ସନାତନ ଧର୍ମରେ ଭଗବାନ ଗଣେଶଙ୍କୁ ପ୍ରଥମ ପୂଜ୍ୟ ବୋଲି ମାନ୍ୟତା ରହିଛି। ସପ୍ତାହର ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ସମର୍ପିତ। ଏହି ଦିନ ଗଣେଶଙ୍କ ପୂଜା ଓ ବୁଧ ଗ୍ରହ ସହ ଜଡିତ କିଛି ଉପାୟ କରିବା ଦ୍ୱାରା ଜୀବନରେ ଶୁଭଫଳ ପ୍ରାପ୍ତି ହୋଇଥାଏ। ବୁଧବାର ଦିନ ପ୍ରଭୁ ଗଣେଶଙ୍କ ସହ କିଛି ଜ୍ୟୋତିଷ ଉପାୟ କରିବା ଦ୍ୱାରା ଜାତକରେ ବୁଧଙ୍କ ସ୍ଥିତି ମଜଭୂତ ହୋଇଥାଏ।ଜୀବନରେ ଆସିବାକୁ ଥିବା ବାଧା ମଧ୍ୟ ଦୂର ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜାତକରେ ବୁଧଙ୍କ ସ୍ଥିତି ଖରାପ ହେବା ଦ୍ୱାରା ବ୍ୟକ୍ତି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ। ରୋଗ,ଧନ ଜନିତ ସମସ୍ୟା ଆଦିର ସାମ୍ନା କରିବାକୁ ପଡିଥାଏ। କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ।
ଭଗବାନ ଗଣେଶଙ୍କ ପୂଜା କରିବା ଦ୍ୱାରା ରିଦ୍ଧି-ସିଦ୍ଧି,ଶୁଭ-ଲାଭ ଓ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଗଣେଶଙ୍କ କୃପାରୁ କାର୍ଯ୍ୟରେ ଥିବା ବାଧା ଦୂର ହେବା ସହ ସଫଳତା ମିଳିଥାଏ।
ପ୍ରଭୁ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବୁଧବାର ଦିନ ବିଧିରେ ପ୍ରଭୁଙ୍କ ପୂଜା କରନ୍ତୁ। ଘରୁ ବାହାରିବା ସମୟରେ ପ୍ରଭୁଙ୍କୁ ଦର୍ଶନ କରନ୍ତୁ। ହଳଦିଆ ଚନ୍ଦନର ତିଳକ ପ୍ରଭୁଙ୍କୁ ଲଗାନ୍ତୁ। ଏହାପରେ ନିଜ ମଥାରେ ମଧ୍ୟ ଏହି ତିଳକ ଲଗାନ୍ତୁ। ଏହାଦ୍ୱାରା ଭଗବାନ ଗଣେଶଙ୍କ କୃପା ପ୍ରାପ୍ତି ହୋଇଥାଏ।
ଆର୍ଥିକ ସମସ୍ୟା ଲାଗି ରହୁଥିଲେ, ବୁଧବାର ଦିନ ପୂଜା କରିବା ସମୟରେ ଗଣେଶଙ୍କୁ ଦୁବ ଘାସ ଓ ମୋଦକ ଅର୍ପଣ କରନ୍ତୁ। ଏହାଦ୍ୱାରା ଆୟରେ ବୃଦ୍ଧି ହେବା ସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଅଟକି ଥିବା କାର୍ଯ୍ୟରେ ମଧ୍ୟ ସଫଳତା ମିଳିଥାଏ।
ମାନ୍ୟତା ଅନୁଯାୟୀ, ଭଗବାନ ଗଣେଶଙ୍କୁ ମୋଦକ ଖୁବ୍ ପ୍ରିୟ। ତେଣୁ ପୂଜାରେ ମୋଦକ ନିଶ୍ଚୟ ଅର୍ପଣ କରନ୍ତୁ। ଏହାଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥାଏ।
ଏହା ବ୍ୟତୀତ ଜାତକରେ ବୁଧଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଗାଈଙ୍କୁ ସବୁଜ ଘାସ ଖୁଆନ୍ତୁ। ଏହାଦ୍ୱାରା ପ୍ରଭୁ ଗଣେଶଙ୍କ ସହ ଅନ୍ୟ ଦେବାଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।
ଏହି ଦିନ ପ୍ରଭୁ ଗଣେଶଙ୍କ ୧୧ ଥର ଗଣେଶ ଚାଳିଶା ଓ ଗଣେଶ ସ୍ତୋତ ପାଠ କରନ୍ତୁ। ଏହାଦ୍ୱାରା ସମସ୍ତ ସମସ୍ୟା ଦୂର ହେବା ସହ ପରିବାରରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ।
.



