ଅର୍ଦ୍ଧ ନିର୍ମାଣ ଅବସ୍ଥାରେ ବାଲିଛଡା ପ୍ରାଥମିକ ବିଦ୍ୟାଳୟ କୋଠା

କଲମପୁର: କଲମପୁର ବ୍ଲକ ଅଧିନସ୍ଥ ବାଲିଛଡା ସରକାରୀ ପ୍ରାଥମିକ ବିଦ୍ୟାଳୟର କୋଠା ଅବସ୍ଥା ଦୟନୀୟ ତଥା ବିପଦ ସଂକୁଳ ଥିବାରୁ ତତ୍କାଳୀନ କଲମପୁର ବି.ଡି.ଓଙ୍କ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଧର୍ମଗଡ଼ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତତ୍କାଳୀନ ଧର୍ମଗଡ଼ ଉପଜିଲ୍ଲାପାଳ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ କୋଠା ଅବସ୍ଥା ଅନୁଧ୍ୟାନ କରିବା ସହ ତୁରନ୍ତ ବିଦ୍ୟାଳୟ କୋଠାରେ ପାଠପଢ଼ା ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ପାଠ ପଢ଼ା କାର୍ଯ୍ୟ ପାଇଁ ସ୍ଥାନୀୟ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାସହ ବିଦ୍ୟାଳୟ ପାଇଁ ଏକ ନୂତନ କୋଠା ନିର୍ମାଣର ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ବି.ଡି.ଓଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା। ବିଦ୍ୟାଳୟ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା। କିନ୍ତୁ ଗ୍ରାମବାସୀଙ୍କ ମଧ୍ୟରେ ବିଦ୍ୟାଳୟ କେଠା ସ୍ତାନ ନିରୁପଣ ନେଇ ବିବାଦ ଦେଖା ଦେଇଥିଲା। ପୁରୁଣା ବିଦ୍ୟାଳୟ କୋଠାରେ ହିଁ ପୁଣି ବିଦ୍ୟାଳୟ କୋଠା ନିର୍ମାଣ ପାଇଁ କିଛି ଗ୍ରାମବାସୀ ଅଡି ବସିଥିଲେ। ଏପରିକି ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଗ୍ରାମର ଗୋଟିଏ ୱାର୍ଡବାସୀ ଭୋଟ ବର୍ଜନ କରିଥିଲେ। ଯାହାର ଫଳ ସ୍ୱରୁପ ନିର୍ମାଣଧିନ ବିଦ୍ୟାଳୟ କୋଠା କାର୍ଯ୍ୟକୁ ବନ୍ଦ କରି ଦିଆଯାଇ ନୂତନ ଭାବେ ପୁରୁଣା କୋଠା ସ୍ଥାନରେ ବିଦ୍ୟାଳୟ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା। କିନ୍ତୁ ଦୀର୍ଘ ୬ ବର୍ଷ ବିତି ସାରିଥିଲେ ମଧ୍ୟ ତାହା ଶେଷ ହୋଇନାହିଁ। କେବେ ଏହି ବିଦ୍ୟାଳୟ କୋଠା ନିର୍ମାଣ ଶେଷ ହେବ ସେନେଇ ସମସ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ଏ ନେଇ ବି.ଡି.ଓଙ୍କ ସହ ଆଲୋଚନା କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମତବ୍ୟକ୍ତ କରିଛନ୍ତି। ଅନ୍ୟପଟେ କୋଠା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ପାଇଁ ପଦକ୍ଷେପ ନେବେ ବୋଲି ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗି ସୂଚନା ଦେଇଛନ୍ତି।

Comments are closed.