www.samajalive.in
Monday, December 8, 2025
24.1 C
Bhubaneswar

ନବବର୍ଷର ଚିନ୍ତନ

୨୦୧୮ର ବିଦାୟ ସହ ଇଂରାଜୀ ନୂଆବର୍ଷ ୨୦୧୯ ଆସିଛି ଏବଂ ଚଳନ୍ତି ଇତିହାସର ଏକ ନୂଆପୃଷ୍ଠା ଖୋଲିଛି। ସ୍ବାଭାବିକ ଭାବେ ଗୋଟିଏ ବର୍ଷରେ ଭାରତ ଓ ସମଗ୍ର ବିଶ୍ବ ବିଭିନ୍ନ କ୍ଷେତ୍ରରେ ସଫଳତା, ବିଫଳତାର ମିଶ୍ର ଫଳାଫଳ ପାଇଛନ୍ତି। କିଛି ପ୍ରସଙ୍ଗ ପୁରୁଣାବର୍ଷରୁ ନୂଆବର୍ଷକୁ ଗଡ଼ିଆସି ସମାଧାନର ଆଶା ଉଜ୍ଜୀବିତ କରୁଛି। ଅନନ୍ତ ସମୟକୁ ବର୍ଷ, ମାସ, ଦିନ ଓ ଦଣ୍ଡରେ ସୀମିତ କରିରଖିବା ସହଜ ନୁହେଁ। ନିରବଧି କାଳ ତା’ ବାଟରେ ଚାଲିଛି ଏବଂ ଏଥିରେ ଅସଂଖ୍ୟ ଘଟଣାମାନ ଘଟୁଛି। ଆମେ ମରଣଶୀଳ ମଣିଷମାନେ ସମୟର ଏହି ନିରବଚ୍ଛିନ୍ନ ଯାତ୍ରାକୁ ବିଭିନ୍ନ କାଳଖଣ୍ଡରେ ଭାଗ କରି ଆପଣାଆପଣାର ଲାଭକ୍ଷତିର ହିସାବ ରିଖିବାରେ ଲାଗିଛୁ। ଆମ ଚେତନା ଓ ବିଚାରରେ ଆମେ ଅବଶ୍ୟ ବିଶ୍ବାସ କରୁଛୁ ଯେ ବର୍ଷ ପରେ ବର୍ଷ ବଦଳିବା ସହ ଆମ ଦେଶ ଓ ବିଶ୍ବ ଆଗ ଅପେକ୍ଷା ଉନ୍ନତ ଓ ସୁନ୍ଦର ହେଉଛି ଏବଂ ସାରାଦୁନିଆ ଶାନ୍ତିରେ ବସବାସ କରିବାକୁ ଅଧିକ ଉପଯୁକ୍ତ ହେଉଛି। ଆଞ୍ଚଳିକବାଦ, ଉଗ୍ର ଜାତୀୟତାବାଦ, ସଂକୀର୍ଣ୍ଣ ସ୍ବାର୍ଥ, ମୌଳବାଦ, ଆତଙ୍କବାଦ, ବ୍ୟାଧି, ଅଶିକ୍ଷା, କ୍ଷୁଧା, ଦାରିଦ୍ର୍ୟ, ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ସାରା ଦୁନିଆ ଏକ ସମ୍ଭାବନାମୟ ଦିଗକୁ ଆଗୋଉଥିବା ଆମର ବିଶ୍ବାସ। ସମାଜବିଜ୍ଞାନୀ, ନୃତତ୍ତ୍ବବିତ୍‌, ଭବିଷ୍ୟବାଦୀ, ଅର୍ଥନୀତି ବିଶାରଦ, ବୈଜ୍ଞାନିକ ଓ ଯୁକ୍ତିବାଦୀ, ସମସ୍ତେ ଏ କଥା ସହ ଅଳ୍ପବହୁତ ଏକମତ।
ମୌଳିକ ସମସ୍ୟାବଳୀର ସମାଧାନ ପାଇଁ ପୃଥିବୀ ପାଖରେ ଅନେକ ଉପାୟ, ଆୟୁଧ ଏବେ ଉପଲବ୍ଧ। ତା’ ପଛରେ ରହିଛି ମଣିଷର ଜ୍ଞାନର ବିକାଶ ଓ ଉନ୍ନତ ତଥା ଉପଯୁକ୍ତ ଟେକ୍‌ନୋଲୋଜି। ଆହୁରି କିଛି ଏଭଳି ଆୟୁଧ ମଧ୍ୟ ପ୍ରସ୍ତୁତି ଅପେକ୍ଷାରେ। ଭାରତ ଓ ପୃଥିବୀ ୨୦୧୮ରେ ଏଭଳି କିଛି ଟେକ୍‌ନୋଲୋଜି ରୂପକ ଆୟୁଧ ପାଇଛି। ଆମକୁ ସେଇ ପ୍ରୟାସ ସମ୍ମିଳିତ ଭାବେ ଜାରି ରଖିବାକୁ ହେବ। ବୁଝାମଣାର ଏକ ନୂଆ ଅଧ୍ୟାୟ ସୃଷ୍ଟି ସହ ବିଶ୍ବକୁ ମଧୁମୟ କରିବାକୁ ଆମକୁ ଆମ ଅଗ୍ରାଧିକାରଗୁଡ଼ିକୁ ବାଛିବାକୁ ପଡ଼ିବ। ସବୁକଥାରେ ସରକାରକୁ ଚାହିଁଲେ ହେବନାହିଁ। ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ମଧ୍ୟ ସଚେତନ ହେବାକୁ ହେବ। ଗୋଟିଏ ବର୍ଷର ପରିବର୍ତ୍ତନମୁଖୀ ପ୍ରୟାସ ପରବର୍ତ୍ତୀ ବର୍ଷର ଆବଶ୍ୟକତାକୁ ମେଣ୍ଟାଇବା ସହ ଆମ ଭବିଷ୍ୟତକୁ ଅଧିକ ସୁଖଦ ଓ ନିରାମୟ କରିବ। ଏହା ଆମର ନୂଆବର୍ଷର ସଂକଳ୍ପ ହେବା ଆବଶ୍ୟକ। ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories