ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେଲାନି, କାଉନସିଲରଙ୍କ ଆନ୍ଦୋଳନ ପରେ ୨୩କୁ ଦିନଧାର୍ଯ୍ୟ

ଫୁଲବାଣୀ: ଦୀର୍ଘଦିନ ଧରି ଫୁଲବାଣୀ ପୌର ପରିଷଦରେ ଏକ ପ୍ରକାର ଅଚଳାବସ୍ଥା ଲାଗିରହିଛି। ଶୁକ୍ରବାର ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ଭୋଟିଂ କରାଯିବାର ଥିବାବେଳେ ତାହା ହୋଇପାରି ନାହିଁ। ଏହାକୁ ନେଇ କାଉନସିଲରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କାଉନସିଲରମାନେ ଯିଦରେ ଅଡ଼ିବସିବାରୁ ଆସନ୍ତା ୨୩ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରିବାକୁ ନିଷ୍ପତ୍ତି ହୋଇଛି।

ସୂଚନା ଅନୁସାରେ, ତଦନୁଯାୟୀ ଜୁଲାଇ ୧୯ରେ ଅନାସ୍ଥା ପ୍ରସ୍ତାବ ପାଇଁ ବୈଠକ ଏବଂ ଭୋଟିଂ ଲାଗି ​‌ସମସ୍ତ କାଉନସିଲର ଏବଂ ପୌରାଧ୍ୟକ୍ଷାଙ୍କୁ ଜିଲାପାଳ ନୋଟିସ  ଜାରି କରିବା ସହିତ ଅତିରିକ୍ତ ଜିଲାପାଳ (ନିର୍ବାଚନ) ରମେଶ ଜେନାଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦେଇଥିଲେ। କିନ୍ତୁ ଅତିରିକ୍ତ ଜିଲାପାଳ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହଠାତ୍‌ ଛୁଟିରେ ଚାଲିଯାଇଥିବାରୁ ଶୁକ୍ରବାର ବୈଠକ କିମ୍ବା ଭୋଟିଂ ହୋଇପାରି ନ ଥିଲା ବୋଲି କୁହାଯାଇଛି। ନିର୍ଦ୍ଧରିତ ସମୟରେ କୌଣସି ପ୍ରଶାସନିକ ଅଧିକାରୀ ବୈଠକ ଗୃହରେ ସାମିଲ୍‌ ହୋଇ ନ ଥିଲେ। ଏହାକୁ ନେଇ ପ୍ରକାର ଅସନ୍ତୋଷ ଲାଗିରହିଥିଲା । ବହୁ ବିଳମ୍ବରେ ଉପଜିଲାପାଳ ଚିତ୍ତ ରଂଜନ ମହନ୍ତ ପୌର ପରିଷଦରେ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ଉପସ୍ଥିତ ଥିବା ୧୧ ଜଣ କାଉନସିଲର ଅସନ୍ତୋଷ ପ୍ରକାଶ କରିବା ସହିତ ଆଜି ହିଁ ବୈଠକ ଓ ଭୋଟିଂ କରିବା ପାଇଁ ଜିଦ୍‌ ଧରିଥିଲେ । ଉପଜିଲାପାଳ ତାଙ୍କୁ ଏହି କ୍ଷମତା ଦିଆଯାଇ ନାହିଁ ବୋଲି ପ୍ରକାଶ କରିଥିଲେ ମଧ୍ୟ ଉପସ୍ଥିତ ଥିବା କାଉନସିଲର ବୈଠକ ପାଇଁ ଅଡ଼ିବସିଥିଲେ । ପୌର ପରିଷଦ ବାହାରେ ବହୁ ବିଜେଡ଼ି ସମର୍ଥକ ବୈଠକ ଓ ଭୋଟିଂ ଦାବି କରି ବାହାରେ ପ୍ରତିବାଦ କରିବା ସହିତ ଧାରଣାରେ ବସିଥିଲେ । ଉପଜିଲାପାଳ ଆସନ୍ତା ୨୩ ତାରିଖରେ ବୈଠକ ଏବଂ ଆବଶ୍ୟକ ପଡ଼ିଲେ ଭୋଟିଂ କରାଯିବ ବୋଲି କହିବା ସହିତ ସେଥିରେ ସେ ଉପସ୍ଥିତ ରହିବେ ବୋଲି ପ୍ରକାଶ କରିଥିଲେ । କିଛି ସମୟ ପାଇଁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଶେଷରେ କାଉନସିଲରମାନେ ରାଜି ହୋଇଥିଲେ । ତେବେ ୨୩ ତାରିଖରେ ବୈଠକ ନ ହେଲେ ସେମାନେ ଆନ୍ଦୋଳନତ୍ମକ ପନ୍ଥା ଅବଲମ୍ବନ କରିବା ସହିତ ପୌର ପରିଷଦ କାର୍ଯ୍ୟାଳୟରେ ତାଲା ପକାଇଦେବେ ବୋଲି ଚେତାବନୀ ଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସଦର ଏସଡିପିଓ ସୁପ୍ରସନ୍ନ ମଲିକ ଏବଂ ଟାଉନଥାନା ଅଧିକାରୀ କନକ  କୁମାର ମାଝୀଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ୍‌ ଫୋର୍ସ ମୃୟୟନ କରାଯାଇଥିଲା ।

ସୂଚନାଯୋଗ୍ୟ, ପୌର ପରିଷଦର ୧୩ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ଗତ ଏପ୍ରିଲ ୧୦ ତାରିଖରେ ଅନାସ୍ଥା ପ୍ରସ୍ଥାବ ପାଇଁ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଜିଲାପାଳଙ୍କ ଅଫିସରୁ ଏ ନେଇ ସମସ୍ତ କାଉନସିଲରଙ୍କୁ ନୋଟିସ ମଧ୍ୟ କରାଯାଇଲା। ଏହା ବିରୋଧରେ ପୌରାଧ୍ୟକ୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ପୁଣି ଥରେ ତାରିଖ ଧାର୍ଯ୍ୟ କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବା ପରେ ଜିଲ୍ଲାପାଳ ଦ୍ବିତୀୟ ଥର ନୋଟିସ କରିଥିଲେ । ପୌରାଧ୍ୟକ୍ଷା ଏହା ବିରୋଧରେ ପୁଣିଥରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା। ସୂଚନାଯୋଗ୍ୟ ଏବେ ବିଜେଡିର ୭ ଜଣ କାଉନସିଲର ଥିବା ବେଳେ ବିଜେପିର ୪ ଜଣ ଅଛନ୍ତି। ଦୁଇ ସ୍ବାଧୀନ କାଉନସିଲର ବିଜେଡିକୁ ସମର୍ଥନ ଦେଉଛନ୍ତି। ସମସ୍ତ ୧୧ ବିଦ୍ରୋହୀ କାଉନସିଲର ଗତ କିଛିଦିନ ଧରି କଲକାତାରେ ଅବସ୍ଥାନ ପରେ ଶୁକ୍ରବାର ଅନାସ୍ଥା ଭୋଟିଂ ପାଇଁ ଫେରିଥିଲେ।

Comments are closed.