ଅନ୍ଧାରୀ ମୂଲକ ‘ଚଞ୍ଚଳା ପଡ଼ା’
ଲଡୁଗାଁ: ମୁହଁ ସଞ୍ଜ ହୋଇଗଲେ ଗାଁକୁ ବାହୁଡ଼ି ଆସୁଛନ୍ତି ଲୋକେ । ଅନ୍ଧାର ହୋଇଗଲେ ସାହି ଭିତରେ ଘରକୁ ଯିବେ କେମିତି? ଏଥିପାଇଁ ଭୟ ଘାରିଛି । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୨ ବର୍ଷ ହେଲା ଚଞ୍ଚଳା ପଡାର ଲୋକେ ଅନ୍ଧାରରେ ରହୁଛନ୍ତି । ଗାଁରେ ମିଟର ବଣ୍ଟାଯାଇଛି । ବିଦ୍ୟୁତ ଖୁଣ୍ଟ ବି ପୋତାଯାଇଛି । ହେଲେ ଏପର୍ଯ୍ୟନ୍ତ ସାହିରେ ଆଲୁଅର ଦେଖା ଦର୍ଶନ ନାହିଁ । ଲୋକେ ଅନ୍ଧାର ଭିତରେ ଘର କରିନେଇଛନ୍ତି । ସମସ୍ୟା ନେଇ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରକାର ସମାଧାନ ହୋଇପାରିନି । ବିଦ୍ୟୁତ ବିଭାଗର ଟାଳଟୁଳ ନୀତି ଯୋଗୁ ଅସୁବିଧା ଭୋଗୁଛନ୍ତି ଗରିବ ଖଟିଖିଆ । କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତରେ ରହିଛି ପାତ୍ରବସା ଗାଁ, ଆଉ ଏ ଗାଁ ପ୍ରବେଶ ଦ୍ୱାରରେ ରହିଛି ଚଞ୍ଚଳାପଡା । ବସତି ସ୍ଥାପନକୁ ୨୫ ବର୍ଷ ହୋଇଥିବାବେଳେ ଏହି ପଡାରେ ୮ ରୁ ୧୦ ଘର ବାସବାସ କରନ୍ତି। ଲୋକଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଗାଁରେ ଆଜକୁ ୧୨ ବର୍ଷ ହେବ ମିଟର ବଣ୍ଟା ଯାଇଥିବା ଓ ୬ ମାସ ତଳେ ବିଦ୍ୟୁତ ଖୁଣ୍ଟି ପୋତା ଯାଇଥିବା ଗ୍ରାମବାସୀ କୁହନ୍ତି । ଏହାପରେ ପଡାର ପ୍ରତି ଘରେ ବିଦ୍ୟୁତ୍ ଲାଗିବାର ଥିଲା । ୧୨ ବର୍ଷ ହେବ ଆଜି ଯାଏ ପଡାକୁ ଆଉ ବିଜୁଳି ଆସି ପାରି ନାହିଁ। ଫଳରେ ଲୋକେ ବହୁ କଷ୍ଟରେ ବନ୍ୟଜନ୍ତୁ ଭଳି ଜୀବନ କାଟୁଛନ୍ତି । ଏ ନେଇ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆଙ୍କୁ ପଚାରିବାରୁ, ବିଭାଗକୁ ଜଣାଯାଇଛି, କରିଦେବୁ କହିଲେ କିନ୍ତୁ କାହିଁକି ଏଯାଏଁ ସଂଯୋଗ କରିନାହାନ୍ତି ତାହା ଦୁଃଖର ବିଷୟ। ବିଭାଗୀୟ ଅଧିକାରୀଙ୍କ ସହ କଥା ହେବି ବୋଲି କହିଛନ୍ତି । ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ । ଏଥିରୁ ବିଭାଗ ଓ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କର ଗରିବ ଖଟିଖିଆଙ୍କ ପ୍ରତି ଅବହେଳା ଓ ବୈମାତୃକ ମନୋଭାବ ସ୍ପଷ୍ଟ ଓ ଜଳଜଳ ହୋଇ ବାରି ହୋଇପଡୁଛି। ଏହାସହ କୋକସରା ଅଞ୍ଚଳରେ ଟାଟା ପାୱାରର ଦୁର୍ନୀତିର ଭିତିରି ଗୁମର ରହିଛି, ଯାହା ତଦନ୍ତ କଲେ ଆଗାମୀ ଦିନରେ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
Comments are closed.