ମେଲବୋର୍ଣ୍ଣ: ଇଂଲଣ୍ଡ ଓ ଭାରତ ଟେଷ୍ଟ ଶୃଙ୍ଖଳାର ୨ଟି ମ୍ୟାଚ୍ ସରିଛି। ବାକି ୩ଟି ମ୍ୟାଚ ପାଇଁ ଭାରତୀୟ ଦଳକୁ ଚେତାବନୀ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ। ଚାପେଲ କହିଥିଲେ, ବେନ ଷ୍ଟୋକ୍ସଙ୍କ ନେତୃତ୍ବାଧୀନ ଇଂଲଣ୍ଡ ଦଳ ବେଶ୍ ଶକ୍ତିଶାଳୀ। ଏହି ଦଳ ବାକି ୩ଟି ଟେଷ୍ଟରେ ଭାରତକୁ କଡ଼ା ଟକ୍କର ଦେବ। ଭାରତୀୟ ଦଳ ଘରୋଇ ମାଟିରେ ଖେଳୁଛି। ଏହି ଦଳରେ ବହୁ ଦକ୍ଷ ଖେଳାଳି ଅଛନ୍ତି ତେବେ ଇଂଲଣ୍ଡ ଦଳକୁ ହାଲୁକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଭାରତ ଓ ଇଂଲଣ୍ଡ ଦଳ ମଧ୍ୟରେ ବାକି ୩ଟି ଟେଷ୍ଟ ବହୁତ ସଂଘର୍ଷପୂର୍ଣ୍ଣ ହେବ। ୨୦୨୧ରେ ଜୋ ରୁଟ୍ଙ୍କ ନେତୃତ୍ବରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ଟେଷ୍ଟ ଶୃଙ୍ଖଳାରେ ପରାସ୍ତ ହୋଇଥିଲା।
ଅନ୍ୟପକ୍ଷରେ ଚଳିତଥର ଷ୍ଟୋକ୍ସଙ୍କ ନେତୃତ୍ବାଧୀନ ଇଂଲଣ୍ଡ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଆସୁଛି। ଏହାକୁ ଦୃଷ୍ଟିରେ ରଖି ବାକି ୩ଟି ଟେଷ୍ଟରେ ଇଂଲଣ୍ଡକୁ ପରାସ୍ତ କରିବା ନିମେନ୍ତ ଭାରତୀୟ କ୍ରିକେଟରଙ୍କୁ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ଚାପେଲ କହିଛନ୍ତି। ବିରାଟ କୋହଲି ଖେଳୁନଥିଲେ ସୁଦ୍ଧା ଏହି ଦଳରେ ବହୁ ଦକ୍ଷ ଖେଳାଳି ଥିବା ଚାପେଲ୍ କହିଛନ୍ତି।



