www.samajalive.in
Wednesday, December 10, 2025
14.1 C
Bhubaneswar

ମେଲବୋର୍ଣ୍ଣରେ ହାର୍ଦିକଙ୍କୁ ଖେଳାଇବା ଉଚିତ୍‌ : ହସି

ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୩ୟ ମ୍ୟାଚ୍ ଆସନ୍ତା ୨୬ (ବକ୍ସିଂ ଡେ’)ରୁ ମେଲବୋର୍ଣ୍ଣରେ ଖେଳାଯିବ। ଆଘାତଜନିତ କାରଣରୁ ଦୀର୍ଘଦିନ ହେବ କ୍ରିକେଟ୍‌ରୁ ଦୂରେଇ ରହିଥିବା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ହାର୍ଦିକଙ୍କୁ ଭାରତୀୟ ଦଳରେ ସାମିଲ କରାଯିବା ନିହାତି ଆବଶ୍ୟକ ବୋଲି ମତ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ମାଇକେଲ୍‌ ହସି।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ହସି କହିଥିଲେ ପର୍ଥର ପରିସ୍ଥିତି ଓ ମେଲବୋର୍ଣ୍ଣର ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ। ଭାରତୀୟ ଦଳ ତୃତୀୟ ଟେ​‌ଷ୍ଟ ମ୍ୟାଚ୍‌ରେ ନିଜ ଭାରସାମ୍ୟ ବଜାୟ ରଖିବାକୁ ହାର୍ଦିକଙ୍କୁ ଖେଳାଇବା ନିହାତି ଆଶବ୍ୟକ। ଆଡିଲେଡ୍ ଓ ପର୍ଥ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ତେବେ ଅଷ୍ଟ୍ରେଲିଆର ୱିକେଟ୍ ହାସଲ କରିବାକୁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦ୍ରୁତ ବୋଲିଂ ବିଭାଗକୁ ଶକ୍ତିଶାଳୀ କରିବା ନିମନ୍ତେ ହାର୍ଦିକଙ୍କୁ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଖେଳାଯିବା ନିହାତି ଆବଶ୍ୟକ। କେବଳ ବୋଲିଂ ନୁହେଁ ବ୍ୟାଟିଂରେ ମଧ୍ୟ ହାର୍ଦିକ ଭାରତୀୟ ଦଳକୁ ଉପଯୁକ୍ତ ସହାୟତା ଯୋଗାଇ ପାରିବେ ବୋଲି ହସି ଆଶାବ୍ୟକ୍ତ କରିଛନ୍ତି। ଏହି ସିରିଜ୍‌ରେ ଉଭୟ ଦଳର ଦ୍ରୁତ ବୋଲରଙ୍କୁ ବେଶ୍‌ କଷ୍ଟ ସ୍ବୀକାର କରି ଅଧିକ ଓଭର ବୋଲିଂ କରିବାକୁ ପଡ଼ିଛି ବୋଲି ହସି ମତ ଦେଇଛନ୍ତି।
ସୂଚନାଥାଉକି ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ବିଜୟୀ ହୋଇଥିଲା। ପର୍ଥରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ୪ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିବା ବେଳେ ସ୍ପିନର ଅଶ୍ବିନଙ୍କୁ ଦଳରେ ସାମିଲ କରିନଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ନିଜ ଦଳରେ ଦ୍ରୁତ ବୋଲରଙ୍କ ସହ ସ୍ପିନର ଭାବେ ନାଥାନ ଲାୟନଙ୍କୁ ସାମିଲ କରିଥିଲା। ଲାୟନ୍ ଏହି ମ୍ୟାଚ୍‌ରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତ ପର୍ଥ ଟେଷ୍ଟରେ ଅଶ୍ବିନଙ୍କୁ ଖେଳାଇବା ଉଚିତ୍ ହୋଇଥାନ୍ତା ବୋଲି ହସି ମତ ଦେଇଛନ୍ତି।
ଅଷ୍ଟ୍ରେଲିଆ ତରଫରୁ ୭୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୬୨୩୫ ରନ୍‌ ସଂଗ୍ରହ କରିଥିବା ହସି ଆହୁରି କହିଛନ୍ତି ଭାରତୀୟ ଦଳର ବ୍ୟାଟିଂ କିଛିଟା ଦୁର୍ବଳ। ଦଳର ନିମ୍ନଭାଗ ବ୍ୟାଟସମ୍ୟାନ୍‌ମାନେ ବିଫଳ ହୋଇଥିବା ବେଳେ ଦୁଇ ଓପନର୍‌ ମଧ୍ୟ ନିଜ ଦାୟିତ୍ବ ନିର୍ବାହ କରିବାରେ ବିଫଳ ​‌େ​‌ହାଇଛି। ଫଳରେ ଭାରତର ମଧ୍ୟଭାଗ ବ୍ୟାଟିଂ ଉପରେ ଅଧିକ ଚାପ ପଡୁଛି। ଏହାକୁ ଦୃଷ୍ଟିରେ ରଖି ହାର୍ଦିକ ଭାରତୀୟ ଦଳରେ ସାମିଲ ହେଲେ ଦଳର ଭାରସାମ୍ୟ ଠିକ୍ ରହିବ। ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ଓପନର୍‌ ଭଲ ପ୍ରଦର୍ଶନ କରିଥିବା ବେଳେ ଭାରତୀୟ ଓପନର୍‌ଙ୍କୁ ବାକି ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ଦାୟିତ୍ବ ସମ୍ପନ୍ନ ହୋଇ ଖେଳିବାକୁ ପଡ଼ିବ ବୋଲି ହସି କହିଛନ୍ତି।
ଭାରତୀୟ ଦଳର ବ୍ୟାଟିଂ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ହସି କହିଥିଲେ କୋହଲି ବର୍ତ୍ତମାନ ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌। ଏହାକୁ ଦୃଷ୍ଟିରେ ରଖି ଦଳ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ହେବାରେ କୌଣସି ଅସୁବିଧା ନାହିଁ। ତେବେ ଚେତେଶ୍ବର ପୂଜାରା ଓ ରାହାଣେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଦଳରେ ଥିବା ଅନ୍ୟ ବ୍ୟାଟସମ୍ୟାନ୍‌ ଯଦି ଏମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରନ୍ତି ତେବେ ଭାରତର ବିଜୟ ସମ୍ଭାବନା ବଢ଼ିଯିବ। ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories