ସରଗରମ ହେବ ବିଧାନସଭା: ୨୨ରୁ ଅଧିବେଶନ ଆରମ୍ଭ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ

ଭୁବନେଶ୍ବର : ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ୨୫ରେ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ। ବଜେଟ ଉପରେ ବିଧାନସଭାରେ ସ୍ବତନ୍ତ୍ର ଆଲୋଚନା ହେବ। ଏହି ଆଲୋଚନାରେ ଶାସକ ବିଜେପି ସହିତ ବିରୋଧୀ ବିଜେଡି ଓ କଂଗ୍ରେସର ବହୁ ବରିଷ୍ଠ ବିଧାୟକ ଅଂଶଗ୍ରହଣ କରିବେ। ପ୍ରଥମଥର ପାଇଁ କ୍ଷମତାରେ ବସିଥିବା ବିଜେପି ମନ୍ତ୍ରୀମାନଙ୍କ ସହିତ ବିରୋଧୀ ଆସନକୁ ଓହ୍ଲାଇଥିବା ବିଜେଡି ଓ କଂଗ୍ରେସର ଅଭିଜ୍ଞ ବିଧାୟକମାନଙ୍କ ମଧ୍ୟରେ ବିଧାନସଭା ଅଧିବେଶନ ବେଶ ରୋଚକ ହେବାର ସମ୍ଭାବନା ରହିଛି। ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାବେଳେ ବିଜେଡି ୫୧ଟି ଆସନ ପାଇ ବିରୋଧୀ ଆସନରେ ବସିଛି। କଂଗ୍ରେସ ମଧ୍ୟ ଗତ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିଛି ୧୪ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଗତ ବିଧାନସଭା ଅପେକ୍ଷା ଚଳିତ ବିଧାନସଭାରେ ଶାସକ ଓ ବିରୋଧୀ ମଧ୍ୟରେ କଡା ମୁକାବିଲା କରିବାର ସମ୍ଭାବନା ରହିଛି। ଶାସକ ବିଜେପିର ମୋଟ ୭୮ଜଣ ବିଧାୟକ ରହିଛନ୍ତି। ୩ଜଣ ସ୍ବାଧୀନ ବିଧାୟକ ବିଜେପିକୁ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ବିରୋଧୀ ଶିବିରରେ ବିଜେଡିର ୫୧ଜଣ ବିଧାୟକ ଓ କଂଗ୍ରେସର ୧୪ ଓ ଜଣେ ସିପିଆଇ ବିଧାୟକ ମଧ୍ୟ ଅଛନ୍ତି। ବିଜେପି ଓ ଏହାର ସମର୍ଥକ ୩ ସ୍ବାଧୀନଙ୍କୁ ମିଶାଇ ୮୧ଜଣ ବିଧାୟକଙ୍କ ମଧ୍ୟରୁ ୫୪ଜଣ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେଡିର ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ଏକାଧିକ ପୁରୁଣା ମୁହଁ। ସେହିପରି କଂଗ୍ରେସର ଅଧିକାଂଶ ବିଧାୟକ ମଧ୍ୟ ପୁରୁଣା। ନବାଗତ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ବିଜେପି ବିଧାୟକ ମନ୍ତ୍ରୀ ପଦ ପାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାକୁ ୪ଥର ନିର୍ବାଚିତ ହୋଇଥିଲେ ମଧ୍ୟ ପ୍ରଥମଥର ପାଇଁ ସେ ଅର୍ଥ, ଗୃହ ସମେତ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିଛନ୍ତି। ସେହିପରି ତାଙ୍କ ମନ୍ତ୍ରିମଣ୍ଡଳରେ ଅଭିଜ୍ଞ ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ ରହିଛନ୍ତି। ଏହି ଦୁଇ ଅଭିଜ୍ଞ ମନ୍ତ୍ରୀଙ୍କୁ ବାଦ ଦେଲେ ଅଧିକାଂଶ ବିଧାୟକ ପ୍ରଥମଥର ପାଇଁ ମନ୍ତ୍ରୀ ପଦ ପାଇଛନ୍ତି। ବିରୋଧୀ ବିଜେଡିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମେତ ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରିନାରାୟଣ ପାତ୍ର, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଅରୁଣ ସାହୁ, ସାରଦା ନାୟକ, ଗଣେଶ୍ବର ବେହେରା, ଦିବ୍ୟଶଙ୍କର ମିଶ୍ର, ତୁଷାରକାନ୍ତି ବେହେରା ପ୍ରମୁଖ ରହିଛନ୍ତି। କଂଗ୍ରେସରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହିତ ରମେଶ ଜେନା ମଧ୍ୟ ଅଛନ୍ତି। ଯେଉଁମାନଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ସେମାନେ ବିଧାନସଭାରେ ଶାସକ ଦଳର ନୂଆ ମନ୍ତ୍ରୀମାନଙ୍କୁ ଅଡୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଶାସକ ବିଜେପିର ନୂଆ ମନ୍ତ୍ରୀମାନେ ଅଭିଜ୍ଞ ବିଧାୟକମାନଙ୍କ ପ୍ରଶ୍ନର କିପରି ଉତ୍ତର ରଖୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିରୋଧୀ ଦଳର ଅଭିଜ୍ଞ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖିବା ସହିତ ବିଧାନସଭା ଭିତରେ ସରକାରକୁ ସୁରକ୍ଷା ଦେବା ନୂଆ ମନ୍ତ୍ରୀଙ୍କ ପାଇଁ ଆହ୍ବାନ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।

Comments are closed.