ଦୁର୍ଗମ ରାସ୍ତାର ଭ୍ରମ ସୃଷ୍ଟି କରୁଛି ହରଭଙ୍ଗା-ଧଳପୁର ଜଗନ୍ନାଥ ସଡ଼କ

ତୁରନ୍ତ ଓସାରିଆ ହାଏ ଲେବୁଲ ରାସ୍ତା ନିର୍ମାଣ ଦାବି

ହରଭଙ୍ଗା: ବୌଦ୍ଧର ଐତିହ୍ୟ ବହନ କରୁଥିବା ହରଭଙ୍ଗା-ଧଳପୁର ଜଗନ୍ନାଥ ସଡ଼କ ଦୁର୍ଗମ ପାହାଡିଆ ଅଞ୍ଚଳ ରାସ୍ତାଠାରୁ ଅଧିକ ଶୋଚନୀୟ ଅବସ୍ଥାକୁ ନେଇ ସମ୍ପ୍ରତି ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସକାଳ ହେଲେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବ୍ଲକର ହଜାର ହଜାର ଜନସାଧରଣଙ୍କ ପାଇଁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ଜଣେ ସୁସ୍ଥ ମଣିଷ ଚାଲି ଚାଲି ଯିବା ସମୟରେ ସାମାନ୍ୟ ଅନ୍ୟମନସ୍କ ହୋଇଗଲେ ଝୁଣ୍ଟି ପଡ଼ି ଜୀବନ ଚାଲିଯିବାର ଆଶଙ୍କା ମଧ୍ୟ ରହିଛି। ହରଭଙ୍ଗାରୁ ଧଳପୁର ମହାନଦୀ ସେତୁକୁ ସଂଯୋଗ କରୁଥିବା ରାସ୍ତାର ଏଭଳି ଦୂରବସ୍ଥା ପ୍ରତି ଜିଲାପ୍ରଶାସନ ଏବଂ ରାଜନୈତିକ ନେତାଙ୍କ ଦୃଷ୍ଟି ନ ପଡ଼ିବା ବାସ୍ତବିକ ଡିଜିଟାଲ ଯୁଗରେ ପ୍ରାଚୀନ ଯୁଗର ମନୋଭାବ ଭଳି ମନେହେଉଛି।

ପ୍ରକାଶ ଯେ, ଗତ ତିନି/ଚାରି ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହରଭଙ୍ଗାଠାରୁ ଧଳପୁର ପର୍ଯ୍ୟନ୍ତ ଦୀର୍ଘ ୧୯କିଲୋମିଟର ରାସ୍ତା କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ରାସ୍ତା ନିର୍ମାଣର ଛଅ ମାସ ମଧ୍ୟରେ ବିଭିନ୍ନ ସ୍ଥାନରୁ ପିଚୁ ଉଠି ପଡୁଥିଲା। ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ଯୋଗୁଁ ରାସ୍ତାଟି ବର୍ଷ କେଇଟା ନପୂରୁଣୁ ଖାଲଖମାରେ ପରିଣତ ହୋଇପଡ଼ିଛି। ଧଳପୁରର ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣ ହୋଇଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପରେ ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକର ଗୁରୁତ୍ୱ ବୃଦ୍ଧି ପାଇଛି। ଅନୁଗୁଳୁ ଜିଲା ସହିତ ବୌଦ୍ଧ ଜିଲାକୁ ଗମନାଗମନ ପାଇଁ ବାଟ ଫିଟିଛି। ସର୍ମ୍ପକର ସେତୁ ନିର୍ମାଣ ପରେ ଉଭୟପଟୁ ବସ୍ ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ବେପାର, ବାଣିଜ୍ୟ ସାଙ୍ଗକୁ ମେଡିକାଲ କାର୍ଯ୍ୟରେ ମହାନଦୀକୂଳିଆ ଗ୍ରାମବାସୀଙ୍କ ପାଇଁ ଆଠମଲ୍ଲିକ ମେଡିକାଲ ଚିକିତ୍ସା ପାଇଁ ବେଶ୍ ସହାୟକ ହୋଇପାରିଛି। ମାତ୍ର ସେତୁକୁ ସଂଯୋଗ କରୁଥିବା ହରଭଙ୍ଗାଠାରୁ ଧଳପୁର ପର୍ଯ୍ୟନ୍ତ ଦୀର୍ଘ ୧୯ କିଲୋମିଟର ରାସ୍ତାରେ ଅଧିକ ସଂଖ୍ୟାରେ ବାଲି ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ଦିନକୁ ଦିନ ୧୨ଫୁଟିଆ ଅଣଓସାରିଆ ରାସ୍ତା ଅବସ୍ଥା ଶୋଚନୀୟ ହେବା ସହିତ ଖାଲଖମାରେ ପରିଣତ ହୋଇଛି। ବିଶେଷକରି ମହାନଦୀ ବନ୍ୟାରେ ଏହି ରାସ୍ତାରେ ବନ୍ୟା ପାଣି ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ହରଭଙ୍ଗାଠାରୁ ଧଳପୁର ପର୍ଯ୍ୟନ୍ତ ହାଏଲେବଲ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବି ଉଠୁଛି। ଏହା ସହିତ ମହାନଦୀ ତଟସୁରକ୍ଷା ପାଇଁ ହରଭଙ୍ଗାଠାରୁ ଧଳପୁର ପର୍ଯ୍ୟନ୍ତ ଆଡିବନ୍ଧ ନିର୍ମାଣ କରାଯିବାକୁ ସାଧାରଣରେ ଦାବି ହେଉଛି। ବର୍ତ୍ତମାନ ପରିସ୍ଥିତିରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଯାତାୟତ ପାଇଁ ଆଗ୍ରାଧିକାର ମଧ୍ୟରେ ରାସ୍ତା ମରାମତି ଜରୁରୀ ହୋଇପଡ଼ିଛି। ଏ ଦିଗରେ ବୌଦ୍ଧ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।

 

 

Comments are closed.