ବୁଲା କୁକୁରଙ୍କୁ ନେଇ ଗବେଷଣା

ଆର୍ତ୍ତ ମିଶ୍ର

ସାମ୍ବାଦିକତା କ୍ଷେତ୍ରର ଏକ ପ୍ରବାଦ ହେଲା ‘ମଣିଷକୁ କୁକୁର କାମୁଡ଼ିଲେ ଖବର ହୁଏ ନାହିଁ, କିନ୍ତୁ ମଣିଷ କୁକୁରକୁ କାମୁଡ଼ିଲେ ତାହା ଖବର ହୋଇଥାଏ।’ ଆଜିର ବିଡ଼ମ୍ବନା ହେଲା, କୁକୁର ମଣିଷଙ୍କୁ କାମୁଡ଼ିଥିବା ଘଟଣା ହିଁ ସମାଚାର ହୋଇଚାଲିଛି। ଏହିପରି କିଛି ଖବର ପ୍ରଣିଧାନଯୋଗ୍ୟ: ୦୬-୦୨-୨୪; କପୁରତଲା, ପଞ୍ଜାବ : କୃଷି କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିବା ଜଣେ ମହିଳାଙ୍କୁ ଏଠାରେ ୨୦ଟି ବୁଲା କୁକୁର କାମୁଡ଼ି ଟିକିଟିକି କରିଦେଇଥିଲେ। ୧୫-୧୦-୨୩ : ଅହମଦାବାଦ: ଏକ ଚାହା କମ୍ପାନୀର ମାଲିକ ପରାଗ ଦେଶାଇ ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିଲେ। କୁକୁର କାମୁଡ଼ା ଓ ତଳେ ପଡ଼ିଯିବାର ଫଳସ୍ୱରୂପ ତାଙ୍କର ମୃତ୍ୟୁ ହୋଇଥିଲା। ୧୯-୦୨-୨୩ : ହାଇଦ୍ରାବାଦର ଜଣେ ୪ବର୍ଷୀୟ ଶିଶୁ ଏକ ନିଛାଟିଆ ରାସ୍ତାରେ ବୁଲା କୁକୁରଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲା।

