ବିଲୁପ୍ତି ମାର୍ଗରେ ପକ୍ଷୀଜଗତ

ପଞ୍ଚାନନ ଅଗ୍ରୱାଲ

ପକ୍ଷୀମାନଙ୍କ ସଦ୍ୟତମ ଗଣନା ଅନୁସାରେ ୧୩୧୭ ପ୍ରଜାତିର ପକ୍ଷୀ ଭାରତରେ ଦେଖାଯାଆନ୍ତି। ବିଶ୍ୱର ୧୨ ପ୍ରତିଶତ ପକ୍ଷୀ ଆମ ଦେଶରେ ମହଜୁଦ ଅଛନ୍ତି। ତେବେ ବିଭିନ୍ନ ପ୍ରଜାତିର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ପକ୍ଷୀମାନଙ୍କ ମଧ୍ୟରେ ୯୪୨ ପ୍ରଜାତି ପକ୍ଷୀଙ୍କ ଅଧ୍ୟୟନ ରିପୋର୍ଟରୁ ଜଣାଯାଇଛି ଯେ ସେଥିରୁ ୯୮ ପ୍ରଜାତିପକ୍ଷୀ ସଂଖ୍ୟା ଗତ ତିନି ଦଶନ୍ଧି ମଧ୍ୟରେ ୫୦ଭାଗ ହ୍ରାସ ପାଇଛି। ମଣିପୁର ବୁଶକ୍ୱେଲ, ହିମାଳୟନ କ୍ୱେଲ ଆଉ ଜେଡ଼୍ରେନ୍ସ କୋର୍ସରକେ ତିନି ପ୍ରଜାତି ପକ୍ଷୀଙ୍କ ବିଲୁପ୍ତ ଆଶଙ୍କା ଦେଖାଯାଇଛି। ୧୦୬ ଅନ୍ୟ ପ୍ରଜାତି ପକ୍ଷୀଙ୍କ ସଂଖ୍ୟା ଶତକଡ଼ା ୨୫% କମିଯାଇଛି। ମୋଟ ୧୭୮ ପ୍ରଜାତି ପକ୍ଷୀଙ୍କ ସଂରକ୍ଷଣ ଉପରେ ଅଧିକ ଯତ୍ନବାନ ହେବାକୁ ପଡ଼ିବ। ୩୨୩ ଅନ୍ୟ ପ୍ରଜାତି ପକ୍ଷୀ ମଧ୍ୟ ବିପଦ ସୂଚୀରେ ସାମିଲ ହୋଇଛନ୍ତି। ସର୍ବେକ୍ଷଣରେ ସାମିଲ ସମସ୍ତ, ପ୍ରଜାତି ପକ୍ଷୀ ୫୩ ପ୍ରତିଶତ କମିଯାଇଛି। ଶିକାରୀ ପକ୍ଷୀ ମାଛରଙ୍କା, ମାଟିଆଚିଲ, ଶଙ୍ଖଚିଲ, ଛଞ୍ଚାଣ, କୁରାଳ, ଫ୍ଲେମିଙ୍ଗୋ, ଫେବିଅସ ଆଦି ପ୍ରବାସୀ ସମୁଦ୍ର ପକ୍ଷୀ ସମୂହ ଆଉ ବତକମାନଙ୍କ ସଂଖ୍ୟା ଲଗାତାର କମିବାର ଲାଗିଛି। ଖୋଲା ବାତାବରଣ, ନଈକୂଳ ଆଉ ତଟୀୟ କ୍ଷେତ୍ରମାନଙ୍କରେ ପକ୍ଷୀମାନେ ବସା କରିବାପାଇଁ ଅନୁକୂଳ ପରିସ୍ଥିତି ପାଉନାହାନ୍ତି, ଏଣୁ ଏମାନଙ୍କ ସଂଖ୍ୟା ହ୍ରାସ ପାଉଛି।

