ସରିଯାଉଛି କ୍ରୋମାଇଟ,  ଶ୍ରୀହୀନ ହେଉଛି ସୁକିନ୍ଦା ଖଣି ଉପତ୍ୟକା

ଲକ୍ଷାଧିକ ହରାଇବେ ଜୀବିକା, କଞ୍ଚାମାଲ ଅଭାବରୁ ଶିଳ୍ପରେ ପଡ଼ିବ ତାଲା

ଯାଜପୁର: ରତ୍ନଗର୍ଭା ସୁକିନ୍ଦା ଖଣିଜ ସମ୍ପଦ କ୍ରୋମାଇଟ ପାଇଁ ପୃଥିବୀ ପ୍ରସିଦ୍ଧ। ଏସିଆ ମହାଦେଶର ସର୍ବ ବୃହତ କ୍ରୋମାଇଟ ଖଣି ରହିଛି ଯାଜପୁର ଜିଲାର ସୁକିନ୍ଦା ଅଞ୍ଚଳରେ। ସ୍ୱାଧୀନତା ପୂର୍ବରୁ ଆଜିପର୍ଯ୍ୟନ୍ତ ଏଠାରୁ ଚାଲିଛି କ୍ରୋମାଇଟ ଉତ୍ତୋଳନ। ବହୁ ଦେଶୀ-ବିଦେଶୀ କମ୍ପାନୀ ଏଠାରୁ କ୍ରୋମାଇଟ ଉତ୍ତୋଳନ କରିଚାଲିଛନ୍ତି। ଯେଉଁଭଳିଭାବେ କ୍ରୋମାଇଟ ଉତ୍ତୋଳନ ହେଉଛି କିଛିବର୍ଷ ପରେ ସୁକିନ୍ଦା ଉପତ୍ୟକାରେ ଏହି ଧାତବ କ୍ରୋମାଇଟ ଖଣିର ଶେଷ ହୋଇଯିବ। ସଂପ୍ରତି କ୍ରୋମାଇଟ ଅଭାବରୁ ଏବଂ ବିଭିନ୍ନ କାରଣରୁ କମର୍ଦ୍ଦା ବିସି ମହାନ୍ତି ଏଣ୍ଡ ସନ୍ସ, ଫେକର କଳରଙ୍ଗିଅଟା, ଫେକର କାଠପାଳ, ଆଇଡିସି ତୈଳଙ୍ଗି, ଇମ୍ଫା ଚିଙ୍ଗୁଡିପାଳ, ମିଶ୍ରିଲାଲ ସରୁଆବିଲ, ଆଇଡିସି ସୁକୁରୁଙ୍ଗି ଇତ୍ୟାଦି ଖଣି ସବୁ ବନ୍ଦ ପଡିଛି। ଏଥି ସହିତ  ବନ୍ୟଜନ୍ତୁ ବିଚରଣ ସ୍ଥାନ ଦର୍ଶାଇ କଳରଙ୍ଗିଅଟାର ୨ଟି ଖଣିକୁ ବନ୍ଦ କରି ଦିଆଯାଇଛି। ଯେଉଁ କେତୋଟି ଖଣି ଚାଲିଛି ସେଗୁଡିକରେ ମଧ୍ୟ ନିକଟ ଭବିଷ୍ୟତରେ ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ସରି ଆସୁଥିବା କ୍ରୋମାଇଟ ଓ ଏହାର ଦର କ୍ରମଶଃ ଆକାଶଛୁଆଁ ହେଉଥିବା ନେଇ ଆଜିଠୁ ପ୍ରମାଦ ଗଣିଲେଣି  କଳିଙ୍ଗନଗର ଶିଳ୍ପ ସଂସ୍ଥା ସମୂହ। ଏସିଆ ମହାଦେଶର  ଭାରତରେ  ଥିବା କ୍ରୋମାଇଟର ୯୮ ଭାଗ ରହିଛି ଓଡ଼ିଶାର ସୁକିନ୍ଦାରେ ଯାହାର ପରିମାଣ  ସର୍ବାଧିକ ପ୍ରାୟ ୧୭୩ ନିୟୁତ ଟନ ବୋଲି ସରକାରୀ ଭାବେ ଆକଳନ କରାଯାଇଛି। ସୁକିନ୍ଦା ଖଣି ଅଞ୍ଚଳର ମହାଗିରୀ ପର୍ବତମାଳା ଚତୁଃପାର୍ଶ୍ୱରେ ଓଡ଼ିଶା ଖଣିନିଗମ, ଟାଟାଷ୍ଟିଲ, ଜିନ୍ଦଲ ଇସ୍ପାତ, ଫେକର, ମିଶ୍ରିଲାଲ, ଆଇଡ଼ିସି, ବିସି ମହାନ୍ତି ଏଣ୍ଡ ସନ, ଇମ୍ଫା ଆଦି ଦେଶର ବହୁ ନାମି କମ୍ପାନୀ ନିଜର ଲିଜ ଖଣିରୁ ଉତ୍ତୋଳନ ଜାରି ରଖିଛନ୍ତି। ପୂର୍ବରୁ କ୍ରୋମାଇଟ ଧାତୁ ପଥର ଉତ୍ତୋଳନ ଓ ବିପଣନକୁ ନେଇ ସରକାରଙ୍କ ସେତେଟା ନୀତିନିୟମ ନଥିଲା।

