‘କଳ୍କି ୨୮୯୮ ଏଡି’: ଚର୍ଚ୍ଚାରେ ପ୍ରଭାସଙ୍କ ୩ ଚକିଆ ସୁପର କାର୍‌ ‘ବୁଜ୍ଜି’, ଭିଡିଓ ଭାଇରାଲ୍‌

ମୁମ୍ବଇ: ବାହୁବଳି ଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦର୍ଶକ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଲୋକ ଏବେ ଏହି ଚଳଚ୍ଚିତ୍ର ପାଇଁ ଯେତିକି ଉତ୍ସାହିତ ତା’ଠାରୁ ଅଧିକ ଉତ୍ସାହିତ ସେଥିରେ ପ୍ରଦର୍ଶିତ ସୁପର କାର୍‌କୁ ନେଇ। ଫିଲ୍ମରେ ଏହି କାରର ନାମ ‘କଳ୍କି’ ରଖାଯାଇଛି। ଫିଲ୍ମ ‘କଳ୍କି’ରେ ଦର୍ଶକ ଏଭଳି ଏକ କାର୍ ଦେଖିବାକୁ ପାଇବେ ଯାହା କୌଣସି ସୁପରହିରୋ କାର୍‌ଠାରୁ କମ୍ ନୁହେଁ। ଚଳଚ୍ଚିତ୍ରରେ ପ୍ରଭାସ ‘ବୁଜ୍ଜି’ ନାମକ ଏହି କାର୍‌କୁ ଚଲାଉଥିବା ଦେଖିବାକୁ ମିଳିବ। ନିକଟରେ ‘ବୁଜ୍ଜି’ କାରର ଲୁକ୍ ସାମ୍ନାକୁ ଆସିଛି। କାରର ଲୁକ୍ ସାମ୍ନାକୁ ଆସିବା ମାତ୍ରେ ଏହା ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହୋଇଛି।

ନିକଟରେ ଫିଲ୍ମ ‘କଳ୍କି’ର ନିର୍ମାତା ହାଇଦ୍ରାବାଦରେ ଏକ ବଡ ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଫିଲ୍ମର ମୁଖ୍ୟ ଅଭିନେତା ପ୍ରଭାସ ତାଙ୍କ ଦମ୍‌ଦାର ଚରିତ୍ର ‘ଭୈରବ’ ରୂପରେ ପ୍ରଥମ ଥର ପାଇଁ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। କିନ୍ତୁ ଲୋକଙ୍କ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା ତାଙ୍କ କାର୍‌। ଏହି କାର୍ଯ୍ୟକ୍ରମରେ ଫିଲ୍ମରେ ପ୍ରଦର୍ଶିତ ପ୍ରଭାସଙ୍କ କାର୍ ‘ବୁଜ୍ଜି’କୁ ମଧ୍ୟ ପ୍ରଥମ ଥର ପାଇଁ ଦର୍ଶକଙ୍କ ସାମ୍ନାକୁ ଅଣାଯାଇଥିଲା। ପ୍ରଭାସଙ୍କ ଏଣ୍ଟ୍ରିଠାରୁ ତାଙ୍କ କାର ‘ବୁଜ୍ଜି’ ଦର୍ଶକଙ୍କ ଅଧିକ ମନେ ମୋହିଥିଲା।


‘ବୁଜ୍ଜି’ର ଷ୍ଟାଇଲିସ୍ ଏବଂ ଅତ୍ୟାଧୁନିକ ଡିଜାଇନ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ଏକ କଷ୍ଟୋମାଇଜ୍ କାର୍ ଏବଂ ଏହାକୁ କେବଳ ଏହି ଚଳଚ୍ଚିତ୍ର ପାଇଁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ‘କଳ୍କି ୨୮୯୮ ଏଡି’ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା ‘ବୁଜ୍ଜି’ କାର୍ ଭବିଷ୍ୟତ କଳ୍ପନାର ଏକ ଅଂଶ ହୋଇପାରେ, କିନ୍ତୁ ବାସ୍ତବରେ ଏହା ଦେଶର ଅଗ୍ରଣୀ ଅଟୋମୋବାଇଲ୍ କମ୍ପାନୀ ମହିନ୍ଦ୍ରା ଦ୍ୱାରା କୋଏମ୍ବାଟୁରର ଜୟମ ମୋଟର୍ସ ସହଯୋଗରେ ନିର୍ମିତ ହୋଇଛି। ଚଳଚ୍ଚିତ୍ରରେ ପ୍ରଭାସଙ୍କ ଚରିତ୍ର ‘ଭୈରବ’ ଏହି କାରକୁ ନିର୍ମାଣ କରିଥିବା ଦେଖିବାକୁ ମିଳିବ। କିନ୍ତୁ ବାସ୍ତବରେ ଏହି କାରଟି ମହିନ୍ଦ୍ରା ଏବଂ ଜୟମ ମୋଟର୍ସ, ଏହି ଦୁଇ କମ୍ପାନୀଙ୍କ ଦକ୍ଷତାର ଏକ ଉଦାହରଣ।

କମଳା ରଙ୍ଗର ଏହି ଚମତ୍କାର କାର୍‌ର ଓଜନ ୬ ଟନ୍ ରହିଛି। ୯୪ କିଲୋୱାଟ ଶକ୍ତି ଏବଂ ୯୮୦୦ ଏନଏମ ଟର୍କ ସହିତ ଏହି କାର ଜବରଦସ୍ତ ପରଫର୍ମାନ୍ସ ଦେଇଥାଏ। ୪୭ କିଲୋୱାଟର ଏକ ଶକ୍ତିଶାଳୀ ବ୍ୟାଟେରୀରେ ଚାଲୁଥିବା ଏହି କାରର ଡିଜାଇନ୍ ଏକ ରେସିଂ କାର ପରି ଦେଖାଯାଉଛି। ‘କଳ୍କି ୨୮୯୮ ଏଡି’ରେ ପ୍ରଭାସଙ୍କ ‘ବୁଜ୍ଜି’ କାର କେବଳ ଦେଖିବାକୁ ଚମତ୍କାର ନୁହେଁ, ଏହାର ଚକଗୁଡିକ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ। କାରରେ ତିନୋଟି ଚକ ଅଛି, ଦୁଇଟି ଆଗରେ ଏବଂ ଗୋଟିଏ ପଛରେ। ପଛ ଚକଟି ଗୋଲାକାର, ଯାହା ଏହାକୁ ୩୬୦ ଡିଗ୍ରୀ ଘୂର୍ଣ୍ଣନ କ୍ଷମତା ଦେଇଥାଏ। ଆଗ ଟାୟାର ମଧ୍ୟ ବିରାଟ ଆକାରର, ଏହାର ରିମ୍ ସାଇଜ୍‌ ୩୪.୫ ଇଞ୍ଚ। ବୁଜ୍ଜିର ଟାୟାରକୁ ସ୍ୱତନ୍ତ୍ର ଭାବେ ଏହି ଚଳଚ୍ଚିତ୍ର ପାଇଁ ଡିଜାଇନ୍ କରାଯାଇଛି। ଏହି ଟାୟାରଗୁଡିକୁ ଡିଜାଇନ୍ କରିବାବେଳେ କାର୍ ଓଜନ, ଗତି ଏବଂ ସଡ଼କ ଅବସ୍ଥା ଆଦିକୁ ଧ୍ୟାନରେ ରଖାଯାଇଛି। କାର୍‌ରେ କୃତ୍ରିମ ବୁଦ୍ଧିମତା(ଏଆଇ)ର ମଧ୍ୟ ବ୍ୟବହାର କରାଯାଇଛି। ଏଥି ପ୍ରତି ଧ୍ୟାନ ଦେବା ଜରୁରୀ ଯେ ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’ରେ ପ୍ରଦର୍ଶିତ ହୋଇଥିବା ବୁଜ୍ଜି କାରର କିଛି ଫିଚର୍‌ ଏବଂ କ୍ଷମତା କାଳ୍ପନିକ ଏବଂ ପ୍ରକୃତ କାରରେ ଏହା ରହିପାରିବ ନାହିଁ। ଫିଲ୍ମର ଅନେକ ଦୃଶ୍ୟରେ ଏହି କାର୍‌ ଉଡ଼ୁଥିବା ମଧ୍ୟ ପ୍ରଦର୍ଶିତ କରାଯାଇଛି। ‘ବୁଜ୍ଜି’ର ଦାମ୍‌ ୭ କୋଟି ବୋଲି କୁହାଯାଉଛି। ଜୁନ୍‌ ୨୭ ତାରିଖରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।

 

Comments are closed.