www.samajalive.in
Sunday, December 7, 2025
26.1 C
Bhubaneswar

୭୨ ବର୍ଷ ପରେ ପୁନଃମିଳନ: ଚଳଚ୍ଚିତ୍ରଠାରୁ କମ୍‍ ନୁହେଁ କାହାଣୀ

ଥିରୁଭାନନ୍ଥପୁରମ୍‍: କୌଣସି ସାମାଜିକ ଓ ପାରିବାରିକ ଧର୍ମୀ ସିନେମାର କଥାବସ୍ତୁଠାରୁ କମ୍‍ ନୁହେଁ ଏମାନଙ୍କ ଜୀବନରେ ଘଟିଯାଇଥିବା ବାସ୍ତବତା। ବିଚ୍ଛେଦ, ଅଭିମାନ ଓ ତା ପରେ ପୁନଃମିଳନ। କେବେ ଦୁଃଖ ତ କେବେ ଖୁସି। ଦୀର୍ଘ ୭୨ ବର୍ଷ ପରେ ପୁଣି ଥରେ ସେମାନେ ମିଶିଛନ୍ତି। ମିଳନର ନିରବତା କରଛି ଅନେକ ପ୍ରଶ୍ନ। ଆଖିର ଲୁହରେ ମିଳିଛି ସେ ସବୁର ଉତ୍ତର। ଏଭଳି ଭାବାବେଗ ଓ ଆନନ୍ଦମୟ ଘଟଣା ଘଟିଛି କେରଳରେ।
କାହାଣୀର ଆରମ୍ଭ ହୁଏ କେରଳର କାଭୁମ୍ବାଇରେ ଜନ୍ମିତ ଇ କେ ନାରାୟଣନ୍‍ ନାମ୍ବିଆରଙ୍କୁ ନେଇ। ୧୭ ବର୍ଷ ବୟସରେ ୧୩ ବର୍ଷର କନ୍ୟା ଶାରଦାଙ୍କୁ ବିବାହ କରିଥିଲେ ନାରାୟଣ। ବିବାହର ୧୦ ମାସ ପରେ ୧୯୪୬ରେ କାଭୁମ୍ବାଇରେ ଆରମ୍ଭ ହେଲା କୃଷକ ଆନ୍ଦୋଳନ। ଆନ୍ଦୋଳକୁ ଦମନ କରିବା ପାଇଁ ପୁଲିସ କଠୋର ପଦକ୍ଷେପ ନେଲା। ପୁଲିସ ଗୁଳିରେ ୫ ଜଣ କୃଷକଙ୍କ ମୃତ୍ୟୁ ଘଟିଲା। କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ନାରାୟଣ ଓ ତାଙ୍କ ପିତା ଟି ରମଣ ନାମ୍ବିଆର ପୁଲିସ ଗୁଳିରୁ ବଞ୍ଚିବା ପାଇଁ ଆତ୍ମଗୋପନ କରିଥିଲେ। ସେମାନଙ୍କୁ ଧରିବା ପାଇଁ ମାଲବାର ସ୍ପେଶାଲ୍‍ ପୁଲିସ ବାରମ୍ବାର ହଇରାଣ କରୁଥିବାରୁ ଶାରଦାଙ୍କୁ ତାଙ୍କ ବାପା ଘରକୁ ପଠାଇ ଦିଆଯାଇଥିଲା। ନାରାୟଣନ୍‍ ଓ ତାଙ୍କ ବାପାଙ୍କୁ ଖୋଜି ନ ପାଇବା ପରେ ପୁଲିସ ତାଙ୍କ ଘରକୁ ଜଳାଇ ଦେଇଥିଲା। ଅବଶ୍ୟ ଏହି ଘଟଣାର ଦୁଇ ମାସ ପରେ ନାରାୟଣ ଓ ତାଙ୍କ ବାପା ପୁଲିସ ହାତରେ ଧରାପଡ଼ି ଜେଲ୍‍ ଯାଇଥିଲେ। ଜେଲ୍‍ ଭିତରେ ନାରାୟଣ ଓ ତାଙ୍କ ବାପାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ୧୯୫୦ ଫେବୃଆରୀ ୧୧ରେ ନାରାୟଣଙ୍କ ପିତା ରମଣଙ୍କୁ ପୁଲିସ ଜେଲ୍‍ ଭିତରେ ହତ୍ୟା କରିଥିବା ଅଭିଯୋଗ ଆସିଥିଲା। ରମଣଙ୍କ ମୃତ୍ୟୁ ପରେ କୃଷକ ବିଦ୍ରୋହର ନେତା ଭାବରେ ନାରାୟଣ ହିଁ ବଞ୍ଚି ରହିଥିଲେ। ତେଣୁ ପୁଲିସର କ୍ରୋଧ ନାରାୟଣଙ୍କ ଉପରେ ପଡ଼ିଥିଲା। ବିଭିନ୍ନ ଜେଲ୍‍ରେ ୮ ବର୍ଷ କଟାଇବା ପରେ ନାରାୟଣଙ୍କୁ ଜେଲ୍‍ରୁ ମୁକ୍ତି ମିଳିଲା। ଜେଲ୍‍ରେ ଥିବା ବେଳେ ନାରାୟଣଙ୍କ ଶରୀରର ୨୨ଟି ଅଂଶକୁ ପୁଲିସ ଗୁଳି କରିଥିଲା। ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ତିନିଟି ତାଙ୍କ ଶରୀରରୁ ବାହାର କରାଯାଇପାରିନାହିଁ।
ନାରାୟଣ ଜେଲ୍‍ରୁ ମୁକ୍ତ ହେବାର ଆଶା ମଉଳି ଯାଇଥିଲା। ତେଣୁ କିଛି ବର୍ଷ ପରେ ଶାରଦାଙ୍କ ବିବାହ ଅନ୍ୟ ଜଣେ ଯୁବକଙ୍କ ସହିତ କରି ଦିଆଗଲା। ୧୯୫୭ରେ ଜେଲ୍‍ରୁ ଫେରିବା ବେଳକୁ ନାରାୟଣନ୍‍ ଶାରଦାଙ୍କୁ ହରାଇ ସାରିଥିଲେ। ତେଣୁ ସେ ବାଧ୍ୟବାଧକତାରେ ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ କରିଥିଲେ।
ଇତିମଧ୍ୟରେ ବହୁ ବର୍ଷ ବିତି ଯାଇଥିଲା। ଶାରଦାଙ୍କ ସ୍ୱାମୀଙ୍କର ୨୦ ବର୍ଷ ତଳୁ ଓ ନାରାୟଣଙ୍କ ପତ୍ନୀଙ୍କର ୯ ବର୍ଷ ତଳୁ ମୃତ୍ୟୁ ହୋଇସାରିଥିଲା। ସଂଯୋଗକ୍ରମେ ଶାରଦାଙ୍କ ପୁଅ ଭାର୍ଗବନ୍‍ଙ୍କ ସହିତ ନାରାୟଣଙ୍କ ଜଣେ ସମ୍ପର୍କୀୟଙ୍କ ସାକ୍ଷାତ ହେଲା। କଥାବାର୍ତ୍ତା ଅବସରରେ ଉଭୟେ ଉଭୟଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଥିଲା। ଏହାପରେ ଉତ୍ତର ପିଢ଼ିଙ୍କ ପ୍ରୟାସରେ ଶାରଦା ଓ ନାରାୟଣଙ୍କ ପୁନଃମିଳନର ପ୍ରୟାସ ଆରମ୍ଭ ହେଲା।
ଯୋଜନା ଅନୁଯାୟୀ ପାରାସିନିକାଡାଭୁଠାରେ ଭାର୍ଗବନ୍‍୍‍ଙ୍କ ଘରେ ରହୁଥିବା ୮୯ ବର୍ଷ ବୟସ୍କ ଶାରଦାଙ୍କୁ ଭେଟବାକୁ ଆସିଥିଲେ ୯୩ ବର୍ଷ ବୟସ୍କ ନାରାୟଣନ୍‍।
ନାରାୟଣଙ୍କୁ ଭେଟିବା ପାଇଁ ପ୍ରଥମେ ଶାରଦା ରାଜି ନଥିଲେ। ବହୁ ବୁଝାଶୁଝା କରିବା ପରେ ପୁନଃମିଳନ ପାଇଁ ଶାରଦା ରାଜି ହୋଇଥିଲେ। ଉଭୟଙ୍କୁ ଦୀର୍ଘ ସମୟ ପାଇଁ ଏକୁଟିଆ ଛାଡ଼ି ଦିଆଯାଇଥିଲା। ଦୁହେଁ ଦୁହିଁଙ୍କୁ କେବଳ ଚାହିଁ ରହିଥିଲେ। ଘଟଣା ପାଇଁ କିଏ ଦାୟୀ ତାହା ନିରବରେ ଜଣେ ଅନ୍ୟ ଜଣଙ୍କୁ ପ୍ରଶ୍ନ କରି ଚାଲିଥିଲେ। ପୁଣି ଉତ୍ତର ମିଳୁଥିଲା ଦୁହିଁଙ୍କ ଲୁହରୁ। ଶେଷରେ ଶାରଦାଙ୍କ କ୍ଷୀଣ ସ୍ୱର ଶୁଣାଯାଉଥିଲା ‘ମୁଁ ତାଙ୍କୁ ଦୋଷ ଦେଉନାହିଁ।’ ନାରାୟଣଙ୍କ ନାତୁଣୀ ଶାନ୍ତା କାଭୁମ୍ବାଇ ‘ଡିସେମ୍ବର ୩୦’ ନାମରେ ଏହାକୁ ନେଇ ଏକ ଉପନ୍ୟାସ ରଚନା କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories