ନୂଆ ଭୋଟର ମାନଙ୍କ ସହିତ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଗଣତନ୍ତ୍ରରେ ଜନମତ ସର୍ବାଗ୍ରେ ରହିଥିବା ବେଳେ ସରକାର ଗଠନରେ ନୁଆ ଭୋଟରଙ୍କ ଭୂମିକା ଅତି ଗୁରୁତ୍ୱପୁର୍ଣ୍ଣ ଅଟେ। ସେମାନଙ୍କର ନିର୍ଣ୍ଣୟ କେବଳ ଶାସନ ନିର୍ଦ୍ଧାରଣ କରିବ ତାହା ନୁହେଁ ବରଂ ସମ୍ବଲପୁରକୁ ବଡ କରିବା ସହିତ ଆଗାମୀ ୨୫ ବର୍ଷର ବିକଶିତ ଭାରତର ସ୍ୱପ୍ନ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ଗୁରୁବାର ସ୍ଥାନୀୟ ଅଇଁଠାପାଲି ଠାରେ ନୂତନ ଭୋଟର ମାନଙ୍କ ସହିତ ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୁଆ ଭୋଟର ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କିଭଳି ଭାବରେ ଦେଶ ଦ୍ରୃତ ଗତିରେ ଆଗକୁ ବଢ଼଼ୁଛି, ତାହା ଉପରେ ଆଲୋକପାତ କରିଥିଲେ। ମୋଦୀଜୀଙ୍କ ସଫଳ ନେତୃତ୍ୱ କାରଣରୁ ସ୍ୱଦେଶୀ ଭ୍ୟାକସିସ ପ୍ରସ୍ତୁତ, ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ହାଇସ୍ପିଡ ନେଟୱାର୍କର ସମ୍ପ୍ରସାରଣ ଯୋଗୁଁ ଶିକ୍ଷା, ଦକ୍ଷତା ବିକାଶ ଓ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଏହି ସମ୍ଭାବନାକୁ ଉପଯୋଗ କରି ସମ୍ବଲପୁରକୁ ବଡ କରିବା ସହିତ ଯୋଗାଯୋଗ, ଅର୍ଥନୀତି କ୍ଷେତ୍ରରେ ସୁଦୃଢ଼ କରିବା ଏବଂ ଶିକ୍ଷା, ଦକ୍ଷତା ବିକାଶକୁ ଆଗକୁ ନେବା ସହ ସମ୍ବଲପୁରର ସମ୍ମାନ ଓ ସ୍ୱାଭିମାନ ରଖିବା ପାଇଁ ସାମୁହିକ ଦାୟିତ୍ୱ ନେବାକୁ ନୂତନ ଭୋଟର ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ପରେ ଅଇଁଠାପାଲି ଛକ ଠାରେ ଏକ ଜଳଖିଆ ଦୋକାନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଜଳଖିଆ ଖାଇବା ସହିତ ଜନତାଙ୍କ ସହିତ ଜନସମ୍ପର୍କ ସ୍ଥାପନ କରିଥିଲେ।

Comments are closed.