www.samajalive.in
Wednesday, December 10, 2025
14.1 C
Bhubaneswar

୧୦ଟି କ୍ଷେତ୍ରରେ ଭାରତ-ଚୀନ ସମ୍ପର୍କ ବୃଦ୍ଧି ନିଷ୍ପତ୍ତି

ନୂଆଦିଲ୍ଲୀ : ଚୀନ୍‌ ଓ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ପର୍କରେ ଉନ୍ନତି ଏବଂ ଦୁଇ ଦେଶର ଜନତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଶୁକ୍ରବାର ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି ଚାରିଦିନିଆ ଭାରତରେ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରତିପକ୍ଷ ସୁଷମା ସ୍ବରାଜଙ୍କ ସହିତ ଦୁଇ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ସବିଶେଷ ଆଲୋଚନା କରିଛନ୍ତି। ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ୟୁହାନ୍‌ଠାରେ ଅନୁଷ୍ଠିତ ଅନୌପଚାରିକ ସମ୍ମିଳନୀ ପରିପ୍ରେକ୍ଷୀରେ ଏହି ସକ୍ଷାତ ଆଲୋଚନା ଆରମ୍ଭ ହୋଇଛି। ଏହି ଅବସରରେ ‘ସହଯୋଗର ୧୦ ସ୍ତମ୍ଭ’ ଆଧାରରେ ସମ୍ପର୍କ ବୃଦ୍ଧିର ନୂଆ ପନ୍ଥା ନିର୍ଦ୍ଧାରଣ କରାଯାଇଛି। ଦଶଟି କ୍ଷେତ୍ରରେ ସମ୍ପର୍କର ଅଭିବୃଦ୍ଧି ଓ ଆଦାନପ୍ରଦାନ ପାଇଁ ଆଲୋଚନା ହୋଇଥିବା କହିଛନ୍ତି ସୁଷମା।
‘ଭାରତ-ଚୀନ୍‌ ଉଚ୍ଚସ୍ତରୀୟ ମିଡିଆ ଫୋରମ୍‌’କୁ ଉଦ୍‌ଘାଟନ କରି ସୁଷମା ଗଣମାଧ୍ୟମକୁ କହିଛନ୍ତି ଯେ ‘ୱାଙ୍ଗ୍‌ ହେଉଛନ୍ତି ମୋର ପରମ ବନ୍ଧୁ ଓ ଭାଇ। ଆମ ମଧ୍ୟରେ ଗତ ସାଢ଼େ ୪ବର୍ଷ ମଧ୍ୟରେ ଅନେକ ଆଲୋଚନା ହୋଇଛି; କିନ୍ତୁ ଆଜିର ଆଲୋଚନା ସ୍ବାତନ୍ତ୍ର୍ୟ ରଖିଛି। ୟୁହାନ୍‌ଠାରେ ମୋଦୀ ଓ ଜିନ୍‌ପିଙ୍ଗ୍‌ ଉଭୟ ଦେଶ ମଧ୍ୟରେ ଜନସମ୍ପର୍କ ବୃଦ୍ଧି ଓ ସାଂସ୍କୃତିକ ସହଯୋଗ କ୍ଷେତ୍ରରେ ଯେଉଁ ଭିତ୍ତି ପକାଇଥିଲେ ଆମେ ତା’ଉପରେ ଗୁରୁତ୍ବ ଦେଇଛୁ।’
ୱାଙ୍ଗ୍‌ ନିଜ ପକ୍ଷ ରଖି କହିଛନ୍ତି ଯେ ‘ସମ୍ପର୍କ ବୃଦ୍ଧି ପାଇଁ ପ୍ରସ୍ତୁତ ନୂଆ ଯୋଜନା ଆଧାରରେ ଆମ ମଧ୍ୟରେ ବୈଠକ ବେଶ୍‌ ସଫଳ ହୋଇଛି। ସାଂସ୍କୃତିକ ଆଦାନପ୍ରଦାନ କ୍ଷେତ୍ରରେ ନୂଆ ନୀତି ନିର୍ଦ୍ଧାରଣ ହୋଇଛି; ଯାହା କି ଦୁଇ ଦେଶର ଇତିହାସରେ ସମ୍ପୂର୍ଣ୍ଣ ଅଭିନବ। ଏହା ଆମ ସମ୍ପର୍କର ଇତିହାସରେ ନୂଆ ଅଧ୍ୟାୟ ସଂଯୁକ୍ତ କରିଛି।’ ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ଏ ସମ୍ପର୍କର ସୂଚନା ଦେଇ କହିଛନ୍ତି ଯେ ଯୋଗ ତଥା ପାରମ୍ପରିକ ଔଷଧ, ସଂସ୍କୃତି, ଶିକ୍ଷା, କ୍ରୀଡ଼ା, ଚଳଚ୍ଚିତ୍ର ଓ ଟିଭି, ସଂଗ୍ରହାଳୟ ପ୍ରଶାସନ, ପର୍ଯ୍ୟଟନ, କଳା, ଗଣମାଧ୍ୟମ ଓ ଯୁବଶକ୍ତିର ଆଦାନପ୍ରଦାନ ଏବଂ ବିଭିନ୍ନ ରାଜ୍ୟ ଓ ସହର ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ ଉପରେ ଅଧିକ ଗୁରୁତ୍ବାରୋପ କରିବା ପାଇଁ ସୁଷମା ଓ ୱାଙ୍ଗ୍‌ ନିଷ୍ପତ୍ତି ନେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories