ଯୁବାବସ୍ଥାରେ ବିଶ୍ୱବିଦ୍ୟାଳୟ ଟପ୍ପର, ବୃଦ୍ଧାବସ୍ଥାରେ ମିଳିଲା ଗୋଲ୍ଡ ମେଡାଲ

0

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଏକ ରୋଚକ ଘଟଣା ଘଟିଛି। ଏଠାକାର ଜଣେ ପ୍ରତିଭାବାନ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ଟପ୍ପର ହେବାର ୩୨ ବର୍ଷ ପରେ ତାଙ୍କୁ ଗୋଲ୍ଡ ମେଡାଲ (ସ୍ୱର୍ଣ୍ଣ ପଦକ) ମିଳିଛି। ଏହି ପ୍ରତିଭାବାନ ଛାତ୍ର ଜଣକ ହେଲେ ପ୍ରଫେସର ମନୋଜ ଦୀକ୍ଷିତ। ସେ ଏବେ ଡ. ରାମ ମନୋହର ଲୋହିଆ ବିଶ୍ୱବିଦ୍ୟାଳୟ, ଫୈଜବାଦର କୁଳପତି ରହିଛନ୍ତି। ମେଡାଲ ମିଳିବା ପରେ ପ୍ରଫେସର ଦୀକ୍ଷିତ କହିଛନ୍ତି ଯେ, ଯୁବାବସ୍ଥାରେ ପଦକ ଜିତିଥିଲେ କିନ୍ତୁ ତାହା ବୃଦ୍ଧାବସ୍ଥାରେ ମିଳିଲା। ୫୬ ବର୍ଷୀୟ ପ୍ରଫେସର ମନୋଜ ଦୀକ୍ଷିତ ୧୯୮୬ରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ସାଧାରଣ ପ୍ରଶାସନ ବିଭାଗରେ ୟୁନିଭରସିଟି ଟପ୍ପର ରହିଥିଲେ। ନିକଟରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ତାଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଇ ସମ୍ମାନିତ କରାଯାଇଛି।
ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ବର୍ଷ ଦୀକ୍ଷାନ୍ତ ସମାରୋହ ହୋଇପାରୁନ ଥିଲା ସେହିବର୍ଷ ଟପ୍ପରମାନଙ୍କୁ ପଦକ ମଧ୍ୟ ଦିଆଯାଇପାରୁ ନ ଥିଲା। ୮୦ ଦଶକରେ ଦୁଇରୁ ତିନିଥର ଦୀକ୍ଷାନ୍ତ ସମାରୋହ ହୋଇଥିଲା। ସେହି ଦଶକରେ ବହୁ ଟପ୍ପରଙ୍କୁ ପଦକ ଦିଆଯାଇନାହିଁ। ତେବେ ପ୍ରଫେସର ଦୀକ୍ଷିତ ପୁରୁଣା ଟପ୍ପରମାନଙ୍କୁ ପଦକ ପ୍ରଦାନ ନେଇ ଉଦ୍ୟମ କରିଥିଲେ। ଏ ନେଇ ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ କୁଳପତି ଓ ରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ। ବହୁ ପ୍ରୟାସ ପରେ ଗତ ରବିବାର ପ୍ରଫେସର ଦୀକ୍ଷିତଙ୍କୁ କୁଳପତି ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ।

Leave A Reply