ପରିବେଶ ଅନୁକୂଳ ହୋଲି
ସମାଜ: ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ହୋଲିକୁ ସ୍ବାଗତ କରାଯିବା ଉଚିତ୍; କାରଣ ବସନ୍ତ ଋତୁରେ ମଣିଷ ଶରୀର ଉପରେ ବସନ୍ତ ରୋଗର ପ୍ରାଦୁର୍ଭାବ ପରିଲକ୍ଷିତ ହୁଏ। ହୋଲିରେ ବ୍ୟବହୃତ ‘ଅବିର’ ବସନ୍ତ ରୋଗର ନିରାକରଣ ପୂର୍ବକ ଆରୋଗ୍ୟ ନିମନ୍ତେ ପ୍ରତିଷେଧକ ମହୌଷଧି। ଫଗୁଖେଳ ଚନ୍ଦନ, କର୍ପୂର, କସ୍ତୁରୀ, ମିଶ୍ରିତ ଅବିର ଜଳ ପିଚକାରି ଦ୍ବାରା କ୍ରୀଡ଼ା କରିବା ଫଳରେ ବସନ୍ତ ରୋଗକୁ ପ୍ରତିରୋଧ କରିହୁଏ। ଏହି ଫଗୁରଙ୍ଗ ପାଳୁଅ, ଶତାବରୀ, ମୁଥା, ଅଙ୍କରାନ୍ତି ଓ ସିନ୍ଦୂରରେ ତିଆରି ହୋଇଥାଏ। ଉପଯୁକ୍ତ ଚେରମୂଳିର ଗୁଣ୍ଡ କେବଳ ଖେଳ ପାଇଁ ଉଦ୍ଦିଷ୍ଟ ନ ଥିଲା। ଏହା ଔଷଧୀୟ ଗୁଣାବଳୀରେ ସମୃଦ୍ଧ। ଏହା ସ୍ବାସ୍ଥ୍ୟଭିତ୍ତିକ ଓ ଜୀବାଣୁନାଶକ। ପ୍ରତ୍ୟେକ ପୁରାଣ ଓ ସାଂସ୍କୃତିକ ଅନୁଷ୍ଠାନର ମୂଳ ଭିତ୍ତିରେ ନିର୍ଦ୍ଦିଷ୍ଟ ବୈଜ୍ଞାନିକ କାରଣ ନିହିତ। ମିଳିମିଳା, ବସନ୍ତ ଓ ଅନ୍ୟାନ୍ୟ ଚର୍ମରୋଗ ନାଶକ ହୋଇଥିବାରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମାଜରେ ଫଗୁଖେଳକୁ ଉଭୟ ସ୍ବାସ୍ଥ୍ୟ ଓ ମନୋରଞ୍ଜନ ଦୃଷ୍ଟିରୁ ପ୍ରବର୍ତ୍ତନ କରାଯାଇଥିଲା। ଅତଏବ ବିଜ୍ଞାନଭିତ୍ତିକ ରଙ୍ଗ ଖେଳ ଲୋକଙ୍କ ମନରେ ଧାର୍ମିକ ମାଦକତା ଭରି ଦେଇଥାଏ।
ହୋଲିର ପବିତ୍ରତା ଓ ମାଦକତା ବର୍ତ୍ତମାନ ହ୍ରାସ ପାଇବାରେ ଲାଗିଛି। କେତେକଙ୍କ ପାଇଁ ଫେସନ ପାଲଟି ଯାଇଛି। ଆଗ କାଳରେ ହୋଲିରେ ନାନାବିଧ ପୁଷ୍ପ ଓ ଚେରମୂଳରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗ ସବୁ ବ୍ୟବହାର କରାଯାଉଥିଲା; କିନ୍ତୁ ଆଜିକାଲି କୃତ୍ରିମ ରାସାୟନିକ ରଙ୍ଗ ବ୍ୟବହାର କରାଯାଉଥିବାରୁ ଏହା ଶରୀର ପକ୍ଷେ ଅତ୍ୟନ୍ତ କ୍ଷତି ପହଞ୍ଚାଉଛି। ଏହି ମହାନ ଉତ୍ସବରେ କ୍ରମେ ଅବିର, ଫଗୁ ଓ ଚନ୍ଦନକର୍ପୂର ରଙ୍ଗିନ ପିଚକାରି ବଦଳରେ ପୋଡ଼ା ମୋବିଲ, ଆଲକାତରାଠାରୁ ଆରମ୍ଭ କରି ଏସିଡ ପରି ମାରାତ୍ମକ ଉଗ୍ର ରାସାୟନିକ ମିଶ୍ରଣ କରାଯାଉଛି। ଏହା ଚର୍ମ, ଚକ୍ଷୁ ଓ ଜୀବନ ପାଇଁ ମଧ୍ୟ ବିପଜ୍ଜନକ।
ଡାକ୍ତରମାନେ ରାସାୟନିକ ରଙ୍ଗ ବ୍ୟବହାର ନ କରିବା ପାଇଁ ଉପଦେଶ ଦେଇ ଆସୁଛନ୍ତି। ଡାକ୍ତରଙ୍କ ମତରେ ଶୁଖିଲା ରଙ୍ଗ ବ୍ୟବହାର କଲେ ଏହା ପରିବେଶ ଉପଯୋଗୀ ହୋଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଆମେ ବ୍ୟବହାର କରୁଥିବା କଳାରଙ୍ଗର ରାସାୟନିକ ରଙ୍ଗରେ ଲିଡ୍ ଅକ୍ସାଇଡ ନାମକ ରସାୟନ ଥିବାରୁ ଏହା ଆମ ଶରୀରରେ ମୂତ୍ରାଶୟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିଥାଏ। ସବୁଜ ରାସାୟନିକ ରଙ୍ଗରେ କପର ସଲଫେଟ ଥିବାରୁ ତାହା ବ୍ୟବହାର କରିବା ଦ୍ବାରା ଆଖିେର ଆଲର୍ଜି ଓ ସାମୟିକ ଦୃଷ୍ଟିଦୋଷ ହୋଇଥାଏ। ସିଲଭର ରଙ୍ଗରେ ଆଲୁମିନିୟମ କ୍ରୋମାଇଡ ନାମକ ରସାୟନ ଥିବାରୁ ତାହା ବ୍ୟବହାର କରିବା ଦ୍ବାରା ଏହା କ୍ୟାନସର ସୃଷ୍ଟି କରିଥାଏ। ନୀଳ ରାସାୟନିକ ରଙ୍ଗରେ ପ୍ରୁସିୟାନ ବ୍ଲୁ ଥିବାରୁ ଏହା ସଂକ୍ରମଣଜନିତ ରୋଗ ଓ ଲାଲ୍ ରାସାୟନିକ ରଙ୍ଗରେ ମରକ୍ୟୁରି ସଲଫାଇଟ ବିଷାକ୍ତ ହୋଇଥବାରୁ ଏହା ବ୍ୟବହାର କଲେ ଚର୍ମକର୍କଟ ସୃଷ୍ଟି ହୋଇଥାଏ।
ଆଜିକାଲି ଚେରମୂଳି ରଙ୍ଗର ଆଦର ଦେଖିବାକୁ ମିଳୁଛି। ଘରୋଇ ସାମଗ୍ରୀକୁ ନେଇ ପରିବେଶ ଅନୁକୂଳ ରଙ୍ଗ ପ୍ରସ୍ତୁତ କରାଯାଇ ପାରୁଛି। ହଳଦିଆ ରଙ୍ଗ ପ୍ରସ୍ତୁତ ପାଇଁ ହଳଦୀଗୁଣ୍ଡ, ବେସନଗୁଣ୍ଡ ଓ ଗେଣ୍ଡୁଫୁଲର ସିଝାପାଣିକୁ ବ୍ୟବହାର କରାଯାଉଛି। ସେହିପରି ଗୋଲାପୀ ରଙ୍ଗ ପ୍ରସ୍ତୁତ ପାଇଁ ବିଟ୍କୁ କାଟି ଛୋଟ ଛୋଟ ଖଣ୍ଡରେ ପରିଣତ କରି ପାଣିରେ ଦୀର୍ଘ ସମୟ ଭିଜାଇ କିମ୍ବା ସାମାନ୍ୟ ସିଝାଇ ଦିଆଯାଉଛି। ହେନା ବା ମେହେନ୍ଦିକୁ ଜଳରେ ମିଶାଇ କମଳା ରଙ୍ଗ ପ୍ରସ୍ତୁତ କରାଯାଉଛି।
ଏ ପ୍ରସଙ୍ଗରେ ଆମକୁୁ କେତେକ ସାଧାରଣ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ପ୍ରଥମତଃ, ବିଷାକ୍ତ ରାସାୟନିକ ରଙ୍ଗ ବ୍ୟବହାର ନକରିବା। ଦ୍ବିତୀୟତଃ, ହୋଲି ପାଇଁ ନିଆଁ ଜାଳିବା ସମୟରେ କାଠର ବ୍ୟବହାର। ପରିବେଶକୁ ସୁରକ୍ଷା କରିବା ପାଇଁ ହୋଲିକା ପ୍ରଜ୍ବଳନ ସମୟରେ କେବଳ ସାମାନ୍ୟ ନଡ଼ା ବ୍ୟବହାର କରାଯାଇପାରିବ। ଅଯଥା ଗଛ କାଟି କାଠ ନଷ୍ଟ କଲେ ଏହା ପରିବେଶ ଉପରେ କୁପ୍ରଭାବ ପକାଇଥାଏ। ତୃତୀୟତଃ ହୋଲି ଖେଳି ସାରିବା ପରେ ଜଳ ନଷ୍ଟ। ଜଳ ଅମୂଲ୍ୟ ସମ୍ପଦ। ହୋଲି ଖେଳି ସାରିବା ପରେ ଦେହରୁ ରଙ୍ଗ ସଫା କରବା ପାଇଁ ଯେପରି ଅଧିକ ଜଳ ନଷ୍ଟ ନ ହୁଏ ସେଥିପାଇଁ ଦୃଷ୍ଟି ଦେବାକୁ ପଡ଼ିବ। ଶୁଖିଲା ବା ଘରୋଇ ରଙ୍ଗ ବ୍ୟବହାର କଲେ ଧୋଇବାରେ ବିଶେଷ ସମସ୍ୟା ହେବ ନାହିଁ। ହୋଲିର ରଙ୍ଗ ଛଡ଼ାଇବା ପାଇଁ ଜଳରେ ବିଶେଷକରି ଗଭୀର ସ୍ରୋତ ଥିବା ନଈରେ ସ୍ନାନ କଲାବେଳେ ଜୀବନ ଯିବା ନୂଆକଥା ନୁହେଁ। ଏଥିପ୍ରତି ସତର୍କ ହେବା ନିତାନ୍ତ ଜରୁରୀ।
Comments are closed.