ଅନ୍ୟ ଜଣେ ତାମିଲ ପ୍ରଶାସକଙ୍କ କାହାଣୀ
ଶ୍ରୀକାନ୍ତ ଚାଟାର୍ଜୀ
ବି.ଶିବରମଣ ଜଣେ ତାମିଲ ଆଇସିଏସ୍ ଅଫିସର ଥିଲେ। ଓଡ଼ିଶା ସହିତ ତାଙ୍କର ଦୀର୍ଘ ଓ ଘନିଷ୍ଟ ସମ୍ପର୍କ ଥିଲା। ଏ ପ୍ରବନ୍ଧରେ ଆଧୁନିକ ଓଡ଼ିଶା ଗଠନରେ ଶିବରମଣଙ୍କ ଭୂମିକା ଉପରେ ଅଳ୍ପ ଆଲୋଚନା କରିବା।
ଶିବରମଣ ୧୯୩୪ ମସିହାର ବିହାର-ଓଡ଼ିଶା କ୍ୟାଡରର ଆଇସିଏସ ଅଫିସର ଥିଲେ। ସମୟକ୍ରମେ ସେ ଓଡ଼ିଶାର ମୁଖ୍ୟ ସଚିବ ଏବଂ ଭାରତର କ୍ୟାବିନେଟ ସଚିବ ପଦରେ ଆସୀନ ହୋଇଥିଲେ। ତାଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କ ସ୍ମରଣିକା ‘ବିଟର୍ ସ୍ବୀଟ୍- ଗଭର୍ଣ୍ଣାନ୍ସ ଅଫ୍ ଇଣ୍ଡିଆ ଇନ୍ ଟ୍ରାଞ୍ଜିସନ୍’ (ପିତାମିଠା- ପରିବର୍ତ୍ତନ ମୁହଁରେ ଭାରତର ଶାସନ ବ୍ୟବସ୍ଥା) ଏକ ଉପାଦେୟ ପୁସ୍ତକ। ଏ ପ୍ରବନ୍ଧ ପାଇଁ ଆମେ ମୁଖ୍ୟତଃ ଏହି ବହି ଉପରେ ନିର୍ଭର କରିବା।
ପ୍ରବନ୍ଧ ଆରମ୍ଭ କରିବା ଶିବରମଣଙ୍କ ଦୁଇ ଉକ୍ତିରୁ। ବିହାର ଓ ଓଡ଼ିଶାର ତୁଳନା କରି ଶିବରମଣ ଲେଖିଛନ୍ତି, ‘ଜଣେ ବାହାର ଲୋକଙ୍କ ପକ୍ଷରେ ବିହାର ଅଞ୍ଚଳକୁ ବୁଝିବା ସବୁବେଳେ କଠିନ, ଅନ୍ୟ ପକ୍ଷରେ ଓଡ଼ିଶା ସର୍ବଦା ଉଦାର’ (ପୃ-୧୪)। ଓଡ଼ିଶାରେ ବଦଳି ହୋଇ ଆସିବା ପରେ ତାଙ୍କ ଦୁଇ ଝିଅଙ୍କ ପାଠପଢ଼ା ବିଷୟରେ ଶିବରମଣ ଲେଖିଛନ୍ତି, ‘ସେତେବେଳେ (୧୯୪୯)…… ସମ୍ବଲପୁରରେ ବାଳିକା ବିଦ୍ୟାଳୟ ଥିଲା। ହେଲେ ଓଡ଼ିଆ ମିଡିୟମ….. ବଡ଼ ଝିଅକୁ ପ୍ରଧାନ ଶିକ୍ଷୟିତ୍ରୀ ବିେଶଷ ଭାବେ ଇଂରାଜୀ ମିଡିୟମରେ ତାଲିମ ଦେଲେ…. ମୁଁ ତାଙ୍କ ପାଖରେ କୃତଜ୍ଞ। ସାନ ଝିଅ ଓଡ଼ିଆ ମିଡିୟମରେ ପଢ଼ିଲା….’ (ପୃ-୧୦୭)।
ସମ୍ବଲପୁର ସହିତ ଶିବରମଣଙ୍କ ବିଶେଷ ସମ୍ପର୍କ ଥିଲା। ନବକୃଷ୍ଣ ଚୌଧୁରୀ ତାଙ୍କୁ ‘ସମ୍ବଲପୁରର ରାଜା’ କହୁଥିଲେ ( ପୃ-୧୦୯)। ତାଙ୍କର ସମ୍ବଲପୁର ରହଣି କାଳର ଏକ ରୋଚକ ଘଟଣା ବର୍ଣ୍ଣନା କରୁଛୁ। ପ୍ରଥମ ସାଧାରଣ ନିର୍ବାଚନ ସମୟର ଘଟଣା। ସରକାର ନିୟମାବଳୀ ଜାରି କଲେ ଯେ ସରକାରୀ କର୍ମଚାରୀମାନେ ରାଜନେତାମାନେ ଭାଷଣ ଦେଉଥିବା େକୗଣସି ମିଟିଂରେ ଉପସ୍ଥିତ ରହିବେ ନାହିଁ ଅଥବା ରାଜନୈତିକ ଦଳ କର୍ତ୍ତୃକ ଆୟୋଜିତ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ। ପ୍ରଧାନମନ୍ତ୍ରୀ ନେହେରୁ ସମ୍ବଲପୁର ଆସିଲେ। ପ୍ରୋଟୋକଲ ଅନୁସାରେ ଶିବରମଣ ତାଙ୍କୁ ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ବାଗତ ଜଣାଇଲେ କିନ୍ତୁ ସରକାରୀ କଟକଣା ହେତୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆୟୋଜିତ ଜଳଖିଆରେ ଅଂଶଗ୍ରହଣ କଲେ ନାହିଁ। ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ସୁକିନ୍ଦାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିବା ହେତୁ ଶିବରମଣଙ୍କୁ କଡ଼ା ସମାଲୋଚନା କଲେ। ଶିବରମଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚିଠିଲେଖି କାହିଁକି ସେ ପ୍ରଧାନମନ୍ତ୍ରୀଙ୍କ ଜଳଖିଆରେ ଅନୁପସ୍ଥିତ ରହିଲେ ବୁଝାଇଲେ। ବଲାଙ୍ଗିର ଜିଲାପାଳ ରାମକୃଷ୍ଣାୟା ମଧ୍ୟ ମୁଖ୍ୟ ସଚିବଙ୍କୁ ଅନୁରୂପ ଚିଠି ଲେଖିଲେ। ଏଣେ ଖବରକାଗଜରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଦେଖି ନିର୍ବାଚନ ଆୟୁକ୍ତ ନିଜ ତରଫରୁ ଘଟଣାର ତଦନ୍ତ କଲେ। ତଦନ୍ତରୁ ଜଣାପଡ଼ିଲା ଯେ ଶିବରମଣ ସରକାରୀ ଆଦେଶ ପାଳନ କରିଛନ୍ତି ଏବଂ ଜାଣିଶୁଣି ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନ କରି ନାହାନ୍ତି। ପ୍ରାୟ ତିନିମାସ ପରେ ସରକାର ଏକ ପ୍ରେସ୍ ବିଜ୍ଞପ୍ତି ଜାରିକରି ଉକ୍ତ ଅଭିଯୋଗ ପ୍ରତ୍ୟାହାର କଲେ। ଶିବରମଣଙ୍କ ଭାଷାରେ, ‘ଏହା ସ୍ବାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନର ଘଟଣା। ରାଜନୈତିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ନ୍ୟାୟବନ୍ତ ହେବାର ପ୍ରଦର୍ଶନ କରୁଥିଲା। ଆଜିକାଲିର ରାଜନୀତି ଅନ୍ୟ ପ୍ରତି ନ୍ୟାୟ କରିବାରେ ବିଶ୍ବାସ କରେ ନାହିଁ’ (ପୃ-୨୩୭)।
