ପଶୁପକ୍ଷୀଙ୍କ ସ୍ବଭାବ ପରିବର୍ତ୍ତନର କାରଣ

ଦୀପ୍ତିମୟୀ ମହାପାତ୍ର

ଆମ ସମାଜରେ ବହୁ ପୂର୍ବରୁ ଏକ ଧାରଣା ରହିଆସିଛି ଯେ ପଶୁପକ୍ଷୀମାନଙ୍କର ସେଭଳି କିଛି ସ୍ୱତନ୍ତ୍ର ଖାଦ୍ୟ ରୁଚି ନାହିଁ କି ବାସି-ସଜ, ସ୍ୱାଦ-ଅସ୍ୱାଦ ଆଦି ବିକାର ମଧ୍ୟ ନାହିଁ। ତେଣୁ ଘରେ ବଳକା ହୋଇଯାଉଥିବା ଖାଦ୍ୟ ଗାଈଗୋରୁ, କୁକୁର, ବିରାଡ଼ିଙ୍କୁ ଦେଇଦେବାର ଏକ ମାନସିକତା କାହିଁ କେଉଁ ଦିନରୁ ଚଳି ଆସିଛି। ଯଦି କାହାର ରାନ୍ଧଣା ଉପରେ ନକାରାତ୍ମକ ଟିପ୍ପଣୀ ଦେବାର ଥାଏ ତେବେ କୁହାଯାଏ ‘ଏହା କୁକୁର ମଧ୍ୟ ଖାଇବ ନାହିଁ।’ କିନ୍ତୁ ଏବେ ସମୟ ବଦଳୁଛି। ଏବେ ମଣିଷ ଯାହା ଶ୍ରଦ୍ଧାରେ ଖାଉଛି କୁକୁର ତାହା ଖାଉ ନଥିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଏହା ପଛର ରହସ୍ୟ ଉନ୍ମୋଚନ କରିବାରେ ଜୀବବିଜ୍ଞାନୀମାନେ ସଫଳ ହୋଇଛନ୍ତି। ଦୀର୍ଘ ଗବେଷଣାରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ ପଶୁପକ୍ଷୀଙ୍କ ଖାଦ୍ୟ ରୁଚି ବଦଳିବା ପଛରେ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନର ମୁଖ୍ୟ ଭୂମିକା ରହିଛି। ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ, କେବଳ ଖାଦ୍ୟ ରୁଚି ନୁହେଁ; ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଶୁପକ୍ଷୀଙ୍କ ସ୍ୱଭାବ ଓ ଶାରୀରିକ ଆକୃତିରେ ମଧ୍ୟ ପରିବର୍ତ୍ତନ ଆଣିଛି।

ନିକଟରେ ଏ ସମ୍ପର୍କିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ପ୍ରାଣୀମାନଙ୍କ ମସ୍ତିଷ୍କରେ ସ୍ନାୟୁଗତ ବ୍ୟତିକ୍ରମ ସୃଷ୍ଟି ହେଉଛି। ତେଣୁ ସେମାନଙ୍କର ବାସ୍ନା ଆହରଣ କରିବାର ଶକ୍ତି, ସ୍ୱାଦ, ସ୍ପର୍ଶ ଆଦି ଇନ୍ଦ୍ରିୟଗୁଡ଼ିକୁ ପ୍ରଭାବିତ କରୁଥିବା ପ୍ରୋଟିନ୍‌‌ରେ ଅସ୍ୱାଭାବିକ ପରିବର୍ତ୍ତନ ହେଉଛି। କେବଳ ସେତିକି ନୁହେଁ, ସେମାନଙ୍କର ଖାଦ୍ୟ ସନ୍ଧାନ, ଆହରଣ ଓ ବାସସ୍ଥାନ ଚୟନର ପ୍ରବୃତ୍ତି ମଧ୍ୟ ପରିବର୍ତ୍ତନ ହୋଇଚାଲିଛି ଏବଂ ଜୀବନଚକ୍ର ବଦଳୁଛି। ତେଣୁ ଏବେ ଗାଈମାନେ ଆମିଷ ଖାଉଥିବାର କିମ୍ବା କୁକୁର ବିରାଡ଼ି ଆଦି ମାଂସାଶୀ ପଶୁମାନେ ଫଳମୂଳ ଖାଉଥିବାର ଦେଖାଯାଉଛି। ସେହିପରି ପୂର୍ବରୁ ପଶୁପକ୍ଷୀ ଓ ଜଳଚର ପ୍ରାଣୀମାନେ ଋତୁ ଅନୁଯାୟୀ ସେମାନଙ୍କ ବାସସ୍ଥାନକୁ ବଦଳାଉଥିବା ବେଳେ ଏବେ କିନ୍ତୁ ସେମାନେ ସେହି ଗୋଟିଏ ସ୍ଥାନରେ ହିଁ ରହିବାକୁ ପସନ୍ଦ କରୁଛନ୍ତି। ତେଣୁ ସୁଦୂର ସାଇବେରିଆରୁ ଆମ ଚିଲିକାକୁ ଆସୁଥିବା ଦେଶାନ୍ତରିତ ପକ୍ଷୀମାନଙ୍କର ସଂଖ୍ୟା ହ୍ରାସ ପାଉଛି।

ପ୍ରାଣୀବିଜ୍ଞାନୀ ଓ ଗବେଷକଙ୍କ ମତରେ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ପ୍ରାଣୀ ଓ କୀଟମାନଙ୍କ ମଧ୍ୟରେ ସଂକେତ ବିନିମୟର ମାଧ୍ୟମକୁ ମଧ୍ୟ ପ୍ରଭାବିତ କରିଛି। ତେଣୁ ମଶା, ମାଛି ଆଦି ଜୀବାଣୁ ଓ ଭୂତାଣୁ ବାହକ କୀଟମାନଙ୍କର ପ୍ରବୃତ୍ତି ବଦଳୁଛି। ଅତ୍ୟଧିକ ଗରମରେ ଯେଉଁ କୀଟମାନଙ୍କର ବିଲୋପ ଘଟୁଥିଲା ତାହା ଆଉ ହେଉନାହିଁ। ଏହାଦ୍ୱାରା ସଂକ୍ରମଣଜନିତ ରୋଗ ବୃଦ୍ଧି ପାଇଛି। ଉଦ୍ଭିଦଜଗତର ପରାଗ ସଂଗମ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହେଉଛି। ସମୁଦ୍ର ଜଳର ତାପମାତ୍ରା ବଦଳୁଥିବାରୁ ଜଳଚର ପ୍ରାଣୀମାନଙ୍କର ଗୁଣସୂତ୍ର ବଦଳୁଛି। ସେମାନଙ୍କୁ ଖାଦ୍ୟ ଭାବରେ ଗ୍ରହଣ କରୁଥିବା ମଣିଷମାନଙ୍କର ମଧ୍ୟ ତଦନୁଯାୟୀ ଚାରିତ୍ରିକ ପରିବର୍ତ୍ତନ ଘଟୁଛି।

