www.samajalive.in
Sunday, December 7, 2025
18.1 C
Bhubaneswar

ପବିତ୍ର ବାହୁଡା ଯାତ୍ରା: ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜିଉ

ପୁରୀ : ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଆଜି ବାହୁଡ଼ିବେ ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଶରଧାବାଲିରେ ଥିବା ରଥ ଉପରେ ପହଣ୍ଡି ବିଜେ କରିବେ। ବଡ଼ଦାଣ୍ଡରେ ଘର ଘର ନାଦକରି ଶ୍ରୀମନ୍ଦିର ସିଂହଦ୍ବାର ଅଭିମୁଖେ ଗଡ଼ିବ ତିନିରଥ। ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ନବଦିନ ବ୍ୟାପୀ ଆଡ଼ପମଣ୍ଡପ ଲୀଳା ଶେଷକରି ବାହୁଡ଼ାଯାତ୍ରା କରିବେ ମହାପ୍ରଭୁ। ବିଶ୍ବବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ପରଂବ୍ରହ୍ମ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଫେରିବା ବାଟକୁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ରଥ, ପଥ ଓ ଭକ୍ତ। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ମୁଖରେ ତିନିରଥକୁ ପ୍ରସ୍ତୁତ କରି ରଖାଯାଇଛି।  ଆକର୍ଷଣୀୟ ଫୁଲରେ ରଥ ଗୁଡ଼ିକୁ ସଜ୍ଜିତ କରାଯାଇଛି। ଶ୍ରୀକ୍ଷେତ୍ରରେ ବାହୁଡ଼ାଯାତ୍ରା ଦେଖିବାକୁ ଦେଶ ବିଦେଶର ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଛି। ପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ନୀତିନିର୍ଘଣ୍ଟ ଅନୁଯାୟୀ ଆଜି ପ୍ରାତଃ ୪ଟାରେ ଜନ୍ମବେଦୀରେ ଶ୍ରୀଜୀଉଙ୍କୁ ମଙ୍ଗଳଆଳତି କରାଯାଇଛି।  ଏହାପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା କରାଯିବା ସହ ବେଶ କରାଯିବ। ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳଧୂପ ଅନୁଷ୍ଠିତ ହୋଇଛି। ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବକ ସେନାପଟା ଲାଗି କରିବେ। ମଙ୍ଗଳାର୍ପଣ ପରେ ଦିନ ୧୨ଟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହଣ୍ଡିଯାତ୍ରା। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ସେବକଙ୍କ ମେଳରେ ମିଳିତ ଘଣ୍ଟବାଦ୍ୟ, ବୀର କାହାଳୀ ଏବଂ ପଖଉଜ ବାଦ୍ୟ ସହ ତାଳମିଳାଇ ଝୁଲି ଝୁଲି ରଥ ଉପରେ ବିଜେ କରିବେ ମହାପ୍ରଭୁ। ଦିନ ୨ଟା ୩୦ସୁଦ୍ଧା ଠାକୁରଙ୍କ ବାହୁଡ଼ା ପହଣ୍ଡି ଶେଷହେବା କାର୍ଯ୍ୟକ୍ରମ ରହିଛି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଅପରାହ୍ଣ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ରଥ ଉପରେ ଛେରାପହଁରା କରିବେ। ତିନିରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଲଗାଯିବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ସନ୍ଧ୍ୟା ପୂର୍ବରୁ ତିନିରଥ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିବା ସମ୍ଭାବନା ରହିଛି। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଭୁଙ୍କ ବାହୁଡ଼ାଯାତ୍ରା ନୀତିକାନ୍ତି କରିବା ପାଇଁ ପ୍ରଶାସନ ଓ ସେବକ ଉଦ୍ୟମ ଚଳାଇଛନ୍ତି। ପ୍ରାୟ ୧୦ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଲୋକଙ୍କ ସୁରକ୍ଷା, ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ, ରଥ ଗୁଡ଼ିକର ସୁରକ୍ଷା ଏବଂ ଟ୍ରାଫିକ୍‌ ପରିଚାଳନା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ପ୍ରାୟ ୨ହଜାର ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପୁରୀରେ ଅବସ୍ଥାନ କରି ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି।

https://www.youtube.com/live/_LB9ChQRdXE

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories