କେନ୍ଦୁପଲ୍ଲୀ ମହୋତ୍ସବ ଦୁଲଣା-୨୦୨୪

କଳାପଥର(ବାଙ୍କୀ ): ପବିତ୍ର ନବବର୍ଷ ଏବଂ ପଣା ସଂକ୍ରାନ୍ତି ପାଳନ କରିବାରେ କେନ୍ଦୁପଲ୍ଲୀ ଗ୍ରାମର ପରମ୍ପରା ବହୁ ପ୍ରାଚୀନ। ବାଙ୍କୀ ବ୍ଲକ କଳାପଥର-ତ୍ରିକୂଟଧାମ ବୈଦ୍ୟଶ୍ୱର ରାସ୍ତାରେ ପଡେ କେନ୍ଦୁପଲ୍ଲୀ ପଞ୍ଚାୟତ। ବାଙ୍କୀରୁ ପଶ୍ଚିମକୁ ୨୦କିମି ଏବଂ ବାଘମାରୀ-କଣ୍ଟିଲୋ ରାଜ୍ୟରାଜପଥ କଳାପଥର ବଜାରଠାରୁ ୫କିମି ରାସ୍ତା। ପଶ୍ଚିମ ବାଙ୍କୀର ଏହି ଗ୍ରାମକୁ ଦୂର ଦୂରାନ୍ତରୁ ବହୁ ସଂଖ୍ୟାରେ ଦର୍ଶକ ଆସିବା ପାଇଁ ବୈଦ୍ୟଶ୍ୱର ମହାନଦୀ ଟି-ସେତୁ ସାମ୍ପ୍ରତିକ ସମୟରେ ବଡ଼ ମାଧ୍ୟମ ପାଲଟିଛି। ସଂକ୍ରାନ୍ତି ପୂର୍ବ ଦିନ ଏଠାରେ କଣ୍ଟାଗଡା ତପଘର କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଗ୍ରାମର ୧୩ଗୋଟି ସାହିର କ୍ଲବ, ଗ୍ରାମର ଶାନ୍ତି କମିଟି ଓ ବୈଦ୍ୟଶ୍ୱର ଥାନାର ତତ୍ତ୍ବାବଧାନରେ କଣ୍ଟାଗଡା ପର୍ବ ଶାନ୍ତି ଶୃଙ୍ଖଳା ସହ ପ୍ରତିବର୍ଷ ପାଳିତ ହୋଇଥାଏ। କଣ୍ଟାଗଡ଼ାର ଦିନକ ପୂର୍ବରୁ ସ୍ଥାନୀୟ ଅଂଚଳରୁ ସିଜୁ କଣ୍ଟା ଗଛ ସବୁକୁ ୩ଟି ଶଗଡ଼ରେ ଠାକୁରାଣୀ ପୀଠ ସ୍ଥଳକୁ ବୁହାଇ ଅଣାଯାଇଥାଏ। ଯଥା ଵିଧି ପୂଜାର୍ଚନା ପରେ ଗାଁ ଦାଣ୍ଡରେ ଦଣ୍ଡଧାରୀମାନେ ବିଭିନ୍ନ ପ୍ରକାର ସାମରିକ ଖେଳ କୌଶଳ ଓ ନୃତ୍ୟ କରିବା ପରେ ବାଲି ଉପରେ ବିଛା ଯାଇଥିବା ସିଝୁ କଣ୍ଟାରେ ଜଣକ ପରେ ଜଣେ ଗାଡିଥାନ୍ତି। ସେହିଦିନ ରାତିରେ ତପଘର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଥିରେ କଲେଶୀ ଏବଂ ଅନ୍ୟ ଦଣ୍ଡ ଉପାସକମାନେ ଉପରକୁ ଗୋଡ଼କରି ତଳକୁ ମୁହଁ କରି ନିଆଁ ଉପରେ ଓହଳିଥାନ୍ତି।

