Patra electronics

ନିଜ ପୋଷାକକୁ ନେଇ ବିବାଦରେ ଉର୍ବଶୀ, ହେଉଛି ଗିରଫଦାରୀ ଦାବି

ସମାଜ ଡିଜିଟାଲ ଡେସ୍କ: ନିଜ ପୋଷାକକୁ ନେଇ ଏବେ ଅଡ଼ୁଆରେ ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରୌତେଲା। ନିକଟରେ ଅଭିନେତ୍ରୀ ପ୍ୟାରିସ୍‌ ଅଲିମ୍ପିକ୍ସ ଦେଖିବାକୁ ଯାଇଥିବାବେଳେ ପିନ୍ଧିଥିବା ମଦର ମେରୀ ଡ୍ରେସ୍‌କୁ ନେଇ ବିବାଦରେ ଫସିଛନ୍ତି। ଏହାକୁ ନେଇ ଉର୍ବଶୀ କ୍ଷମା ମଧ୍ୟ ମାଗିଛନ୍ତି।

ସୂଚନା ଅନୁସାରେ, ୱାଚଡଗ୍ ଫାଉଣ୍ଡେସନ୍ ଗୋଷ୍ଠୀ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ମୁଖ୍ୟ ସଚିବ ଏବଂ ପ୍ରମୁଖ ସଚିବ(ଗୃହ)ଙ୍କୁ ସେମାନଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଥିବା କାରଣରୁ ଅଭିନେତ୍ରୀଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ଅନୁମତି ମାଗିଛନ୍ତି। ଉର୍ବଶୀ କହିଛନ୍ତି ଯେ, ସେ ଏହି ଭୁଲ ପାଇଁ ଦୁଃଖିତ ଏବଂ ତାଙ୍କୁ କ୍ଷମା କରିଦେବାକୁ କ୍ୟାଥୋଲିକ ସମ୍ପ୍ରଦାୟକୁ ସେ ନିବେଦନ କରିଛନ୍ତି। ଅଭିନେତ୍ରୀଙ୍କ ମୁଖପାତ୍ର କହିଛନ୍ତି, ‘‘ଆମେ କ୍ଷମା ପ୍ରାର୍ଥନା କରୁଛୁ। ଆମେ ପ୍ରକୃତରେ ଦୁଃଖିତ। ଏହି ପୋଷାକ ପ୍ୟାରିସରେ ତିଆରି ହୋଇଥିଲା ଏବଂ ଡିଜାଇନର୍ ତାଙ୍କୁ ଦେଇଥିଲେ। ଆମେ ଜାଣି ନଥିଲୁ ଯେ ପୋଷାକରେ ଥିବା ଚିତ୍ର ମଦର ମେରୀଙ୍କର ଥିଲା। ଏହା ଏକ ଭୁଲ୍ ଥିଲା। ଆମେ ପରେ ଜାଣିବାକୁ ପାଇଲୁ। ଆମେ କ’ଣ କରିଥା’ନ୍ତୁ?’’

ଅଭିନେତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ ସେହି ଖାସ୍‌ ପୋଷାକରେ ନିଜର ରିଲ୍ସ ଏବଂ ଫଟୋ ପୋଷ୍ଟ କରିଥିଲେ ଏବଂ ଘୋଷଣା କରିଥିଲେ ଯେ, ସେ ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଆମନ୍ତ୍ରିତ ହୋଇଥିଲେ। ମୁମ୍ବଇର କ୍ୟାଥୋଲିକମାନେ କହିଛନ୍ତି ଯେ, ଏହି ପୋଷାକ ସେମାନଙ୍କର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି।

ୱାଚଡଗ୍ ଫାଉଣ୍ଡେସନ୍ ନିଜ ପତ୍ରରେ ଲେଖିଛି ଯେ, ‘‘ପ୍ୟାରିସ୍ ଅଲିମ୍ପିକ୍ସ ସମୟରେ ଉର୍ବଶୀ ରୌତେଲା ମଦର ମେରୀଙ୍କ ଫଟୋ ଥିବା ସ୍କର୍ଟ ପିନ୍ଧି ହୋଟେଲରୁ ବାହାରୁଥିବା ନଜର ଆସିଥିଲେ। ଫ୍ୟାଶନ୍ ନାଁରେ ଏହି ପୋଷାକ ଖ୍ରୀଷ୍ଟିଆନମାନଙ୍କ ଧାର୍ମିକ ଭାବନାକୁ ଘୋର ଅପମାନିତ କରିଛି। କଳା କିମ୍ବା ଫ୍ୟାଶନ ବାହାନାରେ ଏଭଳି କାର୍ଯ୍ୟକଳାପକୁ ବରଦାସ୍ତ କରାଯାଇପାରିବ ନାହିଁ।’’ ପତ୍ରରେ ଆହୁରି ମଧ୍ୟ କୁହାଯାଇଛି ଯେ, ‘‘ଆମ ଧାର୍ମିକ ପ୍ରତୀକ ପ୍ରତି ନିରନ୍ତର ଅବହେଳା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏହାକୁ ଅଣଦେଖା କରାଯାଇପାରିବ ନାହିଁ। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁଯାୟୀ ଉର୍ବଶୀ ରୌତେଲାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରୁଛୁ। ଏଭଳି କାର୍ଯ୍ୟ ଆଗକୁ ଆଉ ନହେବା ଆବଶ୍ୟକ।’’

Comments are closed.