BJD Bijuli 480×75 Mob

ଜାମ୍ମୁ କାଶ୍ମୀରରେ ୧୪,୪୬୦ ବଙ୍କର ନିର୍ମାଣ ଯୋଜନା

BJD Bijuli 480×75 Mob
0

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ ହେଉଥିବା କାରଣରୁ ଜାମ୍ମୁ କାଶ୍ମୀରରେ ୧୪,୪୬୦ଟି ବଙ୍କର ନିର୍ମାଣ କରିବାକୁ ଯୋଜନା ଚାଲିଛି। ଏଥିପାଇଁ କେନ୍ଦ୍ର ସରକାର ୪୧୬ କୋଟି ଟଙ୍କା ମଞ୍ଜୁର କରିଥିବା ଜଣାପଡିଛି। ପାକ୍‍ ସୈନ୍ୟଙ୍କ ଗୁଳିବର୍ଷଣ ଯୋଗୁଁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କର ନାହିଁ ନଥିବା ଅସୁବିଧା ହେଉଛି। ଏପରିକି କେତେକ କ୍ଷେତ୍ରରେ ସାଧାରଣ ନାଗରିକଙ୍କର ପ୍ରାଣହାନି ଘଟୁଥିବାବେଳେ ବାସଗୃହଗୁଡିକ ନଷ୍ଟ ହେଉଛି। ଅସ୍ତ୍ରବିରତି ଉଲ୍ଲଘଂନ ସମୟରେ ଭାରତୀୟ ଯବାନମାନେ ସ୍ଥାନୀୟ ବାସିନ୍ଦାଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଥାନ୍ତି। ଅସ୍ଥାୟୀ ଶିବିରରେ ରହୁଥିବା ଲୋକଙ୍କ ପିଛା ସରକାରଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିଥାଏ। ତେବେ ପ୍ରସ୍ତାବିତ ବଙ୍କର ଗୁଡିକ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ଆଶ୍ରୟ ନେଇପାରିବେ ଏବଂ ଏହାଦ୍ୱାରା ସେମାନଙ୍କର ଧନଜୀବନ ନଷ୍ଟ ହେବାର ସମ୍ଭାବନା ମଧ୍ୟ ହ୍ରାସ ପାଇବ। ଏନବିସିସି (ନ୍ୟାସନାଲ ବିଲ୍ଡିଂ କନଷ୍ଟ୍ରକସନ କର୍ପୋରେସନ)କୁ ଏହି ବଙ୍କର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଆସନ୍ତା ଏକ ବର୍ଷ ମଧ୍ୟରେ ବଙ୍କରଗୁଡିକର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି। ପୂର୍ବରୁ ପରୀକ୍ଷାମୂଳକଭାବେ ଜାମ୍ମୁ କାଶ୍ମୀରରେ କେତେକ ବଙ୍କର ନିର୍ମିତ ହୋଇଥିଲା। ଅସ୍ତ୍ରବିରତି ଉଲ୍ଲଘଂନ ସମୟରେ ସେଗୁଡିକ ବେଶ ନିରାପଦ ପ୍ରମାଣିତ ହୋଇଥିବାରୁ ବଙ୍କର ସଂଖ୍ୟା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ବଙ୍କରରେ ଏକାସାଙ୍ଗରେ ୧୦୦ରୁ ୧୫୦ ପର୍ଯ୍ୟନ୍ତ ଲୋକେ ଆଶ୍ରୟ ନେଇପାରିବେ ବୋଲି କୁହାଯାଇଛି।

Leave A Reply