ବାଙ୍କୀ ହେଉଛି କଳା ସଂସ୍କୃତିର ପୀଠ। ବହୁ ପ୍ରାଚୀନ ପରମ୍ପରାର ଗାଥା ବହନ କରେ ପଶ୍ଚିମ ବାଙ୍କୀର କେନ୍ଦୁପଲ୍ଲୀ ଗ୍ରାମର ଝାମୁଯାତ୍ରା। ଶ୍ରଦ୍ଧାଳୁଙ୍କ ଭିତରେ ଅହରହ ଆଧ୍ୟାତ୍ମିକ ଭାବ ଆଣିଥାଏ। କେନ୍ଦୁପଲ୍ଲୀର ମାନସିକଧାରୀ ଶଗଡ଼ ଶଗଡ଼ ସିଜୁ ଗଛ କଣ୍ଟାରେ ଖୋଲା ଦେହରେ ଗଡିଥାନ୍ତି। କଳାପଥର, କଢାମଲ୍ଲ ଖଲିପିଲ୍ଲୀ, ପତନି, କେନ୍ଦୁପଲ୍ଲୀ ଗ୍ରାମରେ ଦିନ ଓ ରାତି ଝାମୁ ହୁଏ। ବଡ଼ ବଡ଼ ଜଳନ୍ତା କାଠଗଡ଼ ସବୁ ଦୁଇ ଫୁଟର ଗାଢ ଭିତରେ ସଜା ହୋଇ ରହିବ। ଭକ୍ତ ତା’ ଉପରେ ଖାଲି ପାଦରେ ଚାଲିବ। ପ୍ରାୟ ୫୦ରୁ ଊର୍ଦ୍ଧ୍ବ କଲେଶୀଙ୍କ ବିଭିନ୍ନ ନୃତ୍ୟ ଠାଣିରେ ଦେଖଣାହାରୀଙ୍କ ଆଖି ବୁଜି ହୋଇଥାଏ। ପାଟିରୁ ବାହାରି ପଡେ ହେ ପ୍ରଭୁ। ଓଡ଼ିଶାର ଗଞ୍ଜାମ ଜିଲା ପରି ବାଙ୍କୀର କେନ୍ଦୁପଲ୍ଲୀ ଝାମୁଯାତ୍ରା ସ୍ଵତନ୍ତ୍ର ନିଆରା। କେନ୍ଦୁପଲ୍ଲୀର ଗ୍ରାମର ୧୩ଗୋଟି ସାହିର ମାନସିକଧାରୀଙ୍କ ମିଳିତ ସହଯୋଗରେ ପବିତ୍ର ମେରୁ ଯାତ୍ରା ମେଷ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ପବିତ୍ର ବିଷୁବ ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ। ଏହି ସମୟରେ ପ୍ରବଳ ଖରା ସତ୍ବେ ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ଜନ ସମାଗମ ଲାଗି ରହିଥାଏ। ଦଣ୍ଡ ଯାତ୍ରାର ଅନ୍ତିମ ଦିବସରେ ମୁଣ୍ଡଫଟା ଖରାକୁ ଖାତିର ନକରି ମାନସିକଧାରୀଙ୍କ ଦୂଆରମାନଙ୍କରେ ଧୂଳି ଦଣ୍ଡ ଭାଙ୍ଗିବା ସହ ଦଣ୍ଡ ନାଚ କରି ନିଜ ନିଜର ଦଣ୍ଡ କାଳି ମନ୍ଦିରକୁ ଫେରିଥାନ୍ତି। ଦୀର୍ଘ ଦିନର ଏକାଗ୍ରତା ଓ ଉପାସନା ପରେ ମନ୍ଦିରରୁ ବାହାରି ଢୋଲ ମୃଦଙ୍ଗ ଓ କାହାଳି ବାଦ୍ୟରେ ତାଳେ ତାଳେ ପାଣି ଦଣ୍ଡ ପରେ ଅଗ୍ନି ଦଣ୍ଡ ହୋଇଥାଏ। ଓଡ଼ିଆ ସଂସ୍କୃତି ବଞ୍ଚାଇ ରଖିବା ଆମ ସମସ୍ତଙ୍କର କର୍ତବ୍ୟ ନାରରେ ପ୍ରାଚିନ ଐତିହ୍ୟ ନବ ବର୍ଷ ପଣା ସଂକ୍ରାନ୍ତି। ପୂର୍ବରୁ କେନ୍ଦୁପଲ୍ଲୀ ଝାମୁଯାତ୍ରା ଦୁଇ ଦିନ ରାତି ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ୧୨,୧୩,୧୪ ଓ ୧୫ତାରିଖ ୪ଦିନ ଓ ରାତି କେନ୍ଦୁପଲ୍ଲୀ ମହୋତ୍ସବ ‘ଦୁଲଣା’ ମହା ଆଡ଼ମ୍ବରରେ ପାଳିତ ହେବ। ମୀନା ବଜାର, ରାମଦୋଳି, ବିଭିନ୍ନ ଷ୍ଟଲ, ଓଡ଼ିଶାର ବିଭିନ୍ନ ନୃତ୍ୟ ସଂଗୀତ, ଢୋଲ, ଗୋଟିପୁଅ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ଗୀତ ସାଙ୍ଗକୁ ଭଜନ ସମାରୋହ ଓ ମେଲୋଡି ଅର୍କେଷ୍ଟ୍ରା, ଭାଗବତ, ସଂକୀର୍ତ୍ତନ ସହ ସ୍ଥାନୀୟ କଳାକାରଙ୍କ ନୃତ୍ୟ ସଂଗୀତ ପରିବେଷଣ କରାଯିବ। ଉଚ୍ଚଶିକ୍ଷା ଲାଭ କରିଥିବା ଯୁବ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କେନ୍ଦୁପଲ୍ଲୀ ପଂଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ସୂଚନା ଦେଇଛନ୍ତ।

Comments are closed.