ଆଧୁନିକ ଓଡ଼ିଶା ନିର୍ମାଣରେ ପାରାଦ୍ବୀପ ବନ୍ଦରରଏକ ପ୍ରମୁଖ ଭୂମିକା ଅଛି। ପାରାଦ୍ବୀପ ବନ୍ଦର ତିଆରି ହେବାରେ ବିଜୁ ପଟ୍ଟନାୟକଙ୍କ ଅବଦାନ ବିଷୟରେ ସମସ୍ତେ ଊଣାଅଧିକେ ଜାଣିଛନ୍ତି। ଉକ୍ତ ବହିରେ ‘ପାରାଦ୍ବୀପ’ ଶୀର୍ଷକ ଅନ୍ତର୍ଗତ ଏକ ଅଧ୍ୟାୟ ଅଛି (ପୃ.୨୧୧-୨୨୨)। ବିଜୁବାବୁଙ୍କ ଭୂମିକା ଉପରେ ସବିଶେଷ ଆଲୋଚନା ଅଛି। ତେବେ ଅନ୍ୟ କିଛି ବ୍ୟକ୍ତିଙ୍କ ଅବଦାନ ଉପରେ ବିଶେଷ ଭାବେ ଉଲ୍ଲେଖ କରାହୋଇଛି। କିଛି ଉଦାହରଣ: ଡ.ଏଚ.ବି.ମହାନ୍ତି- ଡ. ମହାନ୍ତି ରେଭେନ୍ସା କଲେଜରେ ଅର୍ଥନୀତି ବିଷୟରେ ଶିକ୍ଷକତା କରୁଥିଲେ। ପରେ ସେ ଯୋଜନା ବିଭାଗରେ ଉପସଚିବ ଭାବେ ଯୋଗଦାନ କଲେ। ସେହି ବିଭାଗରେ ସେ ‘ନଦୀ ଉପତ୍ୟକା ପ୍ରଗତି’ ବିଭାଗରେ ସଚିବ ଆସୀନ ହେଲେ। ସେ ଦୈତାରୀରୁ ଲୁହାପଥର ପାରାଦ୍ବୀପ ବନ୍ଦର ମାଧ୍ୟମରେ ଜାପାନକୁ ରପ୍ତାନି କରାଯିବାର ଏକ ଯୋଜନା ପ୍ରସ୍ତୁତ କଲେ। ଶିବରମଣଙ୍କ ଭାଷାରେ: ଉପଲବ୍ଧ ସମ୍ବଳର ସଦୁପଯୋଗ କରିବାର ବିରଳ ପ୍ରତିଭା ଡ. ମହାନ୍ତି ପ୍ରଦର୍ଶନ କଲେ। ଏହା ଏକ ସହଜ ଚିନ୍ତା (କନ୍ସେପ୍ଟ) ଥିଲା; କିନ୍ତୁ ଏଥିପାଇଁ ଅତି ଉଚ୍ଚକୋଟୀର ଯୋଜନା ତିଆରିର ଦକ୍ଷତାର ଆବଶ୍ୟକତା ଥିଲା’(ପୃ.୨୧୧)। ଏହି ଅଧ୍ୟାୟରେ ପାରାଦ୍ବୀପ ବନ୍ଦର ତିଆରିରେ ଡ. ମହାନ୍ତିଙ୍କ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ବିଷୟରେ ଜଣାପଡ଼େ। ଅନ୍ୟ ଜଣେ ବ୍ୟକ୍ତି ହେଲେ କେ ଶ୍ରନିବାସନ୍। ସେ ସମୟରେ ସେ ମାଡ୍ରାସ ପ୍ରଦେଶରେ ସୁପରିନ୍ଟେଣ୍ଡିଙ୍ଗ ଇଞ୍ଜିନିୟ ଥିଲେ। ବହୁ କଷ୍ଟରେ ତାଙ୍କୁ ଓଡ଼ିଶା ଅଣାଗଲା। ସେ ପାରାଦ୍ବୀପ ବନ୍ଦର ତିଆରିର ମୁଖ୍ୟଯନ୍ତ୍ରୀ ଥିଲେ। ଆଉ ଜଣେ ବ୍ୟକ୍ତି ହେଲେ ଓଡ଼ିଶାର ଅର୍ଥ ସଚିବ ରାମକୃଷ୍ଣାୟା। ପାରାଦ୍ବୀପ ବନ୍ଦର ଯୋଜନା କମିସନ ଅନୁମୋଦନ କରି ନଥିଲେ। ସେ ପଞ୍ଚବର୍ଷୀୟ ଯୋଜନାରେ ହଳଦିଆ ବନ୍ଦର ଅନୁମୋଦନ ଲାଭ କରିଥିଲା। ଏଣୁ ପାରାଦ୍ବୀପ ବନ୍ଦର ପାଇଁ ରାଜ୍ୟ ନିଜ ତରଫରୁ ପାଣ୍ଠି ସଂଗ୍ରହ କରିଥିଲା। ଏହି ପ୍ରକ୍ରିୟାର ଅନ୍ୟତମ କ୍ଷେତ୍ର ଥିଲା ପୁଞ୍ଜି ବଜାରରେ ପ୍ରବେଶ କରି ଅର୍ଥ ସଂଗ୍ରହ। ରାମକୃଷ୍ଣାୟାଙ୍କ ନେତୃତ୍ବରେ ଓଡ଼ିଶା ୧୯୫୭ ମସିହାରେ ପ୍ରଥମଥର ପାଇଁ ପୁଞ୍ଜି ବଜାରରେ ପ୍ରବେଶ କରି ଅର୍ଥ ସଂଗ୍ରହ କରିଥିଲା। ଏମିତି ଅନେକ ଚରିତ୍ର, ଅନେକ କାହାଣୀ। ଶିବରମଣଙ୍କ ନିଜସ୍ବ ଭୂମିକା ମଧ୍ୟ ଅନବଦ୍ୟ।
ଏହି ବହିରେ ‘ମାଇଁ ରିଲେସନ୍ସ ୱିଥ୍ ଓଡ଼ିଶା ପଲିଟିସିଆନ୍ସ’ (ଓଡ଼ିଶା ରାଜନେତାଙ୍କ ସହିତ ମୋର ସମ୍ପର୍କ) ଶୀର୍ଷକ ଅନ୍ତର୍ଗତ ଏକ ଅଧ୍ୟାୟ ଅଛି। ଏଥିରେ ଅନେକ ରାଜନେତାଙ୍କ ବିଷୟରେ ବିଭିନ୍ନ ଘଟଣା ସବୁର ଉଲ୍ଲେଖ ଅଛି (ପୃ.୨୩୧-୨୬୭)। କିଛି ଉଦାହରଣ: (୧) ଆସେମ୍ଳି ସଭାରେ ଥରେ ମହତାବ ଆଇସିଏସ୍ ଅଫିସରମାନଙ୍କ ପରିଶ୍ରମ ଏବଂ ସତ୍ୟନିଷ୍ଠା ଯୋଗୁଁ ତାଙ୍କୁ ପ୍ରଶଂସା କରିଥିଲେ। ଆମର ନାମ ଉଲ୍ଲେଖ କରା ହୋଇଥିଲା। ମାର୍ଚ୍ଚ ୧୯୪୮ରେ ମୋର ପିତାଙ୍କ ଦେହାନ୍ତ ପରେ ମୁଁ ମାଡ୍ରାସ ଯାଇଥାଏ। ମୁଁ ଗୋଟିଏ ଟେଲିଗ୍ରାମ ପାଇଲି ଯେ କ୍ୟାବିନେଟ୍ ମୋ ଉଦ୍ଦେଶ୍ୟରେ ଏକ ଶୋକ ପ୍ରସ୍ତାବ ଗ୍ରହଣ କରିଛନ୍ତି’ (ପୃ.୨୩୨)। (୨) ୧୯୬୧ରେ କଂଗ୍ରେସ ହାଇକମାଣ୍ଡ ବିଜୁ ପଟ୍ଟନାୟକଙ୍କୁ କଂଗ୍ରେସ ତରଫରୁ ନିର୍ବାଚନ ପରିଚାଳନା କରିବାର ଦାୟିତ୍ବ ପ୍ରଦାନ କଲେ। ସେ ନିଜର ସମ୍ପତ୍ତି ବନ୍ଧକ ରଖି ଗଣତନ୍ତ୍ର ପରିଷଦର ସମକକ୍ଷ ପାଣ୍ଠି ସଂଗ୍ରହ କଲେ ଏବଂ କଂଗ୍ରେସ ଦଳ ବିପୁଳ ତବିଜୟ ଲାଭ କଲା। (ପୃ.୨୫୬)। ବିଜୁବାବୁ ମୁଖ୍ୟମନ୍ତ୍ରୀ ହେଲେ। ଇତ୍ୟାଦି।
ଉପସଂହାରକୁ ଆସିବା। ସ୍ବାଧୀନତା ପ୍ରାପ୍ତିର ଅସ୍ଥିର ସମୟରେ ତତ୍କାଳୀନ ସରକାର ଆଇସିଏସ ଅଫିସରମାନଙ୍କୁ ସୁରକ୍ଷାପ୍ରଦାନ ପାଇଁ ବ୍ରିଟିଶ୍ ଅଫିସରମାନଙ୍କୁ ଇଂଲଣ୍ଡ ଫେରିଯିବାକୁ ଏବଂ ସବୁ ଆଇସିଏସ ଅଫିସରମାନଙ୍କୁ ଇଚ୍ଛାଧୀନ ଭାବେ ଅବସର ଗ୍ରହଣ କରିବାରେ ପ୍ରସ୍ତାବ ରଖିଲେ। ଏଥିପାଇଁ ଅଫିସରମାନଙ୍କୁ ଯଥେଷ୍ଟ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କଲେ। ସର୍ଦ୍ଦାର ପଟେଲ କିନ୍ତୁ ଆଇସିଏସ୍ ଅଫିସରମାନଙ୍କୁ ଅବସର ଗ୍ରହଣ ନକରିବାକୁ ଅନୁରୋଧ କଲେ ଏବଂ ଆଶ୍ବାସନା ଦେଲେ ଯେ ସିଭିଲ ସର୍ଭିସ୍ର ସ୍ବାୟତ୍ତତା ବଜାୟ ରହିବ ଏବଂ ଅଫିସରମାନେ ମୁକ୍ତ ଭାବେ ତଥା ନିର୍ଭୟରେ ତାଙ୍କ ମତ ରଖିପାରିବେ। ଶିବରମଣଙ୍କ ଭଳି ଅଫିସରମାନେ ଏହି କାରଣ ଯୋଗୁଁ ସେବାରତ ରହିଲେ (ପୃ.୨୩୨)। ଆଇସିଏସ ବ୍ୟବସ୍ଥାରେ ଆଇସିଏସ ଅଫିସରମାନଙ୍କ ବ୍ୟାପକ ପରିଧି ଥିଲା। ପ୍ରଶାସନ, ନ୍ୟାୟପାଳିକା, ପୁଲିସ, ଶିକ୍ଷା ସବୁଥିରେ ଆଇସିଏସ। ସ୍ବାଧୀନ ଭାରତରେ ସମ୍ବିଧାନ ପ୍ରଣୟନ ସମୟରେ ଆଇଏଏସ/ଆଇପିଏସ ନାମକ ଦୁଇ ସର୍ବଭାରତୀୟ ସେବା ସୃଷ୍ଟି କରାଗଲା। ଏମାନଙ୍କ କେନ୍ଦ୍ରୀୟ କ୍ୟାଡର୍ ନାହିଁ। ସବୁତକ ରାଜ୍ୟ କ୍ୟାଡର ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ଅଧୀନକୁ କେବଳ ଡେପୁଟେସନରେ ଯାଇହେବ। ଭାରତର ସଂଘୀୟ ଢାଞ୍ଚାକୁ ଧରି ରଖିବାରେ ଏହି ସେବାମାନଙ୍କ ଏକ ପ୍ରମୁଖ ଭୂମିକା ଅଛି। ଜଣେ ଓଡ଼ିଆ ଅଫିସର୍ ତାମିଲନାଡୁରେ ମୁଖ୍ୟ ସଚିବ ହୋଇ ପାରିବେ। ତାମିଲନାଡ଼ୁର ପ୍ରଗତିରେ ଅଂଶ ଗ୍ରହଣ କରିବେ। ସେହିପରି ତାମିଲନାଡ଼ୁ ବା ପଞ୍ଜାବର ଅଫିସର ଓଡ଼ିଶା କ୍ୟାଡରରେ ଅବସ୍ଥାପିତ ହୋଇ ଓଡ଼ିଶାର ପ୍ରଗତି ପାଇଁ ଚେଷ୍ଟା କରିବେ। ଏହା ହିଁ ହେଲା ଦେଶର ସିଭିଲ ସର୍ଭିସ୍ ବ୍ୟବସ୍ଥା। ରାଜନେତା ଏବଂ ସିଭିଲ ସର୍ଭାଣ୍ଟମାନଙ୍କ ମଧ୍ୟରେ ମର୍ଯ୍ୟାଦାର ସୀମା ରହିବା ବିଧେୟ। ଉଭୟ ପରସ୍ପରର ପରିପୂରକ। ସିଭିଲ ସର୍ଭାଣ୍ଟମାନେ ରାଜନୀତିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। ରାଜନେତାମାନେ ସିଭିଲ ସର୍ଭିସ୍ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ। ରାଜ୍ୟ ଏବଂ ଦେଶର ହିତରେ ଉଭୟ ନିଜ ସୀମା ଭିତରେ ରହି କାମ କରିବା ଉଚିତ। ତାମିଲ ଆଇସିଏସ ଅଫିସର ଶିବରମଣ ଏକ ଆଦର୍ଶ ଉଦାହରଣ ଏବଂ ‘ବିଟର ସ୍ବୀଟ’ ଏକ ପଥ ପ୍ରଦର୍ଶନକାରୀ ପୁସ୍ତକ।
Comments are closed.