ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା, ଆଖି ବୁଜିଲେ ଚିକିତ୍ସାଧୀନ ତୃତୀୟ ବ୍ୟକ୍ତି

ଭୁବନେଶ୍ବର : ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା ଭିନ୍ନ ରୂପ ନେଇଛି। ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ଡିଏନ୍‌ଏ ପରୀକ୍ଷା କରାଯିବା ପରେ ତୃତୀୟ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର କରାଯିବ ବୋଲି କମିସନରେଟ ପୁଲିସ ସ୍ପଷ୍ଟ କରିଛି। ମୃତ ବ୍ୟକ୍ତି ଦିଲୀପ ନା ଆଉ କିଏ ଜାଣିବା ପାଇଁ ପୁଲିସ ଡିଏନ୍‌ଏ ପରୀକ୍ଷା କରିବ। ଦିଲୀପ ଓ ନିଆଳି ଅଞ୍ଚଳର ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାରଠାରୁ ରବିବାର ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ରହିଛି। ଡିଏନ୍‌ଏ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ମୃତଦେହ କାହାକୁ ହସ୍ତାନ୍ତର କରାଯିବ ନାହିଁ।

ସେପଟେ ମେଡ଼ିକାଲ କର୍ତ୍ତୃପକ୍ଷ ଓ ମଞ୍ଚେଶ୍ୱର ଥାନା ପୁଲିସର ଅବହେଳାକୁ ଦାୟୀ କରି ମୃତ ଦିଲୀପଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି। ତୃତୀୟ ମୃତଦେହ ଦିଲୀପ ବୋଲି ତାଙ୍କ ପରିବାର ଲୋକ ଦାବି କରିଛନ୍ତି। ଏହି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଯିବ। ଡିଏନ୍‌ଏ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଶବ ସଂରକ୍ଷିତ ରହିବ। ଯେଉଁ ପରିବାର ସହିତ ଡିଏନ୍‌ଏ ନମୁନାର ସାମଞ୍ଜସ୍ୟ ଆସିବ ସେହି ପରିବାରଙ୍କୁ

ମୃତଦେହ ହସ୍ତାନ୍ତର କରାଯିବ ବୋଲି ଅତିରିକ୍ତ ପୁଲିସ ଉପାୟୁକ୍ତ ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି। ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଦ୍ବିତୀୟ ଦିନ ଉତ୍ତେଜନା ପ୍ରକାଶ ପାଇଥିଲା। ଉପସ୍ଥିତ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା।
ଗତ ୨୯ ତାରିଖରେ ମେଡିକାଲରେ ବିସ୍ଫୋରଣ ଘଟିଥିଲା। ଏଥିରେ ୪ ଜଣ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ତୃତୀୟ ମୃତଦେହ କାହାର ତା’କୁ ନେଇ ସନ୍ଦେହ ଉପୁଜିଛି। ଦ୍ବିତୀୟ ମୃତକ ନିଆଳି ଅଞ୍ଚଳର ଜ୍ୟୋତିରଞ୍ଜନ ହୋଇଥିବା ବେଳେ ଭୁଲ୍‌ ପରିଚୟ ଯୋଗୁଁ ଦିଲୀପଙ୍କ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଏହି ଭୁଲ୍‌ ପରିଚୟ ଯୋଗୁଁ ଜଣେ ନିରୀହ ମହିଳାଙ୍କ ଜୀବନ ମଧ୍ୟ ଚାଲିଯାଇଛି। ଦିଲୀପଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପତ୍ନୀ ଗତ ୧ ତାରିଖ ଦିନ ଆତ୍ମହତ୍ୟା କରିଥିଲେ। ସାମାନ୍ୟ ସୁସ୍ଥ ହେବା ପରେ ନିଜକୁ ଦିଲୀପ ବୋଲି ତୃତୀୟ ମୃତବ୍ୟକ୍ତି ନିଜକୁ ପରିଚୟ ଦେଇଥିଲେ। ଏହାପରେ ମେଡିକାଲ, ଠିକାସଂସ୍ଥା ଓ ପୁଲିସ ଅଡ଼ୁଆରେ ପଡ଼ିଥିଲେ। ଏହାକୁ ନେଇ ଶୁକ୍ରବାର ମେଡ଼ିକାଲରେ ଉତ୍ତେଜନା ଦେଖା ଦେଇଥିଲା। ତୃତୀୟ ବ୍ୟକ୍ତି ଦିଲୀପ ବୋଲି ସ୍ପଷ୍ଟ ହୋଇଥିଲେ ମଧ୍ୟ ଡିଏନ୍‌ଏ ପରୀକ୍ଷା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ପରବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ନାହିଁ ବୋଲି କୁହାଯାଇଛି।

