ଆଧ୍ୟାତ୍ମିକ ପତ୍ରିକା ‘ଭାବକୁ ନିକଟ’ ଓ ‘ଭକ୍ତ ଦାସିଆ’ ୱେବ୍ସାଇଟ୍ ଉନ୍ମୋଚିତ
ଭକ୍ତ ଶିରୋମଣି ଦାସିଆଙ୍କ ମହାପ୍ରୟାଣ ଦିବସ
ପିପିଲି:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଶିରୋମଣି ଦାସିଆଙ୍କ ରାଜ୍ୟସ୍ତରୀୟ ତିରୋଧାନ ଦିବସ ପବିତ୍ର ମାଘ ଶୁକ୍ଳ ଏକାଦଶୀ ତିଥିରେ ପିପିଲି ନିକଟବର୍ତ୍ତି ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଭକ୍ତଙ୍କ ଜନ୍ମ ଓ ସାଧନା ପୀଠ ଠାରେ ମଙ୍ଗଳବାର ସମାରୋହରେ ପାଳିତ ହୋଇଯାଇଛି।
ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ପ୍ରତ୍ୟୁଷରେ ଭକ୍ତଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ବେଦ ଓ ଗୀତାପାଠ କରାଯାଇଥିଲା । ପୀଠ ପରିସରରେ ଶ୍ରାଦ୍ଧ କର୍ମ କରାଯାଇଥିବା ବେଳେ ସ୍ମୃତି କମିଟିର ଉପସଭାପତି ଇଂ ଦେବନାରାୟଣ ପାଲ ମୁଖ୍ୟପୁରୋଧା ଭାବେ ଦାୟିତ୍ୱ ତୁଳାଇଥିଲେ। ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ନାମସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ମଧ୍ୟାହ୍ନରେ ଦୂର ଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କୁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ଦାସିଆଙ୍କ ପ୍ରୀୟ ଜାଉ ଓ ଶାଗ ଭୋଗକୁ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା । ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମ ପୋଖରୀ ଓ ଭକ୍ତ ଦାସିଆ ତାଙ୍କ ପତ୍ନୀଙ୍କୁ ଜଳ ମଧ୍ୟରେ ରଥଯାତ୍ରା ଦେଖାଇଥିବା ଗୋଠଗାଡିଆ ନିକଟରେ ଶ୍ରଦ୍ଧାଳୁଙ୍କର ବେଶ୍ ଭିଡ ପରିଲକ୍ଷିତ ହୋଇଥିଲା ।
ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟିର ସଭାପତି ଡକ୍ଟର ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ଭକ୍ତ ନିବାସ ସଭାଗୃହରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ମୃତି ସଭାରେ ଅତିଥି ଭାବେ ଏମ୍ସ ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର, ଓ୍ାଲେଟ୍ ଫର ୱେଲ୍ଥ ର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା, କିଟ୍ ଯୁକ୍ତ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର, ଏସ୍ବିଆଇ ର ପ୍ରାକ୍ତନ ମହାପ୍ରବନ୍ଧକ ବିବେକାନନ୍ଦ ମହାପାତ୍ର, ପ୍ରାକ୍ତନ ପୁଲିସ ଏସିପି ସୁରେଶ କୁମାର ମହାପାତ୍ର, ଶିକ୍ଷାବିତ୍ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ରଥ ପ୍ରମୁଖ ଯୋଗଦେଇ ଭକ୍ତ ଦାସିଆଙ୍କ ସଂପର୍କରେ ଆଲୋକପାତ କରିଥିଲେ।
ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ସଂପର୍କକୁ ତତ୍ତ୍ୱଭିତିକ ଉଦାହରଣ ଦେଇ ସମୀକ୍ଷା କରିବା ସହ ଯୁଗ ଯୁଗ ଧରି ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧ୍ୟାତ୍ମିିକତାରେ ପରିପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡଃ ଘନଶ୍ୟାମ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିବା ସହ ଦାସିଆ ପୀଠର ଉନ୍ନତିକଳ୍ପେ ତୀର୍ଥଯାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ନିକଟସ୍ଥ ରତ୍ନଚିରା ନଦୀରେ ନୌକାବିହାର ପ୍ରକଳ୍ପ କରାଯିବା ନିମନ୍ତେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟିର ନିଜସ୍ୱ ୱେବ୍ସାଇଟ୍କୁ ‘ଭକ୍ତ ଦାସିଆ’କୁ ଅତିଥିମାନେ ଲୋକାର୍ପିତ କରିବା ସହ ତ୍ରୟୋମାସିକ ଆଧ୍ୟାତ୍ମିକ ପତ୍ରିକା ‘ଭାବକୁ ନିକଟ’ର ନବମ ବର୍ଷର ପ୍ରଥମ ସଂଖ୍ୟାକୁ ଉନ୍ମୋଚନ କରିଥିଲେ। ସ୍ମୃତି କମିଟିର ସାଂସ୍କୃତିକ ସଂପାଦକ ଆଇନଜୀବୀ ସରୋଜ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅର୍ଜ୍ଜୁନ ଚରଣ ସାମଲ, ଡ଼ଃ ଦୁର୍ଗାପ୍ରସାଦ ମିଶ୍ର, ଡ଼ଃ ଉଦୟନାଥ ଆଚାର୍ଯ୍ୟ, ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ଅଜୟ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ।
Comments are closed.