ଦେଶରେ ସମ୍ପ୍ରତି ପ୍ରାୟ ପ୍ରତିଦିନ କୌଣସି ସହର, ନଗର ବା ଅନ୍ୟତ୍ର ବୁଲା କୁକୁରଙ୍କ ଉପଦ୍ରବ ତଥା କାମୁଡ଼ାର ସମାଚାର ମିଳିବାରେ ଲାଗିଛି। ଏଥି ସହ ଆଉ ଏକ ଖବର ଯାହା ଦେଖିବାକୁ-ଶୁଣିବାକୁ ମିଳିଥାଏ, ତାହା ହେଲା କୁକୁରପ୍ରେମୀ ଓ ବିରୋଧୀଙ୍କ ମଧ୍ୟରେ ବାକ୍‌‌ଯୁଦ୍ଧ ଅଥବା ବୁଲା କୁକୁର କବଳିତଙ୍କର ସରକାରୀ ଡାକ୍ତରଖାନାରେ ଉଚିତ ଚିକିତ୍ସା ଅଭାବରୁ ମୃତ୍ୟୁ ବା ହଟହଟା। ବୁଲା କୁକୁର ସଂକ୍ରାନ୍ତୀୟ ମାମଲା ବା ଏଥିରୁ ଉତ୍ପନ୍ନ ସମସ୍ୟା ନ୍ୟାୟାଳୟକୁ ମଧ୍ୟ ପହଞ୍ଚିବାରେ ଲାଗିଛି। ଏଇ କିଛି ସପ୍ତାହ ପୂର୍ବେ ଦିଲ୍ଲୀ ହାଇକୋର୍ଟ କୁକୁର କାମୁଡ଼ାରେ ଏକ ଶିଶୁ କନ୍ୟା ମୃତ୍ୟୁ ଘଟଣାର ସ୍ୱତଃ ସଂଜ୍ଞାନ ନେଇଥିଲେ। ନିକଟରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ମଧ୍ୟ କହିଛନ୍ତି ଯେ ବୁଲା କୁକୁରଙ୍କ ଉପଦ୍ରବ କାରଣରୁ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଭାରତ ନୁହେଁ, ଅନ୍ୟ ଦେଶ ମଧ୍ୟ ଏତାଦୃଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫରକ କେବଳ ଏତିକି ଯେ ବିକଶିତ ଦେଶ ଏହାର କାରକ ଓ ନିଦାନ ଉପରେ ଗମ୍ଭୀରତା ସହକାରେ କାମ କରୁଛନ୍ତି। ଆମେରିକାରେ କୁକୁରମାନେ ଆକ୍ରମଣାତ୍ମକ ହେବା ଘଟଣାରେ ବୃଦ୍ଧି ପରିଲକ୍ଷିତ ହେବା ପରେ ଏହାର ପ୍ରମୁଖ କାରକ ସହ ଜଳବାୟୁ ପରିବର୍ତ୍ତନର ସମ୍ଭାବ୍ୟ ପ୍ରଭାବକୁ ମଧ୍ୟ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଗଲା। ହାର୍ଭାର୍ଡ ସ୍କୁଲ୍‌‌ ଅଫ୍‌‌ ପବ୍ଲିକ୍‌‌ ହେଲ୍‌‌ଥ୍‌‌ ଓ ହାର୍ଭାର୍ଡ ମେଡିକାଲ୍‌‌ ସ୍କୁଲ୍‌‌ର ଅଧ୍ୟୟନକାରୀଙ୍କର ବିଚାର ହେଲା ସବୁ ପଶୁଙ୍କ ମଧ୍ୟରେ ଆକ୍ରାମକତା ଏକ ସାଧାରଣ ପ୍ରବୃତ୍ତି। ପ୍ରାୟତଃ ତାଙ୍କର ନିର୍ଦ୍ଧାରିତ କ୍ଷେତ୍ରର ସୁରକ୍ଷା କରିବାରେ, ଖାଦ୍ୟ-ପାନୀୟ ଆଦି ସୀମିତ ସଂସାଧନର ଅଧିକରୁ ଅଧିକ ଭାଗ ପ୍ରାପ୍ତ କରିବାରେ, ନିଜ ପ୍ରଜାତିର ଅନ୍ୟ ସାଥୀଙ୍କ ସହ ପ୍ରତିଯୋଗିତା କରିବା ପରି କିଛି ପ୍ରସଙ୍ଗ ଉପରେ କୁକୁର ଓ ଅନ୍ୟ ପଶୁ ହିଂସକ ଆଚରଣ କରିଥାନ୍ତି, କିନ୍ତୁ ସାଧାରଣତଃ ମଣିଷଙ୍କ ସହ କୁକୁରମାନେ ଏ ଧରଣର ଆଚରଣ କରିନଥାନ୍ତି। ଏହି ଅଧ୍ୟୟନର ନିଷ୍କର୍ଷ ରୂପେ ଏ କଥା ମଧ୍ୟ କୁହାଯାଇଛି ଯେ ତାପମାତ୍ରା ବୃଦ୍ଧି ମଧ୍ୟ କୁକୁରଙ୍କର ଆକ୍ରାମକତା ବୃଦ୍ଧି ପାଇଁ ବେଶ୍‌‌ ଖୋରାକ ଯୋଗାଇଛି। ସୁରକ୍ଷିତ ପ୍ରାକୃତିକ ପରିବେଶର ସମସ୍ୟା ଯେପରି ଭାବରେ ବା ଯେଉଁ ଅନୁପାତରେ ବୃଦ୍ଧି ପାଇଚାଲେ, କୁକୁର ସେଇ ଅନୁପାତରେ ହିଂସକ ହୋଇଚାଲେ। ବର୍ଦ୍ଧନଶୀଳ ବାୟୁ ପ୍ରଦୂଷଣ କାରଣରୁ କୁକୁର ଶ୍ୱାସକ୍ରିୟାରେ କଠିନତା ଅନୁଭବ କରିଥାନ୍ତି। ଏମାନଙ୍କର ମାନସିକ ସ୍ଥିତି ବିଗାଡ଼ିବାର ଏହା ମଧ୍ୟ ଏକ ପ୍ରମୁଖ କାରଣ।

ଏକ ଅନୁମାନ ଅନୁସାରେ ଭାରତରେ ପ୍ରାୟ ଆଠ କୋଟି କୁକୁର ରାସ୍ତାଘାଟରେ ବିଚରଣ କରିଥାନ୍ତି। ଅଧିକାଂଶ କୁକୁର ତାଙ୍କର ଆହାର ପାଇଁ ଯେହେତୁ ମନୁଷ୍ୟଙ୍କ ଉପରେ ନିର୍ଭର କରନ୍ତି, ତେଣୁ ଯେଉଁସବୁ ସ୍ଥାନରେ ଜନବସତି ସଘନ, ସେମାନେ ଅନିୟନ୍ତ୍ରିତ ଭାବରେ ସେ କ୍ଷେତ୍ରକୁ ଯାଇ କୌଣସି ଘର ବା ହୋଟେଲ୍‌‌ ଆଦି ପାଖରେ ଜମିଯାଆନ୍ତି। ବାସ୍ତବରେ, ବର୍ଦ୍ଧନଶୀଳ ସହରୀକରଣ କୁକୁରଙ୍କର ସୁରକ୍ଷିତ/ସାଧାରଣ ଜୀବନଯାପନ ପାଇଁ ଅନୁକୂଳ ନୁହେଁ। ବିଶେଷକରି ଉଚ୍ଚ ଅଟ୍ଟାଳିକା ଓ ଗେଟ୍‌‌-ବନ୍ଦ କଲୋନୀମାନଙ୍କରୁ ହିଁ କୁକୁରମାନଙ୍କୁ ସାଧାରଣତଃ ବିତାଡ଼ିତ କରାଯାଇଥାଏ। ସହରୀକରଣ କାରଣରୁ ମାତ୍ରାଧିକ କୋଳାହଳ, ଟ୍ରାଫିକ୍‌‌ ଭିଡ଼, ପ୍ରଦୂଷଣ, ଅଳିଆ-ଆବର୍ଜନାରୁ ମାଂସାଦି ଖାଦ୍ୟପଦାର୍ଥ ଆହରଣ ଓ ପୁଣି ଏ ସବୁରେ ଅଭ୍ୟସ୍ତ ହୋଇଯିବା, ଯାନବାହନ ତଥା କୋଠାବାଡ଼ିର ଆଖିଝଲସା ଆଲୋକସଜ୍ଜା ଆଦି ଏପରି ସବୁ କାରଣ, ଯାହା କୁକୁରଙ୍କୁ ଆକ୍ରମଣାତ୍ମକ କରିବାରେ ବଡ଼ ଭୂମିକା ନିର୍ବହନ କରିଥାନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ବିଶ୍ୱରେ କୁକୁର କାମୁଡ଼ାରେ ହେଉଥିବା ରୋଗ ‘ରାବିଜ୍‌‌’ କାରଣରୁ ମୃତ୍ୟୁର ୩୬ ପ୍ରତିଶତ ଘଟଣା ଭାରତରେ ଦେଖାଯାଇଥାଏ, ଯାହାର ସଂଖ୍ୟା ୧୮,୦୦୦ରୁ ୨୦,୦୦୦। ରାବିଜ୍‌‌ଜନିତ ମୃତ୍ୟୁ ଘଟଣାର ୩୦ରୁ ୬୦ ପ୍ରତିଶତ ମାମଲାରେ ପୀଡ଼ିତଙ୍କ ବୟସ ୧୫ରୁ କମ୍‌‌। କୁକୁର ମଣିଷଙ୍କ ଉପରେ ନିର୍ଭରଶୀଳ। ଏମାନଙ୍କର ସ୍ୱଭାବଗତ ପ୍ରବୃତ୍ତି ହେଲା ପଛରେ ଚାଲିବା, ଗୋଡ଼ାଇବା। ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ କୁକୁରଙ୍କୁ ପାଖରେ ଦେଖି ଦଉଡ଼ି ଯାଇଥିବା ବ୍ୟକ୍ତି ଏମାନଙ୍କର ରୋଷର ଶିକାର ହୋଇଯାଆନ୍ତି। କୁକୁରଙ୍କୁ ଯଦି ପ୍ରତୀତ ହୁଏ ଯେ ଆପଣ ବଳବାନ୍‌‌, ଏପରି କ୍ଷେତ୍ରରେ ଏମାନେ ଆକ୍ରମଣ କରିନଥାନ୍ତି।

