ଦାବୀ ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ

ଜି.ଉଦୟଗିରି: ସ୍ଥାନୀୟ ପଞ୍ଚାୟତ ସମିତି ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମପଞ୍ଚାୟତ ସ୍ଥିତ ୧୦ ଗୋଟି ଗ୍ରାମର ଅଧିବାସୀ ମଙ୍ଗଳବାର ଦିନ ବିଭିନ୍ନ ଦାବୀ ନେଇ ଜି.ଉଦୟଗିରି ବିଡିଓଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟକୁ ଏକ ଦାବୀ ପତ୍ର ପ୍ରଦାନ କରିଥିବା ବେଳେ ସ୍ଥାନୀୟ ତହସିଲଦାରଙ୍କୁ ମଧ୍ୟ ଦାବୀ ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମପଞ୍ଚାୟତ ସ୍ଥିତ ୧୦ଗୋଟି ଗ୍ରାମର ପ୍ରାୟ ୫ଶହ ମହିଳା ଓ ପୁରୁଷ ହାତରେ ପ୍ଳାକାର୍ଡ ଧରି ମଙ୍ଗଳବାର ମଧ୍ୟାହ୍ନ ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ଗୋଷ୍ଟୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତାଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲଙ୍କ ନିକଟକୁ ଦାବୀପତ୍ର ପ୍ରଦାନ କରିଥିବା ବେଳେ ସେଠାରୁ ପୁଣୀ ଧାଡି ବାନ୍ଧି ଶୃଙ୍ଖଳିତ ଭାବେ ସମସ୍ତେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ରଞ୍ଜନ କୁମାର ସାହୁଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ଦାବୀ ଗୁଡିକ ହେଲା ନେଟଓ୍ବାର୍କ ସମସ୍ୟାକୁ ଦୁର କରିବାପାଇଁ ତୁରନ୍ତ ବିଏସଏନଏଲ ୨ଜି ଟାଓ୍ବାରକୁ ବଦଳାଇ ୪ଜି ଟାଓ୍ବାର ନିର୍ମାଣ, ବସୁଧା ଯୋଜନା କାର୍ଯ୍ୟକାରୀ, ଶ୍ରୀରାମପଦା ଠାରୁ ରଟିଙ୍ଗିଆ ଗ୍ରାମପଞ୍ଚାୟତ ଅଞ୍ଚଳକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ତୁରନ୍ତ ନିର୍ମାଣ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଯଦି ଉକ୍ତ ସମସ୍ୟା ଗୁଡିକର ସମାଧାନ ନ ହୁଏ ତେବେ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେବୋଲି ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି। ଦାବୀପତ୍ର ପ୍ରଦାନ ସମୟରେ ରଟିଙ୍ଗିଆ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ବ୍ଳକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ, ବ୍ଳକ ଉପାଧ୍ୟକ୍ଷ ଏନ.ଲୁକ, ହୃଷିକେଶ ପ୍ରଧାନ, କରାଳ ମଲ୍ଲିକ, ଧର୍ମେନ୍ଦ୍ର ପ୍ରଧାନ, ପି.ପ୍ରକାଶ ରଞ୍ଜନ, ସଞ୍ଜୟ ପ୍ରଧାନଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ।

Comments are closed.