ଦେଖନ୍ତୁ ଭିଡ଼ିଓ: ୯୭୧କୋଟିରେ ନିର୍ମିତ ନୂଆ ସଂସଦ ଭବନ ଛାତରୁ ଗଳୁଛି ପାଣି

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ଜମା ହେଉଛି ବର୍ଷା ପାଣି । ଏହାସହିତ ସଂସଦ ଭବନର ଛାତରୁ ମଧ୍ୟ ପାଣି ଗଳୁଛି । ଭଲ ଭାବରେ ଦେଖନ୍ତୁ ଏହି ଭିଡ଼ିଓକୁ । ନୂଆ ସଂସଦ ଭବନର ଛାତରୁ ପାଣି ପଡୁଥିବା ବେଳେ ତଳେ ଥୁଆ ହୋଇଛି ଏକ ପ୍ଲାଷ୍ଟିକ୍ ପାତ୍ର । ବର୍ଷା ପାଣି ଚାରି ଆଡେ ପଡୁଥିବାରୁ ନୂଆ ସଂସଦ ଭବନ ନିର୍ମାଣ ନେଇ ଉଠିଛି ଅନେକ ପ୍ରଶ୍ନ । ୯୭୧କୋଟି ବ୍ୟୟରେ ନିକଟରେ ନବ ନିର୍ମିତ ସଂସଦ ଭବନକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆ ସରକାର ଗଠନ ହେବା ପରେ ସେଠାରେ ହିଁ ବଜେଟ ଅଧିବେଶନ ଜାରି ରହିଛି ।
ସୂଚନାଯୋଗ୍ୟ ୯୭୧କୋଟି ଟଙ୍କା ବ୍ୟୟରେ ୨୦୨୨ ମସିହା ଅଗଷ୍ଟ ୨୨ରେ ନୂଆ ସଂସଦ ଭବନ କାମ ଶେଷ ହୋଇଥିଲା । ଏହାପରେ ପୁରା ପ୍ରୋଜେକ୍ଟ କାମ ୨୦୨୩ ମେ ୨୦ରେ ଶେଷ ହେବା ପରେ ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଥିଲେ । ବର୍ତ୍ତମାନ ଏହି ସଂସଦ ଭବନର ଛାତରୁ ପାଣି ଗଳିବା ପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅଖିଳେଶ ଯାଦବ କହିଛନ୍ତି ନୂତନ ସଂସଦ ଭବନ ଅପେକ୍ଷା ପୁରୁଣା ସଂସଦ ଭବନ ଭଲ ଥିଲା । ଯେଉଁଠାରେ ପୁରୁଣା ସାଂସଦମାନେ ମଧ୍ୟ ଆସି ସାକ୍ଷାତ କରିପାରୁଥିଲେ । ପୁଣି ଥରେ ପୁରୁଣା ସଂସଦକୁ ଫେରିଯିବା । ଅନ୍ତତ ପକ୍ଷେ କୋଟି କୋଟି ଟଙ୍କାରେ ନିର୍ମିତ ସଂସଦ ଭବନରୁ ଜଳ ନିଷ୍କାସନ କାର୍ଯ୍ୟ ଚାଲିଥିବା ପର୍ଯ୍ୟନ୍ତ ପୁରୁଣା ସଂସଦକୁ ପୁନର୍ବାର କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ । ବିଜେପି ସରକାରଙ୍କ ଅଧିନରେ ନିର୍ମିିତ ଏହି ନୂତନ ସଂସଦ ଭବନର ଛାତରୁ ପାଣି ଗଳିବା ନେଇ ଜନସାଧାରଣ ପ୍ରଶ୍ନ କରୁଛନ୍ତି ବୋଲି ଅଖିଳେଶ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ।

Comments are closed.