ହିମାଚଳରେ ବିଦ୍ରୋହୀଙ୍କ ନେତୃତ୍ୱ ନେଇ ଚର୍ଚ୍ଚାରେ କଂଗ୍ରେସର ଏହି ବିଧାୟକ: ପୂର୍ବରୁ ବିଜେପିରୁ ଆସିଥିଲେ

ସିମଲା: ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ କ୍ରସ୍‍ ଭୋଟିଂ କରି ୬ଜଣ କଂଗ୍ରେସ ବିଧାୟକ ଚର୍ଚ୍ଚାରେ ରହିଛନ୍ତି । ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇ ସୁଖବିନ୍ଦର ସିଂ ସୁଖୁଙ୍କ ସରକାରକୁ ଭାଙ୍ଗିବାକୁ ଏମାନେ ଯୋଜନା କରିଥିବା କୁହାଯାଉଛି । ଶାସକ ଦଳର ବିଧାୟକ ସୁଧୀର ଶର୍ମା (ଧରମଶାଲା), ରାଜେନ୍ଦ୍ର ରାଣା (ସୁଜନପୁର), ଇନ୍ଦ୍ର ଦତ୍ତ ଲଖନପାଲ (ବଡର୍ସର) ରବି ଠାକୁର (ଲାହୋଲ-ସ୍ପିତି) ଚୈତନ୍ୟ ଶର୍ମା (ଗାଗ୍ରେଟ୍‍) ଏବଂ ଦେବେନ୍ଦ୍ର ଭୁଟ୍ଟୋ (କୁଟଲୋହଡ) କ୍ରସ୍‍ ଭୋଟ୍‍ ଦେଇଛନ୍ତି । ରାଜେନ୍ଦ୍ର ରାଣା ସମସ୍ତ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଛନ୍ତି । ରାଜେନ୍ଦ୍ର ସ୍ପଷ୍ଟ ଭାବେ କହିଛନ୍ତି ଯେ ପର୍ଯ୍ୟନ୍ତ ସୁଖବିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବ ନାହିଁ ସେ ପର୍ଯ୍ୟନ୍ତ ଚୁପ ବସିବେ ନାହିଁ ।
ଏକଦା ବିଜେପିରେ ଥିବା ରାଜେନ୍ଦ୍ର ରାଣା ପ୍ରେମ କୁମାର ଧୁମଲଙ୍କ ଶିଷ୍ୟ ଥିଲେ । ଧୁମଲଙ୍କ ପୁରା ନିର୍ବାଚନର ଦାୟିତ୍ୱ ରାଣାଙ୍କ କାନ୍ଧରେ ରହୁଥିଲା । ତେବେ ଧୁମଲ ସରକାରଙ୍କ କାର୍ଯ୍ୟକାଳ ସମୟରେ ଶିମଲାର ଏକ ଘରୋଇ ହୋଟେଲରେ ଟଙ୍କା କାରବାର ନେଇ ତାଙ୍କ ପରିବାର ଉପରେ ପ୍ରଶ୍ନ ଉଠିଥିଲା । ସେହି ସମୟରେ ବିଜେପି ଛାଡି ୨୦୧୨ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ଜିତିଥିଲେ ରାଜେନ୍ଦ୍ର । ରାଜ୍ୟରେ ବୀରଭଦ୍ର ସଂହଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠନ ହେବା ପରେ ରାଜେନ୍ଦ୍ର ସେହି ସମୟରେ ସରକାରଙ୍କୁ ସମର୍ଥନ ଜଣାଇଥିଲେ । ପରେ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । ହମିରପୁରରୁ ଲୋକସଭା ପ୍ରାର୍ଥୀ ଭାବେ କଂଗ୍ରେସରୁ ଲଢିବା ବେଳେ ରାଣା ଅନୁରାଗ ଠାକୁରଙ୍କ ଠାରୁ ପରାସ୍ତ ହୋଇଥିଲେ । ଏହାପରେ ରାଜେନ୍ଦ୍ରଙ୍କୁ କଂଗ୍ରେସ ସରକାର ହିମାଚଳ ପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରିଥିଲେ ।
୨୦୧୭ ବିଧାନସଭା ନିର୍ବାଚନରେ ସମାନ ଆସନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୁମଲଙ୍କୁ ପରାସ୍ତ କରିଥିଲେ ରାଜେନ୍ଦ୍ର । ଏହି କାରଣରୁ ବିଜେପିର ବିଜୟ ସତ୍ୱେ ମୁଖ୍ୟମନ୍ତ୍ରୀ ପଦରୁ ବଂଚିତ ହୋଇଥିଲେ ଧୁମଲ । ତାଙ୍କ ସ୍ଥାନରେ ଜୟରାମ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।
ନିକଟରେ ନିଜ ନିର୍ବାଚନମଣ୍ଡଳୀରେ ଜନତାଙ୍କୁ ସମ୍ବୋଧନ କରି ରାଣା କହିଥିଲେ ଯେ ଗତ ବର୍ଷ ହୋଲିରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସୁଜନପୁର ପାଇଁ ଅନେକ ଘୋଷଣା କରିଥିଲେ । ସେଥିମଧ୍ୟରୁ ମାତ୍ର ଦୁଇଟି ପୁରଣ ହୋଇଛି । କୁହାଯାଉଛି ଯେ ମନ୍ତ୍ରୀମଣ୍ଡଳରେ ରାଣାଙ୍କୁ ସାମିଲ କରାଯିବାରୁ ଅସନ୍ତୋଷ ବଢିବା ଆରମ୍ଭ ହୋଇଥିଲା ।

Comments are closed.