ଫଳରେ କେତେକ ଖଣି ଅଧିକାରୀଙ୍କ ସହଯୋଗରେ ସମ୍ପୃକ୍ତ କମ୍ପାନୀ ମାଲିକ ଦିନରାତି ଏହି ମୂଲ୍ୟବାନ ଖଣିଜ ସମ୍ପଦ ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଶାହା କମିସନ ତଦନ୍ତରେ ଖଣି ଲୁଟ ପ୍ରମାଣିତ ହେବା ପରେ ଖଣି କମ୍ପାନୀଗୁଡିକ ନାମରେ ଜୋରିମାନା ଆଦାୟ କରିବାକୁ ନିର୍ଦେଶ ହୋଇଥିଲା। ଉକ୍ତ ଜୋରିମାନା ଅର୍ଥରୁ ଓଏମବିଏଡିସି ପାଣ୍ଠି ତିଆରି ହୋଇଛି। ଖଣି କମ୍ପାନୀଗୁଡ଼ିକୁ କ୍ୟାପଟିଭ ଓ ନନକ୍ୟାପଟିଭରେ ବଣ୍ଟନ କରି ଉତ୍ତୋଳନ କରିବାକୁ ମଞ୍ଜୁର ହୋଇଛି।  ତେବେ ଅତୀତରେ ଖଣି ଖୋଳିବାକୁ ହଜାର ହଜାର ଲୋକ ନିଯୁକ୍ତି ପାଇଥିବାବେଳେ ଧୀରେ ଧୀରେ ଖଣି କାର୍ଯ୍ୟରେ ମେସିନ ଲଗାଇ କାର୍ଯ୍ୟରତ  ଲୋକଙ୍କୁ ବିଭିନ୍ନ ବାହାନା କରି ଛଟେଇ କରାଯାଇଛି। ଅନେକ ମଧ୍ୟ ଭୂତଳ ଖଣି  ଖୋଳିବା କାର୍ଯ୍ୟ ଆରମ୍ଭ କରିଦେଲେଣି। ଓସ୍ତପାଳ ଫେକର ଖଣି, ଓଏମସି ଦକ୍ଷିଣ  କାଳିଆପାଣି, ବାଲେଶ୍ୱର ଆଲୋଏଜ କାଳିଆପାଣି ଖଣି, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ କାଳିଆପାଣି, ଟାଟା ଷ୍ଟିଲ ସୁକିନ୍ଦା ଓ କମର୍ଦ୍ଦା ଖଣି କାର୍ଯ୍ୟକ୍ଷମ ହେଉଥିଲେ ହେଁ ଆବଶ୍ୟକ ପରିମାଣର କଞ୍ଚାମାଲ ଉତ୍ତୋଳନ ହେଉ ନଥିବା ସୂଚନା ମିଳିଛି। ଏହା ଦ୍ୱାରା ସ୍ପଷ୍ଟ ଅନୁମେୟ ହେଉଛି ଯେ ଆସନ୍ତା ୨୦ରୁ ୨୫ ବର୍ଷ ଭିତରେ ସୁକିନ୍ଦା ଅଞ୍ଚଳରୁ କ୍ରୋମାଇଟ ଶେଷ ହୋଇଯିବ। ଯାହାର ସିଧାସଳଖ ପ୍ରଭାବ କଳିଙ୍ଗନଗର ଅଞ୍ଚଳରେ ଗଢିଉଠିଥିବା ଇସ୍ପାତ କାରଖାନା ଉପରେ ପଡ଼ିବ। ଏହା  ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍ଷ ଲକ୍ଷ  କର୍ମଚାରୀ ଓ ଶ୍ରମିକଙ୍କ ଜୀବିକାକୁ  ପ୍ରଭାବିତ କରିବ।  ଓଡ଼ିଶା ଖଣି ନିଗମର କଲରଙ୍ଗୀ ଖଣି ୧୯୯୭ରୁ ବନ୍ଦ ପଡ଼ିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଦୃଷ୍ଟିରୁ ଏହାକୁ ବନ୍ଦ କରାଯାଇଥିବା ଜଣାପଡିଥିବାବେଳେ ବାସ୍ତବରେ ଦୁଇ ଖଣି ସଂଗଠନ ମଧ୍ୟରେ ଉପୁଜିଥିବା ତିକ୍ତତା କାରଣରୁ ଏହାକୁ ବନ୍ଦ କରାଯାଇଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷେ ଘନ ଜଙ୍ଗଲ ଏବଂ ବନ୍ୟଜନ୍ତୁ ଥିବା ଖଣି ଗୁଡିକରେ ବ୍ୟାପକ ଗଛ କାଟି ଉତ୍ତୋଳନ ହେଉଥିବା ମଧ୍ୟ  ଅଭିଯୋଗ ହେଉଛି। ଫଳରେ କଳରଙ୍ଗିଅଟା ଖଣିରେ  କାର୍ଯ୍ୟକରି ପରିବାର ପୋଷୁଥିବା ୮ ଶହରୁ ଊର୍ଦ୍ଧ୍ୱ ପରିବାର ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି।  