ମୂର୍ତ୍ତି ଗଢ଼ିବା ନା ଦେଶ ଗଢ଼ିବା !

0

ଗାୟତ୍ରୀବାଳା ପଣ୍ଡା

prayash

ଗତ କିଛି ଦିନ ହେଲା ଖବରକାଗଜରେ ଆମ ଦେଶର ବିଭିନ୍ନ ରାଜ୍ୟରେ ଆକାଶଛୁଆଁ ମୂର୍ତ୍ତି ଗଢ଼ିବା ନେଇ ଖବରମାନ ପ୍ରକାଶ ପାଇବାରେ ଲାଗିଛି। ଏହା ଯେମିତି ଏକ ପ୍ରତିଯୋଗିତାରେ ପରିଣତ ହେବାରେ ଲାଗିଛି। ପ୍ରଥମେ ଏହି ପ୍ରତିଯୋଗିତାର ନିଅଁ ପଡ଼ିଥିଲା ସର୍ଦାର ବଲ୍ଲଭଭାଇ ପଟେଲ୍‍ଙ୍କ ‘ଷ୍ଟାଚ୍ୟୁ ଅଫ୍‍ ୟୁନିଟି’ ନାମରେ ପରିଚିତ ୧୮୨ ମିଟର ବିଶିଷ୍ଟ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତିଠାରୁ। ୨୦୧୩ରେ ଏହାର ଶିଳାନ୍ୟାସ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ କି ଏହି ପ୍ରତିମୂର୍ତ୍ତିର ନିର୍ମାଣ ପାଇଁ ୨,୯୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗୁଜରାଟର କେୱଡ଼ିଆସ୍ଥିତ ସର୍ଦାର ସରୋବର ଡ୍ୟାମ୍‍ଠାରୁ ୩.୩୨ କିଲୋମିଟର ଦୂର ନର୍ମଦା ନଦୀର ସାଧୁ ବେଟ୍‍ ଦ୍ୱୀପରେ ଏହି ପ୍ରତିମୂର୍ତ୍ତି ନିର୍ମିତ ହୋଇଛି। ତେବେ ଏହା ଆମେରିକାର ଷ୍ଟାଚ୍ୟୁ ଅଫ୍‍ ଲିବର୍ଟି(୯୩ ମିଟର)ଠାରୁ ପ୍ରାୟ ଦୁଇ ଗୁଣ ଉଚ୍ଚ ଓ ଚୀନ୍‍ର ସ୍ପ୍ରିଙ୍ଗ୍‍ ଟେମ୍ପଲ୍‍ ବୁଦ୍ଧ(୧୫୩ ମିଟର)ଠାରୁ ୨୯ ମିଟର ଉଚ୍ଚ ହୋଇଛି। ସାରା ବିଶ୍ୱରୁ ପର୍ଯ୍ୟଟକ ଏଠାକୁ ଆସିବେ ଓ ପର୍ଯ୍ୟଟନ ଶିଳ୍ପର ଉନ୍ନତି ଘଟିବ। ତାଛଡ଼ା ଏହି କ୍ଷେତ୍ରରୁ ବ୍ୟାପକ ରାଜସ୍ୱ ସଂଗ୍ରହ କରାଯିବା ସହ ପ୍ରତିମୂର୍ତ୍ତି ପାଶ୍ୱବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ରୋଜଗାର ସୃଷ୍ଟିରେ ସମର୍ଥ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ୨୨୧ ମିଟର ଉଚ୍ଚତାବିଶିଷ୍ଟ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବ ବୋଲି ଘୋଷଣା କରିଥିବାବେଳେ ରାଜସ୍ଥାନ ସରକାର ୩୫୧ ଫୁଟର ଶିବମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଏହାର ୮୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଛି। ୨୦୧୯ ମସିହା ମାର୍ଚ୍ଚ ମାସରେ ଏହାର ଉନ୍ମୋଚନ ହେବ। ଏହାର ଉଦ୍‍ଘାଟନ ପରେ ଏହା ବିଶ୍ୱର ଚତୁର୍ଥ ଉଚ୍ଚତମ ପ୍ରତିମୂର୍ତ୍ତି ହେବ। ପୁନଶ୍ଚ କର୍ଣ୍ଣାଟକ ସରକାର ତାଙ୍କ ନିଜ ରାଜ୍ୟରେ ମା’ କାବେରୀଙ୍କର ୧୨୫ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ନିର୍ମାଣ କରିବେ ବୋଲି ଘୋଷଣା କରିବା ସହ ଏହାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ମହାରାଷ୍ଟ୍ର ସରକାର ମଧ୍ୟ ମୁମ୍ବଇ ସମୁଦ୍ର ବେଳାଭୂମିରେ ଛତ୍ରପତି ଶିବାଜୀଙ୍କର ୨୧୦ ମିଟର ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଘୋଷଣା କରିଛନ୍ତି ଯେଉଁଥିପାଇଁ ୩,୬୪୩.୭୮କୋଟି ଟଙ୍କା ବ୍ୟୟ ହେବ ଏବଂ ଆସନ୍ତା ୨୦୨୨-୨୩ ବର୍ଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି। କଥା ଏତିକିରେ ସରିନାହିଁ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡ଼ୁ ରାଜ୍ୟର ନୂଆ ବିଧାନସଭାର କୋଠା ପଟେଲ୍‍ଙ୍କ ପ୍ରତିମୂର୍ତ୍ତିଠାରୁ ୬୮ ମିଟର ଅଧିକ ଉଚ୍ଚ ହେବ ଏବଂ ଏହାକୁ ବିଶ୍ୱର ଉଚ୍ଚତମ ଟାୱାର ବିବେଚନା କରାଯିବ ବୋଲି କହିଛନ୍ତି। ଏ ନେଇ ପ୍ରସ୍ତାବିତ ଢାଞ୍ଚାକୁ ମୁଖ୍ୟମନ୍ତ୍ରୀ ନାଇଡ଼ୁ ଚୂଡ଼ାନ୍ତ କରିଛନ୍ତି। ବିଧାନସଭା କୋଠା ୩ମହଲା ବିଶିଷ୍ଟ ହେବ ଏବଂ କୋଠା ଉପରେ ୨୫୦ ମିଟର ଉଚ୍ଚତାବିଶିଷ୍ଟ ଅନନ୍ତ ଆକାଶକୁ ଛୁଇଁପାରୁଥିବା ଉଚ୍ଚତମ ଟାୱାର ନିର୍ମାଣ କରାଯିବ ବୋଲି ଯୋଜନା କରିଛନ୍ତି। ଲଣ୍ଡନର ନିର୍ମାଣକାରୀ ସଂସ୍ଥା ନୋର୍ମା ଫୋଷ୍ଟର୍ସ ଖୁବ୍‍ ଶୀଘ୍ର ଏହାର ରୂପରେଖ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବ। ଏହି କୋଠାର ଆକୃତି ଓଲଟ କଇଁ ସଦୃଶ ହେବ।
ତେବେ ଯେଉଁ ଖବରକାଗଜରେ ଆକାଶଛୁଆଁ ମୂର୍ତ୍ତିଗଢ଼ା ପ୍ରତିଯୋଗିତାର ଖବରମାନ ପ୍ରକାଶ ପାଉଛି, ସେହି ଖବରକାଗଜରେ ପ୍ରକାଶ ପାଉଛି ଭାରତଭଳି ୧୩୦ କୋଟି ଜନସଂଖ୍ୟା ଥିବା ଗୋଟିଏ ଦେଶରେ ଦେଶ ଛାଡ଼ୁଥିବା ଭାରତୀୟଙ୍କ ସଂଖ୍ୟା ବଢ଼ୁଛି। ‘ଇଣ୍ଡିଆ ସ୍ପେଣ୍ଡ ଆନାଲିସିସ ଅଫ୍‍ ଡାଟା ଫ୍ରମ୍‍ ଦି ୟୁନାଇଟେଡ଼୍‍ ଅଫ୍‍ ଇକୋନୋମିକ୍‍ ଆଫେୟାର୍ସ’ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଗତବର୍ଷ ପ୍ରାୟ ୧୭ ନିୟୁତ ଭାରତୀୟ ବିଦେଶରେ ରହୁଥିଲେ। ୧୯୯୦ ମସିହାରେ ଏହି ସଂଖ୍ୟା ଥିଲା ମାତ୍ର ୭ ନିୟୁତ। ଅର୍ଥାତ୍‍ ୨୭ବର୍ଷରେ ୧୪୩ ପ୍ରତିଶତ ଅଧିକ ଭାରତୀୟ ଦେଶ ଛାଡ଼ିଛନ୍ତି। ୧୯୯୦ରୁ ୨୦୧୭ ମଧ୍ୟରେ ଭାରତରୁ ପଳାୟନ କରିଥିବା ଉଭୟ କୁଶଳୀ ଓ ଅଣକୁଶଳୀ ଭାରତୀୟଙ୍କ ସଂଖ୍ୟା କାତାରକୁ ୮୨,୬୬୯%, ଓମାନ୍‍କୁ ୬୮୮%, ସଂଯୁକ୍ତ ଆରବ ଏମିରେଟ୍ସକୁ ୬୨୨%, ସାଉଦି ଆରବକୁ ୧୧୦%, କୁଏତକୁ ୭୮%, ନେଦରଲ୍ୟାଣ୍ଡକୁ ୬୬%, ନରୱେକୁ ୫୬% ଓ ସ୍ୱିଡ଼େନକୁ ୪୨% ବଢ଼ିଛି। ଭାରତରେ ଲାଗି ରହିଥିବା ବେକାରୀ ସମସ୍ୟା ଯୋଗୁଁ ଭାରତୀୟମାନେ ଦେଶ ଛାଡ଼ିବାପାଇଁ ବାଧ୍ୟ ହେଉଛନ୍ତି। ଏହାର ଅନ୍ୟ କାରଣ ଭାବରେ ଦାରିଦ୍ର୍ୟ ଓ କ୍ଷୁଧାକୁ ନିଆଯାଇପାରେ। କ୍ଷୁଧା ହାରରେ ୧ ପ୍ରତିଶତ ବୃଦ୍ଧି ହେଲେ ଦେଶାନ୍ତର ହାରରେ ୨ ପ୍ରତିଶତ ବୃଦ୍ଧି ଘଟିଥାଏ ବୋଲି କହିଛନ୍ତି ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ଼୍‍ ବିସେଲ। ୨୦୧୮ରେ ସେଣ୍ଟର ଫର ମନିଟରିଂ ଅଫ୍‍ ଇଣ୍ଡିଆନ୍‍ ଇକୋନୋମି (ସି.ଏମ୍‍.ଆଇ.ଇ) ରିପୋର୍ଟରେ ପ୍ରକାଶ ପାଇଛି ଯେ ଭାରତରେ ୨୦୧୮ ଅକ୍ଟୋବର ବେଳକୁ ନିଯୁକ୍ତି ପାଇଁ ୨.୯୫ କୋଟିରୁ ଊର୍ଦ୍ଧ୍ବ ଯୁବକ ଅପେକ୍ଷା କରିଥିଲେ ଏବଂ ୨୦୧୭ରେ ଅପେକ୍ଷାରତ ବେକାରଙ୍କ ସଂଖ୍ୟା ଥିଲା ୧.୪ କୋଟି। ଭାରତର ସାଂପ୍ରତିକ ଜନସଂଖ୍ୟା ବୃଦ୍ଧି ହାର ଅନୁସାରେ ପ୍ରତିବର୍ଷ ୧୦ରୁ ୧୨ ନିୟୁତ ଯୁବକଯୁବତୀ ନୂଆକରି ନିଯୁକ୍ତି ବଜାରରେ ପ୍ରବେଶ କରୁଛନ୍ତି। ମୋଟାମୋଟି ଭାବେ ପ୍ରତିବର୍ଷ ଭାରତରେ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା ପାଖାପାଖି ୮୦ ଲକ୍ଷ। ବର୍ତ୍ତମାନ ସମୟରେ ବଡ଼ ଆହ୍ୱାନ ହେଲା ଏହି ବିଶାଳ ଯୁବ ଶକ୍ତିର ଉପଯୋଗ ପାଇଁ ନିଯୁକ୍ତି, ଶିକ୍ଷା ଓ ତାଲିମ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରିବା। ତାହା ନ କରି ନେତୃବର୍ଗ ମୂର୍ତ୍ତି ଗଢ଼ିବା ପ୍ରତିଯୋଗିତା ପଛରେ ମାତିବା ପରିତାପର ବିଷୟ।
କିଛି ମାସ ପୂର୍ବରୁ ‘ଡାଉନ୍‍ ଟୁ ଆର୍ଥ’ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ ଭାରତୀୟ ଜନସଂଖ୍ୟାର ୪୦ ପ୍ରତିଶତ ଗରିବ, ସ୍ୱାସ୍ଥ୍ୟ, ଶିକ୍ଷା ପରି ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ। ୟୁଏନ୍‍ଡିପିର ରିପୋର୍ଟ ଆଧାରରେ ଦେଶରେ ୪୧ %, ଅର୍ଥାତ୍‍ ୫୨୮ ନିୟୁତ ଗରିବ। ଆମ ଦେଶରେ ଏବେ ବି ପ୍ରତିଦିନ ୩୦ କୋଟିରୁ ଅଧିକ ଲୋକ ଖାଲି ପେଟରେ ରାତିରେ ଶୋଉଛନ୍ତି। ୱାଂଶିଟନ୍‍ସ୍ଥିତ ଇଣ୍ଟରନ୍ୟାସନାଲ ଫୁଡ଼୍‍ ପଲିସି ରିସର୍ଚ୍ଚ ଇନ୍‍ଷ୍ଟିଚ୍ୟୁଟ୍‍ (ଆଇ.ଏଫ୍‍.ପି.ଆର.ଆଇ)ଦ୍ୱାରା ପ୍ରକାଶ ପାଇଥିବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍‍ସ୍‍ ରିପୋର୍ଟ-୨୦୧୮ ଅନୁଯାୟୀ କ୍ଷୁଧା ସୂଚକାଙ୍କରେ ୧୧୯ଟି ଦେଶ ମଧ୍ୟରେ ଭାରତର ସ୍ଥାନ ଖସି ଆସି ପହଂଚିଛି ୧୦୩ତମ ସ୍ଥାନରେ। ଉତ୍କଟ ଭୋକିଲା ଦେଶ ଭାବେ ବିବେଚିତ ୪୫ଟି ଦେଶ ମଧ୍ୟରେ ଭାରତ ରହିଛି। ରିପୋର୍ଟ କହୁଛି ୨୦୧୭ରେ ଆମ ଦେଶରେ ଭୋକିଲାଙ୍କ ସଂଖ୍ୟା ୧୨.୪ କୋଟି ଥିଲାବେଳେ ୨୦୧୬ରେ ଏହା ୧୦ କୋଟି ଓ ୨୦୧୫ରେ ଏହି ସଂଖ୍ୟା ୮ କୋଟି ଥିଲା। ତେଣୁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସତ୍ତ୍ବେ ଭୋକିଲାଂକ ସଂଖ୍ୟାରେ ବି ଦିନକୁ ଦିନ ଆଖିଦୃଶିଆ ବୃଦ୍ଧି ଘଟିବାରେ ଲାଗିଛି। ଜାତିସଂଘ ଏଥିପାଇଁ ଯେଉଁ କାରଣଗୁଡ଼ିକୁ ଦାୟୀ କରିଛି ସେଥିମଧ୍ୟରୁ ପ୍ରମୁଖ ହେଲା ସମ୍ବେଦନହୀନତା। ଆମ ନେତୃତ୍ୱ ଯେତେଦିନ ପର୍ଯ୍ୟନ୍ତ ଦରିଦ୍ର ଲୋକଙ୍କ ବାସ୍ତବ ସମସ୍ୟା ବୁଝି ତା’ର ସମାଧାନ କରିବାରେ ଯତ୍ନଶୀଳ ହୋଇନାହିଁ, ଏହି ସମସ୍ୟା କମିବା ବଦଳରେ ବଢ଼ିବାରେ ଲାଗିବ।
ଫ୍ଲାଟ୍‍ ନଂ-୮୦୪, ଟାୱାର-୩, ବିପୁଲ୍‍ ଗାର୍ଡ଼େନ୍‍ସ୍‍, ଘାଟିକିଆ, ଭୁବନେଶ୍ୱର-୭୫୧୦୦୩
[email protected]

kalyan agarbati
Leave A Reply