ଏଆଇଏସ୍ଏଫ୍ ପକ୍ଷରୁ ବିଧାନସଭା ଘେରାଉ

ଭୁବନେଶ୍ୱର : ଅଖିଳ ଭାରତ ଛାତ୍ର ସଂଘ ପକ୍ଷରୁ ନିଟ୍ ଉଚ୍ଛେଦ ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ, ଏନଟିଏ ଉଚ୍ଛେଦ, ଜାତୀୟ ଶିକ୍ଷାନୀତି-୨୦୨୦କୁ ପ୍ରତ୍ୟାହାର, ଶିକ୍ଷାନୁଷ୍ଠାନରେ ଖାଲିଥିବା ପଦବୀ ପୂରଣ ଓ ଛାତ୍ର ସଂସଦ ନିର୍ବାଚନ ଦାବିରେ ବଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚଳିତବର୍ଷ ନିଟ୍ ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତାର ଘଟଣା ସମ୍ନାକୁ ଆସିଛି। ଏହି କେନ୍ଦ୍ରୀଭୂତ ପରୀକ୍ଷା ବ୍ୟବସ୍ଥା ପାଇଁ ଗ୍ରାମାଞ୍ଚଳ ଓ ଗରିବ ପରିବାରର ପିଲା ଡାକ୍ତରୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। କୋଚିଂ ସେଣ୍ଟରର ପ୍ରାବଲ୍ୟ ବୃଦ୍ଧି ପାଉଛି। ତେଣୁ ତାମିଲନାଡୁ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଭଳି ଓଡ଼ିଶା ବିଧାନସଭାରେ ନିଟ୍ ଉଚ୍ଛେଦ ସହ ପୂର୍ବ ଭଳି ରାଜ୍ୟସ୍ତରୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା କରାଯିବା ପାଇଁ ପ୍ରସ୍ତାବ ପାରିତ କରିିବାକୁ ଦାବି କରାଯାଇଛି।

ବିଗତ ୭ ବର୍ଷରେ ଏନ୍ଟିଏ ପରିଚାଳିତ ପ୍ରାୟ ୭୦ଟି ପରୀକ୍ଷାରେ କ୍ରମାଗତ ଦୁର୍ନୀତି ହୋଇଛି। ଯାହା କୋଟି କୋଟି ମେଧାବୀ ଛାତ୍ରଛାତ୍ରୀ ଅନ୍ୟାୟର ଶିକାର ହେବା ସହ ସେମାନଙ୍କ ମନୋବଳକୁ ଦୁର୍ବଳ କରିଛି। ତେଣୁ ଏନଟିଏକୁ ଉଚ୍ଛେଦ କରି ପରୀକ୍ଷା ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରାଯିବା ପାଇଁ ଛାତ୍ର ସଂଘ ଦାବି କରିଛି। ଏହା ସହ ଶିକ୍ଷାର ଘରୋଇକରଣ, ବିକେନ୍ଦ୍ରୀକରଣ, ବ୍ୟବସାୟୀକରଣ ଓ ସାମ୍ପ୍ରଦାୟିକରଣ ପାଇଁ ଉଦ୍ଦିଷ୍ଟ ଜାତୀୟ ଶିକ୍ଷାନୀତି-୨୦୨୦କୁ ପ୍ରତ୍ୟାହାର କରି ଏକ ସାର୍ବଜନୀନ, ବିଜ୍ଞାନସମ୍ମତ ଓ ଗୁଣବତ୍ତା ସମ୍ପନ୍ନ ଶିକ୍ଷାନୀତି ପ୍ରଣୟନ ପାଇଁ ଦାବି କରାଯାଇଛି ।

ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଶିକ୍ଷକଙ୍କ ଅଭାବ ପରିଲକ୍ଷିତ ହେଉଛି। ଏହା ଶିକ୍ଷା ବ୍ୟବସ୍ଥାକୁ ପକ୍ଷାଘାତ କରିବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପାଇବାରୁ ବଞ୍ଚôତ କରୁଛି। ତେଣୁ ଶିକ୍ଷାନୁଷ୍ଠାନରେ ଖାଲି ଥିବା ସମସ୍ତ ପଦବୀ ତୁରନ୍ତ ପୂରଣ କରି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ପାଇଁ ଦାବି କରାଯାଇଛି। ରାଜ୍ୟରେ ୨୦୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ସୁଦୃଢ ଗଣତନ୍ତ୍ରର ଏନ୍ତୁଡ଼ିଶାଳ ହେଉଛି ଛାତ୍ର ସଂସଦ ନିର୍ବାଚନ। ତେଣୁ ନେତୃତ୍ୱର ଭୃଣ ହତ୍ୟା ବନ୍ଦ କରି ଚଳିତ ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ କରାଯିବା ପାଇଁ ଏଆଇଏସ୍ଏଫ ପକ୍ଷରୁ ଦୃଢ ଦାବି କରାଯାଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି।

ଛାତ୍ର ସଂଘର ରାଜ୍ୟ ସଭାପତି ସଂଘମିତ୍ରା ଜେନାଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ (ରାଜ୍ୟ ଉପସଭାପତି ମନୋରଞ୍ଜନ ରାଉତ, ସହ ସମ୍ପାଦିକା ଶୁଭ୍ରାରାଣୀ ସାହୁ, ପୃଥ୍ୱୀରାଜ ଓ ଆକାଂକ୍ଷା ପରିଡ଼ା) ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନେ୍ଦାଳନ ପାଇଁ ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭରେ ରାଜ୍ୟ କୋଷାଧ୍ୟକ୍ଷ ବିବେକକୃଷ୍ଣ, କାର୍ଯ୍ୟକାରିଣୀ ସଦସ୍ୟ ପପୁ ରାଉତ, ସାଗର ପ୍ରଧାନ, ସୌମ୍ୟରଞ୍ଜନ ସ୍ୱାଇଁ, ପ୍ରଦୀପ ସାହୁ, ସଂଗ୍ରାମଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାରୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Comments are closed.