ମାଲବାର ଗ୍ରେ ହର୍ନବିଲର ଏକ ବିଶାଳ ପକ୍ଷୀ ଜଗତ ପଶ୍ଚିମଘାଟର ବାଲପରାଇ ପଠାରେ ଦେଖିବାକୁ ମିଳେ। ଭାରତୀୟ ପକ୍ଷୀ ଜଗତ ହ୍ରାସ ପାଇବାର ଅସଲ କାରଣ ପଛରେ ରହିଛି ଜଳବାୟୁ ପରିବର୍ତ୍ତନ। ଗତ ୧୫୦ବର୍ଷ କାଳରେ ବୈଶ୍ୱିକ ତାପମାନ ହାରାହାରି ୦.୮ଡ଼ିଗ୍ରୀ ସେଲସିୟସ୍‌‌ ବୃଦ୍ଧି ହିଁ ପକ୍ଷୀମାନଙ୍କ ଜୀବନଚକ୍ର ବଦଳାଇ ଦେଇଛି। ପ୍ରବାସୀ ପକ୍ଷୀମାନେ ଥଣ୍ଡା ଜଳବାୟୁ ସନ୍ଧାନରେ ଉତ୍ତରମୁହାଁ ହେଉଛନ୍ତି। ୨୦୨୨ ମସିହା ଗୁଜରାଟରେ ଗ୍ରୀଷ୍ମକାଳରେ ପକ୍ଷୀମାନଙ୍କୁ ଆକାଶରୁ ତଳକୁ ପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହି ପକ୍ଷୀମାନଙ୍କ ଦେହରୁ ଜଳୀୟ ଅଂଶ ପ୍ରାୟ କମିଯାଇଥିଲା। ତାହା କ’ଣ ବିନାଶର ପୂର୍ବାଭାସ? ମୌସୁମୀ ଆସିବା ବହୁ ପୂର୍ବରୁ ବର୍ଷା ହେବା, କୃତ୍ରିମ ଜଳ ସେଚନ ପ୍ରଣାଳୀ ଦ୍ୱାରା ସାରସ ପକ୍ଷୀମାନଙ୍କ ପ୍ରଜନନ କ୍ରିୟାରେ ଖରାପ ପ୍ରଭାବ ପଡ଼ୁଛି।

ଭାରତରେ ୨ଲକ୍ଷ ୧୫୦୩ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ରହୁଥିବା ପକ୍ଷୀମାନଙ୍କ ୫୦ ରୁ ୮୦ ଭାଗ ହ୍ରାସ ପାଇଛି। ଜଙ୍ଗଲସଫା ହେବା କାରଣରୁ ପକ୍ଷୀମାନେ ସଙ୍କଟରେ ଅଛନ୍ତି। ଉତ୍ତରାଖଣ୍ଡରେ କେବଳ ୫୦ ପ୍ରତିଶତ କାଠହଣା ପକ୍ଷୀ ସାଗୁଆନ ବନରେ ଜୀବିତ ଅଛନ୍ତି।

