www.samajalive.in
Sunday, December 7, 2025
16.1 C
Bhubaneswar

ଅଷ୍ଟ୍ରେଲିଆ ମାଷ୍ଟରସେଫ୍‌ ପ୍ରତିଯୋଗିତା ଫାଇନାଲରେ ଓଡିଆ ଖାଦ୍ୟ ପଖାଳ

ନୂଆଦିଲ୍ଲୀ : ଆମ ରାଜ୍ୟରେ ପଖାଳ ଏକ ସାଧାରଣ ଖାଦ୍ୟ। ପଖାଳଖିଆଙ୍କୁ ବଡ଼ବଡ଼ିଆ ନାପସନ୍ଦ କରନ୍ତି। କେବଳ ଓଡ଼ିଶା ନୁହେଁ; ସାରା ଭାରତରେ ପଖାଳ ସବୁଠୁ ନିମ୍ନମାନର ଖାଦ୍ୟ ବୋଲି ଅନେକ ବିଚାର କରନ୍ତି। ଏମିତି କି ବିଶ୍ବ ଟେଷ୍ଟ ଆଟଲାସ୍‌ ବା ରୁଚିକର ଖାଦ୍ୟ ମାନଚିତ୍ରରେ ଏହା ସର୍ବନିମ୍ନସ୍ତରରେ ରହିଛି। ଅପରପକ୍ଷରେ କରୋନା ମହାମାରୀ ସମୟରେ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ ଭାବେ ପ୍ରମାଣିତ ହୋଇଥିବା ପଖାଳ ସମ୍ପ୍ରତି ଅଷ୍ଟ୍ରେଲିଆରେ ଆୟୋଜିତ ‘ମାଷ୍ଟର ସେଫ୍‌ ସିଜନ୍‌-୧୩’ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ (ଫାଇନାଲ)ରେ ପହଞ୍ଚିଛି। ଏହି ସାଧାରଣ ଖାଦ୍ୟକୁ ସେଠାରେ ବିଶେଷଜ୍ଞମାନେ ‘ସୁପରଫୁଡ୍‌’ ବୋଲି ବିବେଚନା କରିଛନ୍ତି। ବିଶ୍ବର ଖାଦ୍ୟ ବିଶେଷଜ୍ଞମାନେ ପଖାଳର ସ୍ବାସ୍ଥ୍ୟ ଉପାଦେୟତାକୁ ଭୂରିଭୂରି ପ୍ରଶଂସା କରିଛନ୍ତି। ପଖାଳ ସହ ଆଳୁ ଚକଟା ଓ ମାଛ ଭଜା ଖାଇବା ପରେ ମାଷ୍ଟର ସେଫ୍‌ ଅଷ୍ଟ୍ରେଲିଆର ବିଚାରପତି ମେଲିସା ଲିଓଙ୍ଗ ମତରେ ପଖାଳ ଏକ ଶକ୍ତିଶାଳୀ ଖାଦ୍ୟ। ଏହା ଯେତିକି ପୁଷ୍ଟିକର ସେହି ପରିମାଣରେ ସ୍ବାଦିଷ୍ଟ ବୋଲି ମାଲିସା କହିଛନ୍ତି। ଅଷ୍ଟ୍ରେଲିଆ ମାଷ୍ଟରସେଫ୍‌ ପ୍ରତିଯୋଗିତାରେ ଏହାକୁ ଉପସ୍ଥାପନ କରିଛନ୍ତି କିଶ୍ବର ଚୌଧୁରୀ। ମଜାର ବିଷୟ ହେଉଛି, ଚୌଧୁରୀ ହେଉଛନ୍ତି ବାଂଲାଦେଶ ବାସିନ୍ଦା। ସେ ଏହି ପ୍ରତିଯୋଗିତାରେ ବିଜୟୀ ହେବା ନେଇ ଦୃଢ଼ତା ପ୍ରକାଶ କରିଛନ୍ତି। ପଖାଳ ଉତ୍ତର-ପୂର୍ବ ଭାରତରେ ସର୍ବାଧିକ ଲୋକପ୍ରିୟ। ଏହା ସାଧାରଣ ବର୍ଗର ଲୋକଙ୍କ ଜଳଖିଆ ଭଳି। ଓଡ଼ିଶାରେ ଏହାକୁ ପଖାଳ କୁହାଯାଉଥିବାବେଳେ ପଶ୍ଚିମବଙ୍ଗରେ ଏହା ପାନ୍ତା ଭାତ୍‌, ଆସାମରେ ପୋଇତା ଭାତ୍‌, ବିହାର ଓ ଝାଡ଼ଖଣ୍ଡରେ ବାସିଆ ଭାତ୍‌ ଏବଂ ତାମିଲନାଡୁରେ କାଞ୍ଜି ଭାବେ ପରିଚିତ। ଓଡ଼ିଶାବାସୀ ପଖାଳ ସହିତ ମାଛ ଭଜା, ଆଳୁ ଚକଟା, ବାଇଗଣ ଚକଟା, ପିଆଜ, କଞ୍ଚା ଲଙ୍କା, ଦହି, ବରା ଇତ୍ୟାଦି ଖାଇବାକୁ ପସନ୍ଦ କରୁଥିବାବେଳେ ବାଲାଂଦେଶରେ ମାଛ ଭଜା ଅଧିକ ଲୋକପ୍ରିୟ। ଦକ୍ଷିଣ ଭାରତରେ ପଖାଳ ସହ ଦହି ଓ କଞ୍ଚା ଲଙ୍କା ପସନ୍ଦ। ଏହାକୁ ଚୌଧୁରୀ ଉପରୋକ୍ତ ପ୍ରତିଯୋଗିତାରେ ଉପସ୍ଥାପନ କରିଛନ୍ତି। ଓଡ଼ିଶାରେ ମହାପ୍ରଭୁ
ଜଗନ୍ନାଥଙ୍କୁ ମଧ୍ୟ ପଖାଳ ଅର୍ପଣ କରାଯାଏ। ପଖାଳର ସ୍ବତନ୍ତ୍ରତା ଜାହିର ପାଇଁ ରାଜ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ‘ପଖାଳ ଦିବସ’ ପାଳନ କରାଯାଉଛି। ଗବେଷଣାରୁ ଜଣାପଡ଼ିଛି ଯେ ପଖାଳ ଅତ୍ୟନ୍ତ ପୁଷ୍ଟିକର। ଏହା ଆଇରନ୍‌, ପୋଟାସିୟମ, କାଲ୍‌ସିୟମ, ସୋଡିୟମ ଆଦି ଭିଟାମିନ୍‌ରେ ଭରପୂର। ୧୦୦ଗ୍ରାମ ସାଧାରଣ ଭାତରେ ଆଇରନ୍‌ (ଲୌହସାର) ମାତ୍ରା ମାତ୍ର ୩.୪ ମିଲିଗ୍ରାମ ରହିଥିବାବେଳେ ୧୨ଘଣ୍ଟାରେ ପ୍ରସ୍ତୁତ ପଖାଳରେ ଏହା ୭୩.୯୧ ମିଲିଗ୍ରାମ। ଆସାମ କୃଷି ବିଶ୍ବବିଦ୍ୟାଳୟର ଗବେଷିକା ମଧୁମିତା ବରୁଆଙ୍କ ମତରେ ପଖାଳରେ ସୋଡିୟମ, ପୋଟାସିୟମ ଓ କାଲ୍‌ସିୟମ ପରିମାଣ ମଧ୍ୟ ଯଥେଷ୍ଟ ରହିଥାଏ। ୱାଶିଂଟନ୍‌ସ୍ଥିତ ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ରିପୋର୍ଟ ଅନୁଯାୟୀ, ପଖାଳରେ ଅନ୍ୟ ଭିଟାମିନ୍‌ ସହିତ ପ୍ରଚୂର ମାତ୍ରାରେ ଜିଙ୍କ୍‌ ମଧ୍ୟ ରହିଛି। ଏଥିରେ ରିବୋଫ୍ଲାବିନ୍‌ ଓ ଭିଟାମିନ୍‌-ବି ଭରପୂର ରହିଛି। ପଖାଳ ପ୍ରସ୍ତୁତିବେଳେ ଇଥାନଲ ଓ ଲାକ୍‌ଟିକ୍‌ ଏସିଡ ପରିମାଣ ନିୟନ୍ତ୍ରିତ ହେଉଥିବାରୁ ଏଥିରେ ପୁଷ୍ଟିକର ଗୁଣ ବୃଦ୍ଧି ହୋଇଥାଏ। ଏହା ପୁଷ୍ଟିହୀନତା ଭୋଗୁଥିବା ଲୋକଙ୍କ ପାଇଁ ସର୍ବାଧିକ ଉପାଦେୟ। ପେଟପୂରା ପଖାଳ ଶରୀରକୁ ଦିନକର ଖାଦ୍ୟସାର ଯୋଗାଇଥାଏ। ଏହା ଏକ ‘ସୁପରଫୁଡ୍‌’ ବୋଲି ପ୍ରତିଷ୍ଠାନର ବିଶେଷଜ୍ଞମାନେ ମତ ଦେଇଛନ୍ତି। ଟେଷ୍ଟ ଆଟଲାସ୍‌ ରିପୋର୍ଟକୁ ସେମାନେ ଖଣ୍ଡନ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories