ବୌଦ୍ଧ,: ବୌଦ୍ଧର ପ୍ରସିଦ୍ଧ ଗଣପର୍ବ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ନେତ୍ରତ୍ସୋବ ପରେ ତିନି ଠାକୁର ନବଯୌବନ ଦର୍ଶନ ଦେଇଥିଲେ। ଭକ୍ତମାନଙ୍କୁ ନବଯୌବନ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡାଯାଇନଥିଲେ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ବେଢାରେ ପହଞ୍ଚି ପ୍ରଭୁସତ୍ତା ଅନୁଭବ କରିଥିଲେ ଏବଂ ଦଧିବାମନ ଓ ପାଶ୍ୱର୍ ଦେବାଦେବୀଙ୍କ ଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ଦିର ଓ ପାର୍ଶ୍ୱ ଦେବାଦେବୀ ମନ୍ଦିରରେ ନୂତନ ଧ୍ୱଜା ଚଢା ଯାଇଥିଲା। ପରେ ତିନି ଠାକୁରଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଥିବା ରଥରେ ଧ୍ୱଜା ଚଢାଯାଇଥିଲା। ମୁଖ୍ୟ କର୍ତ୍ତା ଭାବରେ ମନ୍ଦିର ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ଉପସ୍ଥିତିରେ ତିନି ଠାକୁରଙ୍କ ସକାଳ ନିତିକାନ୍ତି ପାଳନ କରାଯାଇଥିଲା। ପରେ ବେଶକାରୀମାନଙ୍କ ଦ୍ୱାରା ଠାକୁରମାନଙ୍କ ପହଣ୍ଡିଯାତ୍ରା ପାଇଁ ସେନାପଟା ଲାଗି କରାଯାଇଥିଲା।
ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଠାକୁରମାନଙ୍କୁ ପହଣ୍ଡି ବେଶ କରାଯିବାପରେ ମଧ୍ୟାହ୍ନ ୧ ଘଣ୍ଟା ସମୟରେ ବ୍ରାହ୍ମଣ ସମାଜର ସେବକମାନଙ୍କ ଦ୍ୱାରା ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ସିଂହ ଦ୍ୱାରରେ ଦେବତ୍ତୋର ଅଧିକାରୀ ତଥା ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ଦ୍ୱାରା ତିନିଠାକୁରଙ୍କ ବାଟଭୋଗ ଲାଗି କରାଯିବା ପରେ ଠାକୁରମାନେ ଗୋଟି ପହଣ୍ଡିରେ ବ୍ରାହ୍ମଣ ସେବକଙ୍କ କାନ୍ଧରେ ସଂକର୍ତ୍ତିନର ତାଳେ ତାଳେ ଝୁଲି ଝୁଲି ରଥଖଳା ଅଭିମୁଖେ ବାହାରିଥିଲେ। ବଡଦାଣ୍ଡରେ ଅନେକ ସ୍ଥାନରେ ଭକ୍ତମାନଙ୍କ ଦ୍ୱାରା ବାଟଭୋଗ ଲାଗି କରାଯାଇଥିଲା। ଅପରାହ୍ନ ୪ ଘଣ୍ଟା ସମୟରେ ତିନି ଠାକୁର ରଥଖଳାରେ ପହଞ୍ଚିବା ପରେ ପରମ୍ପରା ଅନୁଯାୟୀ ରଥ ଚାରିପଟେ ୪ ଥର ପରିକ୍ରମା କରାଯାଇ ଠାକୁରମାନଙ୍କୁ ରଥାରୁଢ କରାଯାଇଥିଲା। ତିନିଠାକୁରଙ୍କୁ ରଥାରୁଢ କରାଯିବାପରେ ବୌଦ୍ଧ ରଥଯାତ୍ରାର ଅନନ୍ୟ ପରମ୍ପରା ରଥଛୁଆଁ ପର୍ବ ଆରମ୍ଭ ହୋଇଥିଲା। ଏହି ପରମ୍ପରା ଅନୁଯାୟି ଶିଶୁକୁ ୧ ବର୍ଷ ହେବାପରେ ରଥଯାତ୍ରାଦିନ ତିନିଠାକୁର ରଥାରୁଢ ହେବାପରେ ରଥଛୁଆଁ ଯାଇଥାଏ। ଏହାଦ୍ୱାରା ଶିଶୁଟି ଠାକୁରଙ୍କ ଆଶିର୍ବାଦପ୍ରାପ୍ତ ହୋଇଥାଏ ବୋଲି ଲୋକଙ୍କ ମଧ୍ୟରେ ଧର୍ମ ବିଶ୍ୱାସ ରହିଛି। ତେଣୁ ବହୁ ଦୂରଦୂରାନ୍ତରୁ ପରିବାରମାନେ ସେମାନଙ୍କ ଶିଶୁକୁ ନେଇ ରଥ ଛୁଆଁଇବାକୁ ଆସିଥାନ୍ତି। ପରେ ରାଜପରିବାରର ସତ୍ୱାଧିକାରୀ ଦେବେନ୍ଦ୍ର ପ୍ରସାଦ ଦେବଙ୍କ ଦ୍ୱାରା ଛେରା ପହଁରା ନିତି କରାଯିବାପରେ ସନ୍ଧ୍ୟାରେ ରଥଟଣା ଆରମ୍ଭ ହୋଇଥିଲା। ଡାହୁକର ଡାକରେ ଉହ୍ଲସିତ ଭକ୍ତମାନେ ରଥକୁ ଟାଣି ଟାଣି ନେଇ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ରଥଖଳାରେ ପହଞ୍ଚାଇଥିଲେ। ଉଭୟ ରଥ ଆଗ ପଛ ହୋଇ ଗୋଟିଏ ଜାଗାରେ ଥିବା ମାଉସୀ ମା ମନ୍ଦିରକୁ ଯାଇଥିଲେ। ଆଜି ସକାଳୁ ତିନି ଠାକୁରଙ୍କୁ ପୁନର୍ବାର ପହଣ୍ଡି କରି ଗୁଣ୍ଡିଚା ମନ୍ଦିରକୁ ନିଆଯବ ବୋଲି ଜଣାଯାଇଛି।
ଏହି ଅବସରରେ ସାହି ବାସିନ୍ଦାଙ୍କ ମିଳିତ ସହଯୋଗରେ ପାଳିତ ହୋଇ ଆସୁଥିବା ହରିଗୁଢି ରଥକୁ କେବଳ ମହିଳା ଭକ୍ତ ମାନେ ଟାଣିଥିଲେ। ବଡ ଦାଣ୍ଡରେ ରଥ ଟଣା ହେଉଥିବା ସମୟରେ ବିଭିନ୍ନ ଛକ ମାନଙ୍କରେ ପ୍ରଭୁଙ୍କୁ ପୋଡପିଠା, ବିଭିନ୍ନ ଭୋଗ ଭକ୍ତମାନେ ଅର୍ପଣ କରୁଥିଲେ। ବୌଦ୍ଧ ଡିଷ୍ଟିଲାରି, ଉତ୍ସର୍ଗ,ସତ୍ୟସାଇ ସେବା ସଂଗଠନ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଥଣ୍ଡାପାନୀୟ, ଅନ୍ନଭୋଗ ଓ ବିଭିନ୍ନ ଭୋଗ ବଣ୍ଟନ କରାଯାଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗବେଷକ, ସାହିତ୍ୟିକମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ପାଗ ଅନୁକୁଳ ଥିବାରୁ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ସହ ଭକ୍ତମାନେ ଆନନ୍ଦରେ ରଥ ଟାଣି ଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଥିବା ସହ ଶାନ୍ତିଶୃଙ୍ଖଳା ସହ ରଥ ଯାତ୍ରା ଶେଷ ହୋଇଥିଲା। ଏସଡିପିଓ କୁଲଦୀପ ମିନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୌଦ୍ଧଥାନା ଅଧିକାରୀ ଶାନ୍ତି ଶୃଙ୍ଖଳା ତାଦାରଖ କରିଥିବା ବେଳେ ପୂର୍ବତନ ନଗରପାଳ ନିବାସ ଚନ୍ଦ୍ର ଦାନୀଙ୍କ ତତ୍ୱାବଧାନରେ ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସେହିପରି ଜିଲାର ପୁରୁଣାକଟକ, ଠିଡିକାଯୋର, ହରଭଙ୍ଗା, କୁଶଙ୍ଗ, ମନମୁଣ୍ଡା, କଣ୍ଟା ମାଳ ଓ ପୁରପଲ୍ଳୀରେ ମଧ୍ୟ ରଥଯାତ୍ରା ପାଳିତ ହୋଇଅଛି।