prayash

ସେପଟେ ଦିଲୀପଙ୍କ ପରିବାର ଦାବି କରିଛନ୍ତି ଯେ, ତୃତୀୟ ମୃତଦେହ ତାଙ୍କ ପୁଅର। ମୃତଦେହ ହସ୍ତାନ୍ତର କରାଯିବା ନେଇ ସେମାନେ ଅଡ଼ି ବସିଛନ୍ତି। ପୂର୍ବରୁ ଦିଲୀପ ଭାବି ଯେଉଁ ମୃତଦେହ ଦେଇଥିଲେ ତାହା ହସ୍ପିଟାଲ କର୍ତ୍ତୃପକ୍ଷ ଓ ମଞ୍ଚେଶ୍ୱର ଥାନା ପୁଲିସର ଭୁଲ୍‌ ବୋଲି ଅଭିଯୋଗ ଆଣିଛନ୍ତି। ଆଉ ଜଣେ ଆହତ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଶୁକ୍ରବାର ମୃତଦେହର ପରିଚୟକୁ ନେଇ ବିବାଦ ଦେଖା ଦେଇଥିଲା। ଦିଲୀପଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଥିଲା। ଏଭଳି ଖବର ଶୁଣିବା ପରେ ଜଟଣୀ ହରିରାଜପୁର ଅଞ୍ଚଳର ଦିଲୀପଙ୍କ ସମ୍ପର୍କୀୟମାନେ ହାଇଟେକ୍‌ ମେଡିକାଲ ପରିସରରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ସୁସ୍ଥ ବୋଲି କୁହାଯାଉଥିବା ଦିଲୀପଙ୍କର କିପରି ମୃତ୍ୟୁ ଘଟିଲା ବୋଲି ସେମାନେ ପ୍ରଶ୍ନ କରିଥିଲେ। ତାଙ୍କ ମୃତ୍ୟୁ ପାଇଁ ମେଡିକାଲ ଓ ସ୍ଥାନୀୟ ପୁଲିସକୁ ଦାୟୀ କରିଥିଲେ। ଅନ୍ୟପଟେ ଏଭଳି ଅଭିଯୋଗକୁ ମେଡ଼ିକାଲ ପକ୍ଷରୁ ଖଣ୍ଡନ କରାଯାଇଛି। ଦିଲୀପଙ୍କ ଅବସ୍ଥା ଗୁରୁତର ଥିଲା। ହଠାତ୍‌ ତାଙ୍କର ରକ୍ତଚାପ ବଢ଼ିଯିବାରୁ ମୃତ୍ୟୁ ଘଟିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ଚିନ୍ମୟ ମିଶ୍ର କହିଛନ୍ତି। ଦୁର୍ଘଟଣା ଦିନଠାରୁ ଆଜିପର୍ଯ୍ୟନ୍ତ ସ୍ୱତନ୍ତ୍ର ଦୁଇ ଡାକ୍ତରୀଦଳ ଆହତଙ୍କ ଚିକିତ୍ସା କରୁଥିଲେ। ଆପ୍ରାଣ ଉଦ୍ୟମ ପରେ ମଧ୍ୟ ପୋଡ଼ିଯାଇଥିବା ବ୍ୟକ୍ତି ବଞ୍ଚିବା ଆଶା କ୍ଷୀଣ ବୋଲି ସେ କହିଛନ୍ତି।

ଅନ୍ୟପଟେ ଏହି ମୃତ୍ୟୁକୁ ଦିଲୀପଙ୍କ ସମ୍ପର୍କୀୟ ସହଜରେ ଗ୍ରହଣ କରିପାରିନଥିବା ବେଳେ ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ ମେଡିକାଲ ପରିସରରେ ଜଗି ରହିଥିବା ଦେଖିବାକୁ ମିଳିଥିଲା। ଉତ୍ତେଜନା ପ୍ରକାଶ ପାଇବା ପରେ ଡାକ୍ତରଖାନା ପରିସରରେ ଅତିରିକ୍ତ ପୁଲିସ ଉପାୟୁକ୍ତ ଶ୍ରୀ ପାଲ, ଜୋନ୍‌ ଏସିପି ଗୌତମ କିଷାନ ଏବଂ ଥାନା ଅଧିକାରୀ ମାନସ କୁମାର ସ୍ୱାଇଁଙ୍କ ସମେତ ପୁଲିସ ଫୋର୍ସ ପହଞ୍ଚିଥିଲେ।
ପୁଅର ମୃତ୍ୟୁ ଖବର ପାଇ ଚେତା ହରାଇଲେ ବୃଦ୍ଧା ମା’

ଗୁରୁବାର ରାତିରୁ ଶୁକ୍ରବାର ରାତି ଗୋଟାଏ ପର୍ଯ୍ୟନ୍ତ କୁହାଯାଉଥିବା ଦିଲୀପଙ୍କ ସହିତ ବିଭିନ୍ନ ସମୟରେ ତାଙ୍କ ବୃଦ୍ଧା ମା’ ଅହଲ୍ୟା ସାମନ୍ତରାୟ (୭୦) କଥା ହୋଇଥିଲେ। ବିଳମ୍ବିତ ରାତିରେ ପୁଅ ପାଖରେ ବସି କିଛି ସମୟ ଅତିବାହିତ କରିଥିବା ମା’ ଅହଲ୍ୟା କହିଛନ୍ତି। ସକାଳୁ ପୁଅର ମୃତ୍ୟୁ ହୋଇଥିବା ଶୁଣି ଚେତାଶୂନ୍ୟ ହୋଇପଡ଼ିଥିଲେ ମା’। ପୁଅ ଦିଲୀପ ୫ ଦିନ ତଳେ ମୃତ୍ୟୁ ହୋଇଥିବା ଖବର ପାଇ ବୋହୂ ଆତ୍ମହତ୍ୟା କରି ଦେଇଥିଲେ। ପୁଣି ପୁଅ ବଞ୍ଚିଛି ବୋଲି ଖବର ମିଳିବା ପରେ ପରିବାର ଲୋକ ଖୁସି ହୋଇଯାଇଥିଲେ। ଡାକ୍ତରଖାନା ପରିସର ଛାଡ଼ି ଗାଁକୁ ବି ଯାଇ ନଥିଲେ। ଶନିବାର ସକାଳେ ପୁଅର ଏପରି ଖବର ପାଇ ହତବାକ୍‌ ହୋଇ ଯାଇଥିଲେ ପୂରା ପରିବାର।

Comments are closed.