ବୁଢ଼ାରଜା – ଅଇଁଠାପାଲି ଅଞ୍ଚଳରେ ଦୁର୍ଘଟଣାକୁ ଆମନ୍ତ୍ରଣ

ସମ୍ବଲପୁର : ସମ୍ବଲପୁର ସହର ସମୟର ତାଳଦେଇ ବୃଦ୍ଧି ହୋଇ ଚାଲିଥିବା ବେଳେ ଜନସଂଖ୍ୟା ସହିତ ଯାନବାହନ ସଂଖ୍ୟା ମଧ୍ୟ ବେଶ ବୃଦ୍ଧି ପାଇଛି। ଫଳରେ ଐତିହ୍ୟ ସମ୍ପନ୍ନ ଏହି ସହରରେ ଥିବା ରାସ୍ତା ଗୁଡିକ ଏବେକାର ଆବଶ୍ୟକତାକୁ ପୁର୍ଣ୍ଣ କରିବାରେ ବିଫଳ ରହୁଛନ୍ତି। ଏଣୁ ଅନେକ ରାସ୍ତା ଗୁଡିକର ପ୍ରଶସ୍ତିକରଣ ସହିତ ଆଧୁନିକୀକରଣ କରାଯାଉଥିବା ବେଳେ ବହୁ ରାସ୍ତା ବାକି ରହିଛି। ବିଗତ କିଛି ମାସ ହେବା ସମ୍ବଲପୁରକୁ ପ୍ରବେଶ କରିବାର ପ୍ରମୁଖ ମାର୍ଗ ଅଇଁଠାପାଲି ଛକରୁ ବୁଢ଼ାରଜା, ଫାଟକ ଦେଇ ଆସୁଥିବା ବେଳେ ଏହି ରାସ୍ତାକୁ ମରାମତି ସହିତ ପ୍ରଶସ୍ତିକରଣ କରାଯିବ ବୋଲି କାର୍ଯ୍ୟାରମ୍ଭ କରାଯାଇଥିଲା।
ତେବେ ଏହି କାର୍ଯ୍ୟ ପ୍ରଥମରୁ ହିଁ ବିବାଦ ଘେରରେ ରହିଥିବା ବେଳେ ପ୍ରିୟାପ୍ରିତି ପୋଷଣର ଅଭିଯୋଗ ହୋଇ ଆସୁଛି। ଅନେକ ସ୍ଥାନରେ ରାସ୍ତାକୁ ପ୍ରଶସ୍ତ କରାଯାଇ ନ ଥିବା ବେଳେ ନାଳ ଗୁଡିକ ଅଙ୍କାବଙ୍କା କରି ନିର୍ମାଣ କରାଯାଇ କିଛିଟା ପେଚିଂ କାମ ସହିତ ନୂତନ ପିଚୁ ଢଳେଇ କରି ଛାଡି ଦିଆଯାଇଛି। ଏହାକୁ ନେଇ ଅନେକ ତୁମ୍ଭିତୁଫାନ ହୋଇଥିବା ବେଳେ ଏବେ ନୂତନ ବିବାଦ ମୁଣ୍ଡ ଟେକିଛି।
ଅଚାନକ କିଛି ଦିନ ତଳେ ରାତି ଅଧିଆ ଜନତାଙ୍କ ସହିତ ବିଚାର ବିମର୍ଶ ନକରି ସହରର ଅନ୍ୟତମ ପ୍ରମୁଖ ଘଞ୍ଚ ଜନବସତି ଅଞ୍ଚଳ ଏସଆରଆଇଟି କଲୋନୀ, ପ୍ରଧାନପଡା, କଲ୍ୟାଣ ନଗର ଆଦିର ଲୋକଙ୍କ ପାଇଁ ଏହି ରାସ୍ତା ନିତିଦିନିଆ ରାସ୍ତା ହୋଇଥିବା ବେଳେ ଅଚାନକ ଏସଆଇଆଇଟି କଲୋନୀ ସମ୍ମୁଖରେ ଥିବା ରାସ୍ତା ପାରି ହେବାର ବାଟକୁ ବନ୍ଦ କରି ଦିଆଯାଇଛି। ଫଳରେ ଲୋକେ ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା ପାଇଁ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଯାଇ ବୁଲିକି ଭୁଲ ମାର୍ଗରେ ଆସିବାକୁ ବାଧ୍ୟ ହେଉଛନ୍ତି। ଏଣୁ ନିୟମିତ ଏହି ଅଞ୍ଚଳରେ ଛୋଟ ଛୋଟ ଦୁର୍ଘଟଣା ଘଟୁଥିବା ବେଳେ ସମ୍ବଲପୁରର ଟ୍ରାଫିକ ପ୍ରଶାସନର ବ୍ୟବସ୍ଥା ଯେଭଳି ସେଥି ପାଇଁ କୌଣସି ସମୟରେ ମଧ୍ୟ ବଡ ଦୁର୍ଘଟଣା ଘଟି ଧନଜୀବନ ହାନି ହେବାର ସମ୍ଭାବନା ରହିଛ। ଇତି ମଧ୍ୟରେ ଏହି ଅଞ୍ଚଳରେ ରହୁଥିବା ଶତାଧିକ ପରିବାର ପୂର୍ତ୍ତ ବିଭାଗ କତ୍ତୃପକ୍ଷଙ୍କୁ ଦାବିପତ୍ର ଦେଇ ଏହି ରାସ୍ତାକୁ ଖୋଲିବା ପାଇଁ ଅନୁରୋଧ କରିଥିବା ବେଳେ ଏ ପର୍ଯ୍ୟନ୍ତ ବିଭାଗ ତରଫରୁ ଟାଳଟୁଳ ନିତି ଚାଲିଥିବାରୁ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ଅପରପକ୍ଷରେ ବୁଧବାର ସମ୍ବଲପୁର ତଥା ବୁର୍ଲା ଅଞ୍ଚଳରେ ୨ ଚକିଆ ଯାନ ଗୁଡିକର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଏଭଳି କୌଣସି ଦୁର୍ଘଟଣା ଏହି ଅଞ୍ଚଳରେ ଘଟିପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଏଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ଦିଆଯାଇଥିବା ବ୍ୟାରିକେଟକୁ ହଟାଇ ଦେବାକୁ ସବୁ ମହଲରୁ ଦାବି ହେଉଛି।

Comments are closed.