ବୁଲା କୁକୁରଙ୍କ ସଂଖ୍ୟା ଯେପରି ନ ବଢ଼଼ିବ, ଏଥିପାଇଁ ଏମାନଙ୍କୁ ଆଣ୍ଟି-ରାବିଜ୍‌‌, ଆଣ୍ଟି-ଡିଷ୍ଟେମ୍ପର୍‌‌ ଟିକା ଠିକଣା ସମୟରେ ଯେପରି ଦିଆଯିବ, ଏ ଦିଗରେ ସ୍ଥାନୀୟ ସଂସ୍ଥା ତତ୍ପର ନୁହନ୍ତି। କୁକୁରଙ୍କ ବନ୍ଧ୍ୟାକରଣ ମଧ୍ୟ ସମସ୍ୟାର ସମାଧାନ ନୁହେଁ। ଆଉ ଏକ ସମସ୍ୟା ପ୍ରଣିଧାନଯୋଗ୍ୟ, ଆମ ସମାଜର ଏକ ବର୍ଗ ଆଶାତୀତ ମୂଲ୍ୟ ବିନିମୟରେ ଉଚ୍ଚ ପ୍ରଜାତିର ବିଦେଶୀ କୁକୁର କିଣି ପାଳିଥାନ୍ତି। ଅଧିକାଂଶ ଲୋକଙ୍କ ପାଇଁ ତ ଏହା ଏକ ‘ଷ୍ଟାଟସ୍‌‌ ସିମ୍ବଲ୍‌‌’ ହୋଇଗଲାଣି; କିନ୍ତୁ ଦେଶୀ କୁକୁର ଯେତେ ସୁନ୍ଦର, ଚଳାଇବା ସହଜ ଓ ଖର୍ଚ୍ଚ କମ୍‌‌ ହେବା ସତ୍ତ୍ବେ ମଧ୍ୟ ଏମାନଙ୍କୁ ପାଳିବାକୁ ସାଧାରଣତଃ କେହି ମନ ବଳାନ୍ତି ନାହିଁ। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ଦେଶୀ କୁକୁରଙ୍କୁ ସୁରକ୍ଷା ବାହିନୀରେ ସ୍ଥାନ ଦେଇ ଦେଶକୁ ଏ ବାର୍ତ୍ତା ଦେବାର କାମ କରିଛନ୍ତି ଯେ ବିଦେଶୀ ପ୍ରଜାତିଙ୍କ ତୁଳନାରେ ଦେଶୀ କୌଣସି ଗୁଣରେ କମ୍‌‌ ନୁହନ୍ତି। ପ୍ରଣିଧାନଯୋଗ୍ୟ ଯେ ନେଦରଲ୍ୟାଣ୍ଡ୍‌‌ରେ ରାସ୍ତାଘାଟରେ ବୁଲା କୁକୁର ଦେଖିବାକୁ ମିଳନ୍ତି ନାହିଁ। ଏହାର କାରଣ ହେଲା, ଏ ଦେଶରେ ବିଦେଶୀ ପ୍ରଜାତିର କୁକୁର ପାଳନ ଉପରେ ସରକାର ମୋଟା ଟିକସ ଲଗାଇଛନ୍ତି। ଫଳସ୍ୱରୂପ ଲୋକେ ଦେଶୀ କୁକୁର ପାଳୁଛନ୍ତି। ଚିନ୍ତା କରି ଦେଖନ୍ତୁ, ଭାରତରେ ଏହା କରାଗଲେ କାହାର-କ’ଣ କ୍ଷତି ହୁଅନ୍ତା?

ଏଇ ୭ ମାର୍ଚ୍ଚ ଦିନ କେରଳ ହାଇକୋର୍ଟ୍‌‌ ଏକ ନିର୍ଣ୍ଣୟରେ କହିଛନ୍ତି ଯେ ‘ବୁଲା କୁକୁରଙ୍କ ଅପେକ୍ଷା ମନୁଷ୍ୟ ଜୀବନକୁ ପ୍ରାଥମିକତା ଦିଆଯିବା ଉଚିତ। ବୁଲା କୁକୁରଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇଚାଲିଛି। କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ କୁକୁରଙ୍କ ହିତୈଷୀ ବିରୋଧ କରିବେ, କିନ୍ତୁ ଏମାନଙ୍କୁ ଏ କଥା ଜଣାଇଦେବା ଉଚିତ ଯେ ବୁଲା କୁକୁରଙ୍କ ଆକ୍ରମଣ ଆଶଙ୍କାରେ ପିଲାଏ ସ୍କୁଲ୍‌‌ ଯିବାକୁ ଭୟ କରୁଛନ୍ତି।’ ସଦ୍ୟତମ ସମାଚାର ଶୁଣନ୍ତୁ: ଭାରତ ସରକାର ବିଦେଶୀ ପ୍ରଜାତିର କିଛି କୁକୁରଙ୍କ ଉପରେ କଟକଣା ଲଗାଇଛନ୍ତି। କୁହାଯାଇଛି ଯେ ଏସବୁ ବିଦେଶୀ କୁକୁର (ରଟ୍‌‌ୱାଇଲର୍‌‌, ପିଟ୍‌‌ବୁଲ୍‌‌, ଟେରିଅର୍‌‌, ଉଲ୍‌‌ଫ୍‌‌ ଡଗ୍‌‌ସ୍‌‌, ଟୋସା ଇନୁ, କେନ୍‌‌ କର୍‌‌ସୋ, ମାଷ୍ଟିଫ୍‌‌ ଇତ୍ୟାଦି) ଭାରତୀୟ ବାତାବରଣରେ ଉଗ୍ର ହୋଇଯାଆନ୍ତି। ରକ୍ଷା ହେଇଛି ଏମାନେ ବୁଲା କୁକୁର ନୁହନ୍ତି !

Comments are closed.