ପରାସ୍ତକରି ପିଏସ୍‍ପିବିକୁ ଚମ୍ପିଆନ୍‍ କରିଥିଲେ।
ମହିଳା ଫାଇନାଲ ମୁକାବିଲାର ପ୍ରଥମ ମ୍ୟାଚରେ ପିଏସ୍‍ପିବିର ମାନିକା ବାତ୍ରାଙ୍କୁ ୩-୨ (୧୧-୮, ୧୧-୫, ୧୩-୧୫, ୧୩-୧୧, ୧୨-୧୦) ଗେମ୍‍ରେ ମୌସୁମୀ ପାଲ ପରାସ୍ତକରି ପଶ୍ଚିମବଙ୍ଗକୁ ୧-୦ରେ ଆଗୁଆ କରିଥିଲେ। ତେବେ ୨ୟ ମ୍ୟାଚ୍‍ରେ ପିଏସ୍‍ପିବିର ମାଧୁରିକା ପାଟକର ୩-୧ (୧୧-୮, ୧୧-୩, ୧୧-୧୩, ୧୧-୮)ରେ ପଶ୍ଚିମବଙ୍ଗର କୃତିକା ସିହ୍ନା ରାୟଙ୍କୁ ପରାସ୍ତକରି ମୁକାବିଲାକୁ ୧-୧ ସ୍ତରକୁ ଆଣିଥିଲେ। ୩ୟ ମ୍ୟାଚ୍‍ରେ ପଶ୍ଚିମବଙ୍ଗର ଆୟହିକା ମୁଖାର୍ଜୀ ୩-୦ (୧୧-୯, ୧୪-୧୨, ୧୧-୬) ଗେମ୍‍ରେ ପିଏସ୍‍ପିବିର ମୌମା ଦାସଙ୍କୁ ପରାସ୍ତକରି ଦଳକୁ ୨-୧ ଗେମ୍‍ରେ ଆଗୁଆ କରିଥିଲେ। ୪ର୍ଥ ମ୍ୟାଚ୍‍ରେ ପଶ୍ଚିମବଙ୍ଗର କୃତିକା ସିହ୍ନାରାୟ ପିଏସ୍‍ପିବିର ମାନିକା ବାତ୍ରାଙ୍କୁ ୩-୧ (୧୧-୯, ୫-୧୧, ୧୦-୧୨, ୧୨-୧୦, ୧୧-୮) ଗେମ୍‍ରେ ପରାସ୍ତକରି ଦଳକୁ ଚମ୍ପିଆନ୍‍ କରିଥିଲେ।
ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‍ଚି ମୁଖ୍ୟଅତିଥି ଥିଲେ। ଭାରତୀୟ ଟେବୁଲ ଟେନିସ ମହାସଂଘ (ଟିଟିଏଫ୍‍ଆଇ)ର ସମ୍ପାଦକ ଏମ୍‍.ପି. ସିଂହ, ଉପସଭାପତି ଭି.କେ. ବାବା ଓ ପରାମର୍ଶଦାତା ଧନରାଜ ଚୌଧୁରୀ ସମ୍ମାନିତ ଅତିଥି ଥିଲେ। ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‍ର ସଭାପତି ତଥା ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ଶାସନ ସଚିବ ଲକ୍ଷ୍ମୀ ନାରାଣୟ ଗୁପ୍ତା, ଅଧ୍ୟକ୍ଷ ଦେବୀପ୍ରସାଦ ବାଗ୍‍ଚି, ବରିଷ୍ଠ ଉପସଭାପତି ତଥା ଇଡ୍‍କୋ ସିଏମ୍‍ସି ସଞ୍ଜୟ କୁମାର ସିଂହ, ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ଏବଂ ବିଭିନ୍ନ ରାଜ୍ୟ ଟିଟି ଆସୋସିଏସନ୍‍ର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories