www.samajalive.in
Tuesday, December 9, 2025
15.1 C
Bhubaneswar

ହସିନାଙ୍କ ବାଜିମାତ୍‌

ବ୍ୟାପକ ହିଂସାକାଣ୍ଡ ଓ ବୁଥ୍‌ ଜବରଦଖଲ ମଧ୍ୟରେ ଅନୁଷ୍ଠିତ ବାଂଲାଦେଶ ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆୱାମୀ ଲିଗ ମେଣ୍ଟ ଏକତରଫା ବିଜୟ ହାସଲ କରିଛି। ମୋଟ ୩୦୦ ଆସନ ବିଶିଷ୍ଟ ଜାତୀୟ ସଂସଦ (ପାର୍ଲାମେଣ୍ଟ)ର ୨୯୯ ଆସନ ପାଇଁ ହୋଇଥିବା ନିର୍ବାଚନରେ ହାସିନାଙ୍କ ମେଣ୍ଟକୁ ଅପ୍ରତ୍ୟାଶିତ ଭାବେ ୨୮୮ ଆସନ ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବିଏନ୍‌ପି ମେଣ୍ଟର ପ୍ରାର୍ଥୀମାନେ ମାତ୍ର ୧୧ଟି ଆସନରେ ଜିତିବାକୁ ସକ୍ଷମ ହୋଇଛନ୍ତି। ଏହାଫଳରେ କ୍ରମାଗତ ଭାବେ ତୃତୀୟ ଏବଂ ମୋଟରେ ଚତୁର୍ଥଥର ପାଇଁ ହସିନା ପ୍ରଧାନମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି।
ହସିନାଙ୍କର ଏହି ବିପୁଳ ଏକତରଫା ବିଜୟରେ ବିରୋଧୀ କାହିଁକି, ସମସ୍ତେ ଚକିତ ହେବା ସ୍ବାଭାବିକ। ବିରୋଧୀ ବିଏନ୍‌ପି ମେଣ୍ଟ ପ୍ରଥମରୁ ଏଭଳି ଫଳାଫଳ ଆଶଙ୍କା କରି ଏକ ନିର୍ଦଳୀୟ ସରକାର ଅଧୀନରେ ନିର୍ବାଚନ ପରିଚାଳନା କରିବାକୁ ଚାହୁଁଥିଲା ଏବଂ ଦେଶର ନିର୍ବାଚନ କମିସନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଉଥିଲା। ନିର୍ବାଚନବେଳେ ବ୍ୟାପକ ବୁଥ୍‌ ଜବରଦଖଲ ହୋଇଥିବା ରିପୋର୍ଟ ମିଳିଥିବାବେଳେ ହିଂସାକାଣ୍ଡରେ ଜଣେ ସୁରକ୍ଷାକର୍ମୀଙ୍କ ସହ ୧୭ଜଣ ନିହତ ହୋଇଛନ୍ତି। ନିହତଙ୍କ ମଧ୍ୟରେ ଅଧିକାଂଶ ଶାସକ ଆୱାମୀ ଲିଗ୍‌ ମେଣ୍ଟର। ଭୋଟଗ୍ରହଣ ଆରମ୍ଭ ପୂର୍ବରୁ ବିରୋଧୀ ପକ୍ଷର ବହୁ ପ୍ରାର୍ଥୀ ବୁଥ୍‌ ଜବରଦଖଲ ଦେଖି ଶେଷ ମୁହୂର୍ତ୍ତରେ ପ୍ରତିଦ୍ବନ୍ଦ୍ବିତାରୁ ଓହରିଯିବାକୁ ଘୋଷଣା କରିଥିଲେ। ହସିନାଙ୍କର ଏହି ବିପୁଳ ବିଜୟର ରହସ୍ୟ କ’ଣ ? ପ୍ରଥମ କଥା ହେଲା ବିରୋଧୀ ମେଣ୍ଟର ନେତ୍ରୀ ବେଗମ ଖଲିଦା ଜିଆ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଢାକା ଜେଲ୍‌ରେ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ। ସେ ହୁଏତ କାରାଦଣ୍ଡରୁ ମୁକ୍ତି ପାଇ ନ’ପାରନ୍ତି। ଅତଏବ ତାଙ୍କ ଅନୁପସ୍ଥିତିରେ ତାଙ୍କ ଦଳ ନେତୃତ୍ବରେ ପରିଚାଳିତ ବିରୋଧୀମେଣ୍ଟ ଏକପ୍ରକାର ପରାଜୟର ଲଢ଼େଇ ଲଢ଼ୁଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଦ୍ବିତୀୟ କଥାଟି ହେଲା ବାଂଲାଦେଶ ଭୋଟର ବିକଳ୍ପ ନ’ପାଇ ହସିନାଙ୍କ ଦଳ ଉପରେ ବିପୁଳ ଆସ୍ଥା ପ୍ରକଟ କରିଛନ୍ତି ବୋଲି କୁହାଯାଇପାରେ। ତାଙ୍କ ନେତୃତ୍ବରେ ଦେଶର ଅର୍ଥନୀତିରେ ଉଲ୍ଲେଖନୀୟ ଉନ୍ନତି ଆସିଥିବାବେଳେ ସାମଗ୍ରିକ ପ୍ରଗତି ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି ବୋଲି କେତେକ ଯେଉଁ ଦାବି କରୁଛନ୍ତି ତାହା ଅମୂଳକ ହୋଇନ’ପାରେ। ବାଂଲାଦେଶ ଗତ ୧୦ବର୍ଷ ମଧ୍ୟରେ ଉନ୍ନତି ଓ ପ୍ରଗତିର ନୂଆ ସୋପାନରେ ଯେ ପହଞ୍ଚିଛି, ଏ କଥା ଅାନ୍ତର୍ଜାତିକ ସଂସ୍ଥାମାନେ ସ୍ବୀକାର କରୁଛନ୍ତି। ଏସବୁ ଯୁକ୍ତି ସତ୍ତ୍ବେ ବାଂଲାଦେଶରେ ଏଥର ସାଧାରଣ ନିର୍ବାଚନ ​‌େ​‌ଯ ଅବାଧ ଓ ନିରପେକ୍ଷ ନଥିଲା, ଏ କଥା ସ୍ବାଧୀନ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି। ଏହାଛଡ଼ା ଦେଶରେ ମାନବାଧିକାର ଉଲ୍ଲଙ୍ଘନ, ଗଣମାଧ୍ୟମର କଣ୍ଠରୋଧ, ଗଣତାନ୍ତ୍ରିକ ଅଧିକାରର ହନନ ଓ ମୌଳବାଦୀଙ୍କ ପ୍ରଭାବ ବୃଦ୍ଧି ପଛରେ ହସିନା ସରକାରଙ୍କର ପ୍ରତ୍ୟକ୍ଷ ଓ ପ୍ରଚ୍ଛନ୍ନ ସମର୍ଥନ କଥା ରହିଛି। ଗଣତନ୍ତ୍ରକୁ ଢାଲ କରି ବିରୋଧୀଙ୍କୁ ଦମନ ପୂର୍ବକ ୮୨ ବର୍ଷୀୟ ହସିନା କ୍ଷମତାକୁ ଜାବୁଡ଼ି ଧରିଥିବା ସ୍ବାଧୀନ ପର୍ଯ୍ୟବେକ୍ଷକଙ୍କ ମତ। ଏଭଳି ପରିସ୍ଥିତିରେ ଏହି ବିପୁଳ ବିଜୟ ଯେ ହସିନାଙ୍କ ଦ୍ବାରା ପ୍ରାୟୋଜିତ ଏ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଫଳାଫଳରେ ବିସ୍ମିତ ଦେଶର ପ୍ରମୁଖ ବିରୋଧୀ ଦଳର ନେତାମାନେ ଦେଶର ନିର୍ବାଚନ କମିସନଙ୍କୁ ଭେଟି ଏହାକୁ ବାତିଲ କରିବାକୁ ଦାବି କରିଛନ୍ତି। ଦୁଇ ବେଗମଙ୍କ ଲଢ଼େଇରେ ଜଣେ ନିଃଶେଷ ହୋଇଥିବାବେଳେ ଅନ୍ୟଜଣେ ଇତିହାସ ରଚିଛନ୍ତି। ତେବେ ସେ ଯା’ହେଉ ଏସବୁ ସେ ଦେଶର ଆଭ୍ୟନ୍ତରୀଣ ସମସ୍ୟା ଓ ସେଠା କର୍ତ୍ତୃପକ୍ଷ ତାହା ବୁଝିବେ। ଭାରତର ସ୍ବାର୍ଥ ହେଲା ଏକ ପଡ଼ୋଶୀ ଭାବେ ସେ ଏକ ସମୃଦ୍ଧ, ସ୍ବଚ୍ଛଳ ଓ ଶାନ୍ତ ବାଂଲାଦେଶ ଚାହେଁ। ହସିନାଙ୍କ ଶାସନକାଳରେ ଭାରତ ସହ ବାଂଲାଦେଶର ସମ୍ପର୍କ ଅଧିକ ନିବିଡ଼ ହୋଇଛି ଓ ଦୁଇଦେଶ ଉତ୍ତମ ପଡ଼ୋଶୀ ଭାବେ ଚଳିବାରେ ଅଭ୍ୟସ୍ତ ହୋଇଛନ୍ତି। ସେ ଦେଶର ରାଜନୈତିକ ସ୍ଥିରତା ଓ ଶାନ୍ତି ଉପରେ ଭାରତ ସହ ସମ୍ପର୍କ ବିଶେଷ ନିର୍ଭରଶୀଳ। ହସିନାଙ୍କ କ୍ଷମତା ବଜାୟ ରହିଲେ ଭାରତର ଲାଭ ହେବ; କିନ୍ତୁ ତାଙ୍କର ଏହି ବିପୁଳ ଓ ଅପ୍ରତ୍ୟାଶିତ ବିଜୟ ଘଟଣାର ପ୍ରେକ୍ଷାପଟରେ ଥିବା ତଥାକଥିତ ଫାସିବାଦୀ କୌଶଳ ନିଶ୍ଚୟ ନୂଆଦିଲ୍ଲୀ କର୍ତ୍ତୃପକ୍ଷଙ୍କ ମନରେ ସଂଶୟ ସୃଷ୍ଟି କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories