ମୋଚି ଦୋକାନରେ ଚପ୍ପଲ ସିଲେଇ କଲେ ରାହୁଲ, ଏବେ ତାହାକୁ କିଣିବାକୁ ମନ ମୁତାବକ ଟଙ୍କା ଯାଚୁଛନ୍ତି ଲୋକେ, ଏମିତି ପରିବର୍ତ୍ତନ ହୋଇଗଲା ରାମଚୈତଙ୍କ ଜୀବନ…

ସମାଜ ଡିଜିଟାଲ ଡେସ୍କ: ନିକଟରେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ନୂଆଦିଲ୍ଲୀର ସୁଲତାନପୁର ଗସ୍ତ କରିଥିଲେ। ଏହି ସମୟରେ ସେ ସ୍ଥାନୀୟ ଜଣେ ମୋଚି ରାମଚୈତଙ୍କ ଦୋକାନକୁ ଯାଇଥିଲେ। ତାଙ୍କ ପାଖରେ ବସି କଥାବାର୍ତ୍ତା ହୋଇଥିଲେ, ଚପଲ ବି ସିଲେଇ କରିଥିଲେ। ରାହୁଲଙ୍କର ଏହି ସାମାନ୍ୟ କାମ ରାମଚୈତଙ୍କ ଜୀବନ ବଦଳାଇ ଦେଇଛି। କାରଣ ରାହୁଲ ଯେଉଁ ଜୋତା ତାଙ୍କ ଦୋକାନରେ ବସି ସିଲେଇ କରିଥିଲେ, ତାହାକୁ କିଣିବାକୁ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ଲୋକେ ତାଙ୍କୁ ଫୋନ କରି ଉକ୍ତ ଜୋତା ପାଇଁ ରାମଚୈତଙ୍କୁ ମନ ମୁତାବକ ଅର୍ଥ ଯାଉଛନ୍ତି। ରାମଚୈତ ଯେତେ ଟଙ୍କା ଚାହିଁବେ ତାହା ଦେବାକୁ ବି ଲୋକେ ପ୍ରସ୍ତୁତ ହୋଇଯାଉଛନ୍ତି।

ରାହୁଲ ରାମଚୈତଙ୍କୁ ଭେଟି ଫେରିବା ପରେ ତାଙ୍କ ପାଇଁ ଏକ ଚପଲ ସିଲେଇ ମେସିନ ପଠାଇଥିଲେ। ଅଭାବ ଅନଟନରେ ଜୀବନ ବିତାଉଥିବା ରାମଚୈତ ଏବେ ମେସିନରେ ଚପ୍ପଲ ସିଲେଇ କରି ଅଧିକ ଅର୍ଥ ବି ରୋଜଗାର କରିପାରୁଛନ୍ତି। ରାମଚୈତ କହିଛନ୍ତି ଯେ, ରାହୁଲ ତାଙ୍କ ଦୋକାନକୁ ଆସିବା ପରଠାରୁ ତାଙ୍କ ନିକଟକୁ ପ୍ରତିଦିନ ଫୋନ କଲ୍‌ ଆସୁଛି। ଉକ୍ତ ଜୋତା କିଣିବାକୁ ପ୍ରଥମେ ୫ ଲକ୍ଷ ଟଙ୍କାର ଅଫର ଆସିଥିଲା। ଆଉ କିଛି ଲୋକ ୧୦ ଲକ୍ଷ ଟଙ୍କା ଦେଇ ରାହୁଲ ସିଲେଇ କରିଥିବା ଜୋତା କିଣିବାକୁ ଚାହୁଁଛନ୍ତି। କିନ୍ତୁ ସେ ଉକ୍ତ ଜୋତାକୁ ବିକ୍ରି କରିବେ ନାହିଁ ବୋଲି ମନା କରିଦେଇଛନ୍ତି। ଏବେ ତାଙ୍କ ଦୋକାନ ଆଗ​ରେ ବଡ଼ ବଡ଼ କାର ଆସି ଅଟକୁଛି। ବସ ବି ଅଟୁଛି। ଲୋକମାନେ ତାଙ୍କୁ ଦେଖି କହୁଛନ୍ତି ଯେ, ଏହା ସେହି ଦୋକାନ ଯେଉଁଠିକୁ ରାହୁଲ ଗାନ୍ଧୀ ଆସିଥିଲେ। ରାମଚୈତ ଆହୁରି କହିଛନ୍ତି ଯେ, ରାହୁଲ ତାଙ୍କ ଦୋକାନକୁ ଆସି ଯିବା ପରେ ଫୋନ ବି କରିଥିଲେ। କୌଣସି ସମସ୍ୟା ଅଛି କି ବୋଲି ପଚାରିଥିଲେ ମଧ୍ୟ।

Comments are closed.