ଭାରତୀୟ ପ୍ରାଣୀ ବିଶେଷଜ୍ଞ ଓ ଗବେଷକ ଶୋଭନଲାଲ୍‌‌ ରଏ ଏକ ଚମତ୍କାର ତଥ୍ୟ ଉପସ୍ଥାପନ କରିଛନ୍ତି। ତାଙ୍କର ଗବେଷଣା ଅନୁଯାୟୀ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଜନିତ ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ପ୍ରାଣୀମାନଙ୍କର ଶାରୀରିକ ଗଠନ ବା ଆକାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟୁଛି। ତାଙ୍କ ମତରେ ପୂର୍ବରୁ ଯେତେବେଳେ ପରିବେଶ ସନ୍ତୁଳନ ସ୍ୱାଭାବିକ ଥିଲା, ସେତେବେଳେ ଖାଦ୍ୟ ପ୍ରଚୁର ପରିମାଣରେ ମିଳୁଥିଲା ଏବଂ ବାସୋପଯୋଗୀ ସ୍ଥାନର ପରିସୀମା ମଧ୍ୟ ବ୍ୟାପକ ଥିଲା। ଧୀରେ ଧୀରେ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଓ ପ୍ରାଣୀ ସଂଖ୍ୟାରେ ବୃଦ୍ଧି ଯୋଗୁଁ ପରିବେଶ ସନ୍ତୁଳନ ବିଗିଡ଼ିଗଲା ଏବଂ ବାସୋପଯୋଗୀ ସ୍ଥାନ, ଖାଦ୍ୟ ଉପଲବ୍ଧତା ସଂକୁଚିତ ହେବାକୁ ଲାଗିଲା। ଏହା ସହିତ ପ୍ରାଣୀମାନଙ୍କ ଭିତରେ ବଞ୍ଚିବା ପାଇଁ ପ୍ରତିଯୋଗିତା ବୃଦ୍ଧି ପାଇଲା। ଏହାର ପ୍ରଭାବ ସେମାନଙ୍କ ଶାରୀରିକ ଆକୃତି ଉପରେ ପଡ଼ିଲା। ଊନବିଂଶ ଶତାବ୍ଦୀର ପ୍ରାଣୀ ବିଜ୍ଞାନୀ ଏଡୱାର୍ଡ କୋପ୍‌‌ଙ୍କ ‘କୋପ୍‌‌ ଥିଓରି’ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପଶୁପକ୍ଷୀଙ୍କ ଶାରୀରିକ ପରିବର୍ତ୍ତନ ଏକ ଜାଗତିକ ପ୍ରକ୍ରିୟା।

ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ବିଶ୍ୱ ଉତ୍ତାପ ସହିତ ଖାପ୍‌‌ଖୁଆଇ ଚଳିବା ପାଇଁ କେତେକ ପ୍ରାଣୀ ସେମାନଙ୍କ ନାକ, କାନ ଓ ଲାଞ୍ଜକୁ ଛୋଟ ବଡ଼ କରୁଛନ୍ତି। ଆମେରିକାର ପ୍ରାଣୀବିଜ୍ଞାନୀ ଜୋଏଲ୍‌‌ ଆଲେନ୍‌‌ଙ୍କ କହିବା ଅନୁଯାୟୀ, ପଶୁପକ୍ଷୀମାନେ ସେମାନଙ୍କ ଶରୀର ଉଷ୍ମତାରେ ସନ୍ତୁଳନ ରକ୍ଷା କରିବା ପାଇଁ ଆଭ୍ୟନ୍ତରୀଣ ତାପମାତ୍ରାକୁ ଗୋଟିଏ ଅଙ୍ଗରୁ ଅନ୍ୟ ଅଙ୍ଗକୁ ସ୍ଥାନାନ୍ତରିତ କରିପାରନ୍ତି। ଏହି କାରଣରୁ ଗ୍ରୀଷ୍ମପ୍ରଧାନ ଓ ଶୀତପ୍ରଧାନ ଅଞ୍ଚଳରେ ରହୁଥିବା ସମାନ ଜାତିର ପ୍ରାଣୀମାନଙ୍କ ଅଙ୍ଗ ଆକୃତିରେ ଭିନ୍ନତା ଦେଖାଯାଏ।

୨୦୨୩ ଥିଲା ୧୮୫୦ ମସିହାଠାରୁ ସବୁଠାରୁ ଉତ୍ତପ୍ତ ବର୍ଷ। ଏହି ମଡେଲ୍‌‌ର ଆକଳନ ଅନୁଯାୟୀ ଚଳିତ ବର୍ଷ ମଧ୍ୟ ଗତବର୍ଷଠାରୁ ଉତ୍ତପ୍ତ ରହିବ। ତେଣୁ ଜଳବାୟୁ ପରିବର୍ତ୍ତନ ଜନିତ ମହାବିପତ୍ତିରୁ ପୃଥିବୀକୁ ସୁରକ୍ଷା ଦେବା ପାଇଁ ବିଶେଷଜ୍ଞ ଓ ପରିବେଶବିତ୍‌‌ମାନେ ଯେଉଁ ପରାମର୍ଶ ଦେଉଛନ୍ତି ତାହାକୁ ଯଥାଶୀଘ୍ର ପାଳନ କଲେ ଯାଇ ଜୀବଜଗତ ସୁରକ୍ଷିତ ରହିପାରିବ ।

Comments are closed.