ସେବେଠାରୁ ଉକ୍ତ ଖଣି ଶ୍ରମିକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି। ଅଞ୍ଚଳର ପ୍ରାକୃତିକ ଖଣିଜ  ସମ୍ପଦ ଉତ୍ତୋଳନ କରିବାରେ ଶିଳ୍ପପତିମାନେ ଲାଗି ପଡିଥିବାବେଳେ ଯାଜପୁର ଜିଲାର  ସର୍ବାଙ୍ଗୀନ ଉନ୍ନତି ଓ ଶ୍ରମିକଙ୍କ ଜୀବିକା ପାଇଁ ଖଣି ଉତ୍ତୋଳନରେ ସାଧୁତା ଜରୁରୀ ବୋଲି ଖଣି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ସୁକିନ୍ଦାର ଭୀମଟାଙ୍ଗରରେ ୯୮ ନିୟୁତ ଟନ କ୍ରେମାଇଟ ଗଚ୍ଛିତ ଥିବାବେଳେ କମର୍ଦ୍ଦାରେ ୨ ନିୟୁତ ଟନ, ସାରୁଆବିଲରେ ୯ ନିୟୁତ ଟନ, ଶୁକୁରଙ୍ଗିରେ ୭.୫୦ ନିୟୁତ ଟନ, କାଳିଆପାଣିରେ ୨୫ ନିୟୁତ ଟନ, କଳରଙ୍ଗିରେ ୦.୫୦ ନିୟୁତ ଟନ ଏବଂ ଚିଙ୍ଗୁଡିପାଳରେ୧୩ ନିୟୁତ ଟନ କ୍ରୋମାଇଟ ଗଚ୍ଛିତ ଥିବା ସରକାରୀ ସୂତ୍ରରୁ ଜଣାପଡିଛି। ୧୯୪୬ରୁ ସୁକିନ୍ଦା ଉପତ୍ୟକାରେ ଖଣି ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କୁହାଯାଇଛି କିନ୍ତୁ ଏହି ସମଗ୍ର ଅଞ୍ଚଳରୁ ଆଜି ପର୍ଯ୍ୟନ୍ତ କେତେ ପରିମାଣର କ୍ରୋମାଇଟ ଉତ୍ତୋଳନ ସରିଛି ତାହାର ପ୍ରକୃତ ତଥ୍ୟ କାହା ପାଖରେ ନାହିଁ। ଉତ୍ତୋଳନ ପରେ କେତେ ବଳକା ରହିଛି ତାର ମଧ୍ୟ ସଠିକ ହିସାବ ନାହିଁ। ସେହି ସମୟରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ସଲାସୁତୁରା କରି ମାଫିଆମାନେ ହଜାର ହଜାର କୋଟି ଟଙ୍କାର କ୍ରେମାଇଟ ଲୁଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଲୁଟ୍‌ କ୍ରୋମାଇଟର ପରିମାଣ ଓ ତାର ମୂଲ୍ୟ ଜାଣିବା ସରକାରଙ୍କ ପକ୍ଷରେ କାଠିକର ପାଠ ହୋଇଛି।

ଏଭଳିସ୍ଥିତିରେ ଖଣି କ୍ରୋମ ଉତ୍ତୋଳନକୁ ସରକାର ସୁନିୟନ୍ତ୍ରିତ କରିବା ସହିତ ସ୍ୱଚ୍ଛତା ଆଣିବାକୁ ନୂତନ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି  ନଚେତ ସୁକିନ୍ଦା କ୍ରୋମଜୋନର ଖଣି ଉପତ୍ୟକାର ଅକାଳ ମୃତ୍ୟୁ ସହିତ ରତ୍ନଗର୍ଭା ସୁକିନ୍ଦା ଏକ ମରୁଭୂମୀ ପାଲଟି ଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ସମ୍ପତ୍ତି ୭୦% କମିଲା

Comments are closed.