ଫେବୃଆରୀ ୨୦୨୦ରେ ହରିଆନାର ପଲବଲରେ ଏକ ଦୁର୍ଲଭ ଓରିଏଣ୍ଟାଲ ଡ଼ାର୍ଟର ପକ୍ଷୀର ଚିତ୍ର ଇଣ୍ଟରନେଟରେ ଦେଖାଯାଇ ଝଡ଼ ସୃଷ୍ଟି କରିଥିଲା। ଏହି ପକ୍ଷୀର ଥଣ୍ଟରେ ପ୍ଲାଷ୍ଟିକସୂତା ଗୁଡ଼ାଇ ହୋଇଯାଇଥିଲା। ସେହିପରି କିଛି ବର୍ଷ ତଳେ ଗୋଟିଏ ଆର୍ଦ୍ରଭୂମିରେ ବ୍ଲାକ୍‌‌ ନେକେଷ୍ଟାର୍କର ପକ୍ଷୀ ଫ‌େ​‌ଟା କ୍ୟାମେରାରେ ଉଠା ଯାଇଥିଲା ଯାହା ହଲଚଲ ସୃଷ୍ଟି କରିଥିଲା। ଗୋଟିଏ ପ୍ଲାଷ୍ଟିକ ସୂତା ତାର ଥଣ୍ଟକୁ ସିଲ କରିଦେଇଥିଲା, ଶେଷରେ ସେହି ପକ୍ଷୀ ଦୁଇଟିକୁ ବଞ୍ଚାଇ ଦିଆଗଲା। ତେବେ ସେହିପରି ଭାଗ୍ୟ ଅନ୍ୟ ପକ୍ଷୀମାନଙ୍କ ପାଖରେ ସମ୍ଭବ ହେବ ନାହିଁ। ବିଷାକ୍ତ ରାସାୟନରେ ମହଜୁଦ ଥିବା ଭାରିଧାତୁ, ପ୍ଲାଷ୍ଟିକ ଅନ୍ୟ କୀଟନାଶକ ପ୍ରୟୋଗ ଯୋଗୁଁ ପକ୍ଷୀଜଗତ ସଙ୍କଟର କାରଣ ହେଉଛି। ୨୦୨୨ ବିଜ୍ଞାନ ଅଧ୍ୟୟନରୁ ଜଣାଯାଇଥିଲା ଯେ ଭାରତର ଜଳାଶୟମାନଙ୍କରେ ଆସୁଥିବା ବଗପକ୍ଷୀମାନେ ଆଉ ବ୍ଲାକ-କ୍ରାଉନ-ନାଇଟ ହେରୋନଙ୍କ ଲିଭର, କିଡ଼ିନୀ, ଡ଼େଣାମାନଙ୍କରେ ଧାତୁମାନଙ୍କ ସ୍ତର ସାମାନ୍ୟ ସୀସାରୁ ଅଧିକ ମିଳୁଛି।

ଭାରତରେ ୬୦ରୁ ଅଧିକ ପ୍ରଜାତି ପକ୍ଷୀ ବିଜୁଳି ତାରରେ ଝୁଣ୍ଟିହୋଇ ମୃତ୍ୟୁ ବରଣ କରୁଛନ୍ତି। ଅଧିକ ଆୱାଜ କାରଣରୁ ପକ୍ଷୀମାନେ ଉଚ୍ଚସ୍ୱରରେ ଅଲଗା କଣ୍ଠ ସ୍ୱରରେ ରାବିବାକୁ ଲାଗୁଛନ୍ତି, ଏହା ଫଳରେ ସେମାନେ ନିଜ ଜାଗା ଛାଡ଼ି ଅନ୍ୟତ୍ର ପଳାୟନ କରୁଛନ୍ତି। ଋଷିଭେଲୀ ସ୍କୁଲରେ ପକ୍ଷୀ ବିଜ୍ଞାନୀ ଏବଂ ଇନ୍‌ଷ୍ଟିୟୁଟ୍‌‌ ଅଫ ବାର୍ଡ଼ ଷ୍ଟାଡ଼ିଜ ଏଣ୍ଡ ନେଚୁରାଲ ହିଷ୍ଟ୍ରୀର ନି‌େର୍ଦଶକ ଭି.ଶାନ୍ତାରାମ ଏକ ନିକୃଷ୍ଟ ଉଦାହରଣ ଆଡ଼କୁ ଇସାରା କରିଛନ୍ତି। ତାଙ୍କ ମତରେ ସହରୀ ଅଭୟାରଣ୍ୟମାନଙ୍କରେ ବାର୍ଡ଼ ୱାଚିଙ୍ଗ ଢଙ୍ଗ ଦାୟିତ୍ୱହୀନତାର ପରିଚୟ ଦିଏ। ପକ୍ଷୀମାନଙ୍କୁ ଗଛ କୋରଡ଼ରୁ ବାହାରକୁ ଆସିବା ପାଇଁ ପକ୍ଷୀର ରାବ ଭଳି ସ୍ୱର କରିଥାନ୍ତି। ଏହାଦ୍ୱାରା ସେମାନେ ଜାଗା ଛାଡ଼ି ଭୟରେ ପଳାନ୍ତି। ଫଳରେ ସେମାନେ ଶିକାରୀ ଦ୍ୱାରା ଶିକାର ହୋଇଥାନ୍ତି।

ଗତବର୍ଷ ପୁରୁଣା ଦିଲ୍ଲୀ ଜୁମା ମସଜିଦ୍‌‌ସ୍ଥିତ ପକ୍ଷୀ ବଜାରରୁ ୧୮୦୦ରୁ ଅଧିକ ରିଙ୍ଗ ନେକେଡ଼, ବ୍ଲାଜମ ହେଡ଼େଡ଼ ପକ୍ଷୀ ଜବତ କରାଯାଇଥିଲା। ଏହି ପକ୍ଷୀମାନଙ୍କୁ ଅବୈଧ ଡ଼ଙ୍ଗରେ ଧରାଯାଇ ଅନ୍ୟ ସ୍ଥାନକୁ ନିଆଯାଉଥିଲା। ପକ୍ଷୀମାନଙ୍କ ପାଇଁ ଅନୁକୂଳ ବାତାବରଣ ନହେଲେ ସେମାନେ ବେଶୀଦିନ ଜୀବିତ ରହିବେ ନାହିଁ।

ଧୀରେ ଧୀରେ ଘର ଚଟିଆମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ୨୦୦୦ ମସିହା ପରଠାରୁ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଦ୍ରୁତ ସହରୀକରଣ, ଚାରିଆଡ଼େ ପକ୍‌‌କା ଘର ନିର୍ମାଣ, ଆଉ ମୋବାଇଲ ଟାୱାରମାନଙ୍କ ବିଦ୍ୟୁତ୍‌ ଚୁମ୍ବକୀୟ ବିକିରଣ, ଗାଡ଼ି ମଟରର କୋଳାହଳ ଶବ୍ଦ ପ୍ରଦୂଷଣ ଯୋଗୁଁ ଘର ଚଟିଆ ବସା ବାନ୍ଧିବାକୁ ସ୍ଥାନ ପାଉନାହିଁ, ଏଣୁ ୭୦ ଭାଗ ଘରଚଟିଆଙ୍କ ସଂଖ୍ୟା ହ୍ରାସ ହୋଇଛି। ଦିଲ୍ଲୀର ଇକୋରୁଟ୍‌‌ସ ଫାଉଣ୍ଡେସନ ଏହି ପକ୍ଷୀମାନଙ୍କ ପାଇଁ ୭ଲକ୍ଷ ଚଢ଼େଇବସା ନିର୍ମାଣ କରିଛନ୍ତି। ୨୦୧୬ରେ ଏହି ପକ୍ଷୀକୁ ରାଜକୀୟ ପକ୍ଷୀ ରୂପେ ଘୋଷଣା କରାଯାଇଛି। ମାର୍ଚ୍ଚ ୨୦କୁ ବିଶ୍ୱ ଘର ଚଟିଆ ଦିବସଭାବେ ପାଳନ କରାଯାଏ।

ମଧ୍ୟପ୍ରଦେଶରେ ସ୍ୱେଚ୍ଛାସେବୀ ସଂଗଠନ ଭୋପାଳ ବର୍ଡ଼ସ ୨୦୧୪ରେ ସାରସ କ୍ରେନରୁ ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ହାତକୁ ନେଲେ। ଭୋପାଳର ଉପରିହ୍ରଦ ରାମସର କ୍ଷେତ୍ର ଆଖପାଖରେ ସାରସ ମିତ୍ର ନିଯୁକ୍ତି କରାଗଲା। ଭୋପାଳ ବର୍ଡ଼ସ୍‌ର ସଂସ୍ଥାପକ ମହମ୍ମଦ ଖାଲିକ କହନ୍ତି ଯେ ୨୦୧୪ ହ୍ରଦ ନିକଟ ଆର୍ଦ୍ରଭୂମି ଅଞ୍ଚଳରେ ୧୨ ଗୋଟି ସାରସ ଥିବା ଦେଖିବାକୁ ମିଳିଥିଲା। ୨୦୨୧ରେ ଏହି ସଂଖ୍ୟା ବୃଦ୍ଧି ପାଇ ୩୧୨ ହେଲା। ଉତ୍ତରପ୍ରଦେଶରେ ମଧ୍ୟ ଏହି ପକ୍ଷୀର ସଂଖ୍ୟା ବୃଦ୍ଧି ହୋଇଛି। ୨୦୧୩ରେ ୭୦୦ ସାରସ ଥିବାବେଳେ ଏହା ବୃଦ୍ଧିପାଇ ବର୍ତ୍ତମାନ ସଂଖ୍ୟା ୨୫୦୦ରୁ ଅଧିକ ହୋଇଛି।

ଏସିଆ ମହାଦେଶର ସର୍ବବୃହତ୍‌ ଲବଣାକ୍ତ ହ୍ରଦ ଚିଲକାକୁ ଗତବର୍ଷ ଶୀତଦିନରେ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ ହଜାର ୯୨୯ଟି ରଙ୍ଗ ବେରଙ୍ଗ ପକ୍ଷୀ ଆସିଥିଲେ। ଗତବର୍ଷ ତୁଳନାରେ ୫୭ ହଜାର ୭୫୬ଟି ପକ୍ଷୀ ଅଧିକ ଆସିଥିବା କୁହାଯାଇଛି। ନଳବଣକୁ ୯୮ ପ୍ରଜାତିର ୩ ଲକ୍ଷ ୪୨ ହଜାର ପକ୍ଷୀ, ଭିତର କନିକାକୁ ୧୪ ପ୍ରଜାତିର ୧ଲକ୍ଷ ୩୯ହଜାର ୯୫୯ ପକ୍ଷୀ ଆସିଥିବା ସୂଚନା ମିଳିଥିଲା। ଚିଲିକାକୁ ଆସୁଥିବା ପକ୍ଷୀମାନଙ୍କ ନାମ ହେଲା – ପାଣିକୁଆ, ବଜ୍ରପକ୍ଷୀ, ମାଛଖିଆ, ଛୋଟ ଛଞ୍ଚାଣ, କୁରାଳ, କୁରୁବଲ, ଶଙ୍ଖଚିଲ, ହଂସରାଳି, ଘଟରା, ଚନ୍ଦା, କରଞ୍ଜି, ହଂସବକ, କାଦମ୍ବ, ଚକ୍ରବାକ, ଏରା, କେରେକେରା, ଗେଣ୍ଡି, କାଳ ଗଉଡ଼ୁଣୀ, ପାଣ୍ଡା, ପାଣ୍ଡି, ପୋତାଶଙ୍କର, ନାରୀହଂସ, ପାଣିହଂସ, ରାଜହଂସ, ଚନ୍ଦନାହଂସ, ବଇରି ଗଂଜନ, ବଡ଼ ଛଞ୍ଚାଣ, ବାଜପକ୍ଷୀ, ରାତ୍ରିଚରା ବଗ, ବଗୁଲି, ଗେଣ୍ଡାଳିଆ, ସାରସ, ଡ଼ାହୁକ, କଜଳପାତି, ରାଜବଣି, ଡ଼ାମରା କୁଆ, ରଣପା ଚଢେଇ, ଡ଼ାହୁକ ଆଦି। ପକ୍ଷୀକାକଳିରେ ମୁଗ୍ଧ ହୋଇ କବିବର ରାଧାନାଥ ରାୟ ଲେଖିଥିଲେ “ସଙ୍ଗୀତ ତୋହର ଚିର ସହଚର, ନାଳବକ୍ଷେ ତୋର ସଙ୍ଗୀତ ମୁଖର, ଭାସମାନ ଶ୍ୱେତ ପ୍ରାସାଦ ଆକାରେ, ଗାଆନ୍ତି ବିହଙ୍ଗ ତରଙ୍ଗ ଦୋଳରେ”।

Comments are closed.