ଜୀବନ ଯୁଦ୍ଧର କୌଶଳ ଶିକ୍ଷା

ମୀରା ବେଉରା

ନବମ ଲୁଇ ଥିଲେ ଫ୍ରାନ୍ସ ରାଜ ପରିବାରର ଜଣେ ଲୋକପ୍ରିୟ ପ୍ରଭାବଶାଳୀ ଓ ତେଜସ୍ବୀ ରାଜା, ଯିଏ ଜୀବନର ସମସ୍ତ ସଫଳତାର ଶ୍ରେୟ ତାଙ୍କ ମାତାଙ୍କୁ ହିଁ ଦେଇଥିଲେ। ଯେତେବେଳେ ସେ ଛୋଟ ଅବୋଧ ଶିଶୁଟିଏ ଥିଲେ ସେତେବେଳେ ତାଙ୍କ ମାଆ ତାଙ୍କୁ ଜଣେ ଭଲ ମଣିଷ ହେବାପାଇଁ ପ୍ରେରଣା ଦେଇ କହିଥିଲେ-‘ଦେଖ ବାପା, ତୁମେ ଜୀବନରେ କୌଣସି ଅକରଣୀୟ କାମ କରିବ ନାହିଁ। ଯଦି କେବେ ଭୁଲ ବାଟରେ ଯିବ ଏବଂ ତୁମ ଆତ୍ମାରେ କଳଙ୍କର ଟୀକା ଲାଗେ ତେବେ ମୁଁ ଏହା କଦାପି ସହ୍ୟ କରିପାରିବି ନାହିଁ। ତୁମକୁ ସିଂହାସନରେ ମଧ୍ୟ ଦେଖିବାକୁ ଚାହିଁିବି ନାହିଁ। ବରଂ ସିଂହାସନ ଖାଲି ରହୁ ବୋଲି ଇଚ୍ଛା କରିବି। ତମର କୁକର୍ମ ଦେଖିବା ପରିବର୍ତ୍ତେ ବରଂ ମୁଁ ନିଜେ ତୁମ ମୃତ୍ୟୁର କାମନା କରିବି।’ ଏହା ନିଜର ଶିଶୁ ପୁତ୍ର ପ୍ରତି କେବଳ ଏକ କଡ଼ା ତାଗିଦା ନଥିଲା, ଥିଲା କଠୋରତା ତା’ଠାରୁ ଅଧିକ ଥିଲା କଟୁତା। ମାଆଙ୍କର ସେହି ମର୍ମସ୍ପର୍ଶୀ ବାଣୀ ବାଳକ ଲୁଇଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଧୀର କଣ୍ଠରେ ବିନମ୍ରତାର ସହ ଲୁଇ ଉତ୍ତର ଦେଇଥିଲେ, ‘ମାଆ! ମୁଁ ଆଜି ଶପଥ କରି କହୁଛି ତୁମର ପୁଅ ନିଶ୍ଚିତ ଭାବରେ ଜଣେ ସୁନାଗରିକ ହେବ।’ ମାଆଙ୍କଠାରୁ ଦିଗ୍‌ଦର୍ଶନ ପାଇ ବାଳକ ଲୁଇ ସେହି ଦିନ ନିଜ ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ କରିନେଲେ। ଫଳରେ ଭବିଷ୍ୟତରେ ସେ ଏକ ଦୟାଳୁ, ନୀତିନିଷ୍ଠ, ଲୋକପ୍ରିୟ ପ୍ରଭାବଶାଳୀ ରାଜା ହୋଇପାରିଥିଲେ।

ଏହି ଐତିହାସିକ ତଥ୍ୟ ଏଠାରେ ଉପସ୍ଥାପନା କରିବାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ପିତାମାତା, ଗୁରୁଜନ ଆମ ପିଲାମାନଙ୍କର ବୌଦ୍ଧିକ ବିକାଶ କଥା ପ୍ରତି ଯେତିକି ଗୁରୁତ୍ବ ଦେଉଛନ୍ତି, ସେମାନଙ୍କୁ ଯୁଗୋପଯୋଗୀ ତଥା ସଂସ୍କାରମୂଳକ ଶିକ୍ଷାଦେଇ ଜଣେ ଉତ୍ତମ ନାଗରିକ ରୂପେ ଗଢ଼ି ତୋଳିବା କଥା ଆଦୌ ଚିନ୍ତା କରୁନାହାନ୍ତି। ପ୍ରତ୍ୟେକ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ସମସ୍ତେ ଚାହାନ୍ତି ତାଙ୍କ ପିଲା ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁ, ଜୀବନର ସବୁ ପରୀକ୍ଷାରେ ପ୍ରଥମ ହେଉ। ସବୁ ପୁରସ୍କାରର ଅଧିକାରୀ ହେଉ। କୃତିତ୍ବର ସହ ସଫଳତା ପ୍ରାପ୍ତ ହୋଇ ମୋଟା ଅଙ୍କର ଦରମା ପାଇ ବିଦେଶରେ ବିଳାସପୂର୍ଣ୍ଣ ଓ ଚାକଚକ୍ୟଯୁକ୍ତ ଜୀବନ ବିତାଇ ଅୟସ, ଆରାମରେ ରହୁ। ଜୀବନରେ ଅଭାବ, ଦୁଃଖ, ଯନ୍ତ୍ରଣା, କଷ୍ଟ କ’ଣ ନଜାଣୁ। ଜୀବନର ସବୁ ସୁଖ ସମୃଦ୍ଧି ତା’ ପାଦତଳେ ଅଜାଡ଼ି ହୋଇଯାଉ। ଦରକାର ପଡ଼ିଲେ ଯେତେ ସବୁ କଳା କୌଶଳ ଅବଲମ୍ବନ କରି ସବୁଠୁ ଧନୀ ବ୍ୟକ୍ତିରେ ପରିଣତ ହେଉ,ଏଥିପାଇଁ ଯେତେ ଅନୀତି, ଦୁର୍ନୀତି, ଅକ୍ଷମଣୀୟ ଅପରାଧ କରିବାକୁ ପଡ଼ୁ ପଛକେ। ସେତେବେଳେ ସନ୍ତାନ ସନ୍ତତିଙ୍କ ବିଷୟରେ ଆମେ ବାହାର ଲୋକଙ୍କୁ ଯେତେ ବାହୁସ୍ଫୋଟ ମାରି କହିଲେ ମଧ୍ୟ ପ୍ରକୃତରେ ଆମେ ଖୁସି ଥାଉ କି? ପୁତ୍ର କନ୍ୟାଙ୍କର ଉଲ୍ଲେଖନୀୟ ସଫଳତା ବିଷୟରେ ବଖାଣିଲେ ଆମେ ଯେତିକି ଉପର ଦେଖାଣିଆ ଆନନ୍ଦ ପାଉ କିନ୍ତୁ ଭିତରଟା ଆମର ହା-ହୁତାଶରେ ଜଳୁଥାଏ। ପ୍ରତ୍ୟେକ ପିତାମାତା ଚାହାନ୍ତି ଯେଉଁ ଚାରା ଗଛକୁ ଆଦର ଯତ୍ନ କରି ବଢ଼ାଇଥାନ୍ତି, ସେହି ଚାରାଟି ଯେତେବେଳେ ମହାଦ୍ରୁମରେ ପରିଣତ ହୁଏ ତା’ର ଛାୟା ତଳେ ଟିକିଏ ମୁଣ୍ଡଗୁଞ୍ଜି ବାକି ସମୟ ଟିକକ ବିତାଇ ଦେବାପାଇଁ। ହେଲେ କାହାରି କାହାରି ଭାଗ୍ୟରେ ଏତକ ଖୁସି ବି ନଥାଏ। ଏମିତି ବି ହୁଏ ଅଜାଗା ଘା ନା ନିଜେ ଦେଖିହୁଏ ନା କାହାକୁ ଦେଖାଇ ହୁଏ। ଏଇଠି ଗୋଟାଏ ପ୍ରଶ୍ନ ମୁଣ୍ଡକୁ ଆସୁଛି ଆଜି ଅନେକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛତୁ ଫୁଟିଲା ପରି ସୃଷ୍ଟି ହେଉଛି; କିନ୍ତୁ ପ୍ରକୃତ ଜୀବିକା ଓ ଜୀବନ ଉପଯୋଗୀ ଶିକ୍ଷା ଅର୍ଥାତ୍‌ ଜୀବନଯୁଦ୍ଧରେ ଜୟଲାଭ କରିବାର କୌଶଳ ଆମେ ଆମ ପିଲାମାନଙ୍କୁ ଦେଇ ପାରିଲୁ ନାହିଁ। ଆମେ କେବଳ ପିଲାଙ୍କୁ ପରୀକ୍ଷାରେ କିଭଳି ଅଧିକ ନମ୍ବର ଆଣି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ହେବ ସେହି ଶିକ୍ଷା ଦିନ ରାତି ଶିଖାଇଲୁ। କେବଳ ପାଠ ଆଉ ପାଠ। ପାଠଛଡ଼ା ଯେମିତି ଏଇ ଜୀବନ ସଂପୂର୍ଣ୍ଣ ବୃଥା। ପାଠକୁ ଏତେ ମାତ୍ରାରେ ଆମେ ପ୍ରାଧାନ୍ୟ ଦେଉଛୁ ଯେ ପାଠ ଦି ଅକ୍ଷର ନ ପଢ଼ିଲେ ଯେମିତି ସେମାନଙ୍କ ଜୀବନ ବୃଥା। ବହୁ ବିଶିଷ୍ଟ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ପାଠ ନ ପଢ଼ି ମଧ୍ୟ ବିଶ୍ବ ଇତିହାସରେ ଅମର ତଥା ସଦା ସ୍ମରଣୀୟ ହୋଇ ରହିଛନ୍ତି। ଉଚ୍ଚ ଡିଗ୍ରୀ ନ ପାଇ ମଧ୍ୟ ଏମାନେ ଇତିହାସ ରଚିଛନ୍ତି। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଭିତରେ ସଂଗ୍ରାମ ସଙ୍ଘର୍ଷ କରି ଜୀବନ ଯୁଦ୍ଧର କୌଶଳ ଶିକ୍ଷା କରିଛନ୍ତି। ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ସେମାନେ ଉଠିଛନ୍ତି। ୧୯୨୧ ମସିହାରେ ଆଇନଷ୍ଟାଇନ ବିଶ୍ବର ସର୍ବୋଚ୍ଚ ନୋବେଲ ପୁରସ୍କାର ପାଇଥିଲେ। କିନ୍ତୁ ବଡ଼ ଦୁଃଖର କଥା ସେ ପାଠ ପଢ଼ିଲା ବେଳେ ଏତେ ଭଲ ମାର୍କ ରଖି ନଥିଲେ। ତେଣୁ ଶିକ୍ଷକ ତାଙ୍କୁ ଅଧାରୁ ସ୍କୁଲରୁ ବିତାଡ଼ିତ କରିଥିଲେ। ତାଙ୍କୁ ବୋକା କହି ଅପମାନ ମଧ୍ୟ ଦେଇଥିଲେ। କିନ୍ତୁ ଏପରି ବୋକା ବାଳକଟି ଯେ ଦିନେ ଜଣେ ପ୍ରଖାତ ବୈଜ୍ଞାନିକ ହେବ ସେ କଥା କିଏ ଜାଣିଥିଲା? କେବଳ ନିଷ୍ଠା ଓ ଦୃଢ଼ ସଂକଳ୍ପ ଦ୍ବାରା ଏହା ସମ୍ଭବ ହୋଇଥିଲା।

ସେହିପରି ଥୋମାସ ଏଡିସନଙ୍କୁ ବୋକା କହି ଶ୍ରେଣୀରୁ ଶିକ୍ଷକ ବିଦା କରି ଦେଇଥିଲେ। କିନ୍ତୁ ପରେ ସେହି ବୋକା ବାଳକ ବିଦ୍ୟୁତ ବଲ୍‌ ଉଦ୍ଭାବନ କରି ସାରା ଦୁନିଆକୁ ଉଳ କରି ଇତିହାସ ରଚିଥିଲେ। ଅଧାରୁ ପାଠ ଛାଡ଼ିଥିବା ବିଲ୍‌ ଗେଟ୍‌ସ ଦିନେ ଦେଶର ସବୁଠାରୁ ବଡ଼ ଧନୀବ୍ୟକ୍ତି ହେବେ ଏକଥା କିଏ ଜାଣିଥିଲା? ଆବ୍ରାହାମ ଲିଙ୍କନଙ୍କ ସଙ୍ଘର୍ଷପୂର୍ଣ୍ଣ ଜୀବନ ତ ପୃଥିବୀ ଇତିହାସରେ ସ୍ମରଣୀୟ। ହ୍ୟାରି ପୋର୍ଟର ପୁସ୍ତକର ରଚୟିତା ଜେକେ ରୋଲିଙ୍ଗ୍ କେତେ ବିଖ୍ୟାତ ହୋଇଥିଲେ, କିନ୍ତୁ କେତେ ସଙ୍ଘର୍ଷମୟ ଜୀବନ କଟାଇ ନଥିଲେ ସେ। ତଥାପି ଜୀବନରେ ସେ ହାରି ଯାଇନଥିଲେ। ଏହି ପ୍ରସଙ୍ଗ ଏଠାରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଆମେ କ’ଣ ଆମ ପିଲାଙ୍କୁ ଏମିତି ଗୋଟାଏ ରୋବର୍ଟ ଯନ୍ତ୍ର ସ୍ବରୂପ ନିର୍ମାଣ କରିବା ଯାହାଙ୍କ ହୃଦୟରେ କୌଣସି ଆବେଗ ନଥିବ, ସ୍ନେହ ଶ୍ରଦ୍ଧା, ଦୟା କ୍ଷମା, କାହା ପ୍ରତି ଆଦର ଯତ୍ନ, ଭଲ ପାଇବା ଇତ୍ୟାଦି କିଛି ନଥିବ। କେବଳ ଅଣ ନିଃଶ୍ବାସୀ ଅର୍ଥ ପଛରେ ଧାଇଁବାର ମୂଲ୍ୟ କ’ଣ? ବଡ଼ ଦୁଃଖର ସହିତ କହିବାକୁ ହେଉଛି ଜୀବନ ଯୁଦ୍ଧରେ ସଫଳତାର ସହ କିପରି ଯୁଝିବ ସେ କୌଶଳ, ଶିକ୍ଷା ଆମେ ପିଲାମାନଙ୍କୁ ଦେଇ ପାରିଲୁ ନାହିଁ।

ଭାରତବର୍ଷ ଭଳି ଗୋଟିଏ ବିକାଶଶୀଳ ତଥା ମାନବସମ୍ବଳ ପୃଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ରରେ କିଭଳି ସଚେତନ ସୁନାଗରିକଟିଏ ସୃଷ୍ଟି ହୋଇପାରିବ ସେଥିପ୍ରତି ଆମର ଧ୍ୟାନ ନାହିଁ। ଶିକ୍ଷା ପଦ୍ଧତିରେ ଥିବା ତ୍ରୁଟିକୁ ସୁଧାରିବା ପାଇଁ ଯଦି ବିଭିନ୍ନ ସମୟରେ ବିଭିନ୍ନ କମିସନ ଯଥା ମୁଦାଲିଅର କମିସନ, କୋଠାରି କମିସନ, ରାଧାକ୍ରିଷ୍ଣନ କମିସନ ଗଢ଼ି ଉଠିଛି, ତଥାପି ପିଲାଙ୍କର ଚାପ ହ୍ରାସ ହେଉନାହିଁ। ଆଜି ବି ଛାତ୍ରଛାତ୍ରୀମାନେ ପରୀକ୍ଷାବେଳେ ମାନସିକ ଚାପର ଶିକାର ହେଉଛନ୍ତି। ପ୍ରାୟତଃ ଦେଖା ଯାଉଛି ପିଲାଙ୍କୁ ପ୍ରାକ୍ଟିକାଲ ଶିକ୍ଷା ପ୍ରଦାନ ଅପେକ୍ଷା ପାଠ୍ୟ ପୁସ୍ତକ ଘୋଷିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି, ଯାହା ପିଲାଟି ଉପରେ ଗଭୀର ଚାପ ସୃଷ୍ଟି କରୁଛି। ଜଣେ ଛାତ୍ର ଅଧିକ ନମ୍ବର ନରଖି ମଧ୍ୟ ଉଚ୍ଚ ଆସନର ଅଧିକାରୀ ହୋଇପାରିବ। ଏପରିକି ବହୁତ କ୍ରୀଡ଼ାବିତ୍‌, ଚିତ୍ରକର, ସାହିତ୍ୟିକ, ସିନେମାତାରକା ଅଛନ୍ତି ଯେଉଁମାନେ ବିନା ପରୀକ୍ଷାରେ ମଧ୍ୟ ବଡ଼ ମଣିଷ ହୋଇପାରିଛନ୍ତି। ଆଜିର ପିତାମାତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଚାହିଁଲେ ପିଲାଙ୍କ ଭିତରେ ଆତ୍ମବିଶ୍ବାସର ବୀଜ ରୋପଣ କରିପାରିବେ। ଏହା ସେମାନଙ୍କର ପ୍ରମୁଖ ଦାୟିତ୍ବ ହେବା ଆବଶ୍ୟକ। ପିଲାଙ୍କ ମନରେ ପିତାମାତା ଓ ଶିକ୍ଷକମାନେ ଯଦି ଆତ୍ମବିଶ୍ବାସ ଭରିଦେଇ ଜୀବନର ପ୍ରତିଟି ମୁହୂର୍ତ୍ତରେ ଭେଟୁଥିବା ସମସ୍ୟା ବିରୋଧରେ ଶିକ୍ଷା ଦେବେ, ତେବେ ତାହା ହିଁ ହେବ ଯୁଗୋପଯୋଗୀ ଉପଯୁକ୍ତ ଶିକ୍ଷା। ସେ ଆଉ ଜୀବନ ଯୁଦ୍ଧରେ ହାରି ଯିବନି।

Comments are closed.