ବିକଶିତ ଭାରତ ସଂକଳ୍ପ ଯାତ୍ରା ଗାଡି ଉପରେ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି

ଆଠଗଡ଼: କେନ୍ଦ୍ର ସରକାରଙ୍କର ବିଗତ ୧୦ବର୍ଷ ମଧ୍ୟରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ଲାଗି ବିକଶିତ ଭାରତ ସଂକଳ୍ପ ଯାତ୍ରା ଗାଡି ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରୁଛି। ଏହି କ୍ରମରେ ଆଠଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ଗାଡି ପରିକ୍ରମା କରୁଥିବାବେଳେ ଶୁକ୍ରବାର ସଠିଲୋ ପଞ୍ଚାୟତରେ ସକାଳେ ଗାଡି ପହଞ୍ଚିବା ପରେ ସେଠାରେ କିଛି ଦୁର୍ବୁତ ଅତର୍କିତ ଭାବେ ଆକ୍ରମଣ କରି ପ୍ରଚାର ପାଇଁ ଗାଡିରେ ଲାଗିଥିବା ଏଲଇଡି ସ୍କ୍ରିନ ଭାଙ୍ଗିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସମ୍ବଳିତ ବ୍ୟାନର ଚିରି ଦେଇଥିଲେ। ତତ୍‌‌ସହିତ ଗାଡିର ଚାଳକ ଚକ୍ରଧର ମୁଦୁଲି ଓ କାର୍ଯ୍ୟକ୍ରମ ପରିଚାଳକ ଅଭୟ ଦେହୁରୀଙ୍କୁ ପ୍ରବଳ ବାଡିଆପିଟା କରିଥିଲେ। ଉକ୍ତଗାଡିକୁ ସେମାନେ ତୁରନ୍ତ ଏଠାରୁ ନେଇ ଯାଅ ବୋଲି କହି ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ତଡି ତଡି ଚାଳକଙ୍କୁ ଓ ଅନ୍ୟ ବ୍ୟକ୍ତିଙ୍କୁ ମାଡ ମାରିଥିବା ସେମାନେ ଅଭିଯୋଗ କରିଥିଲେ। ଏହା କେନ୍ଦ୍ର ସରକାରଙ୍କର ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ କଟକ ଜିଲ୍ଲାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏହି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଏବଂ ଆଠଗଡ଼ ବ୍ଲକରେ ବିଡିଓ ଏହାର ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆଠଗଡ଼ ବ୍ଲକ ପକ୍ଷରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ସ୍ୱାଇଁଙ୍କୁ ସଠିଲୋ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ଅର୍ପଣ କରାଯାଇଥିବା ବେଳେ ତାଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ନିୟମ ଅନୁଯାୟୀ ବିଡିଓ ନୋଡାଲ ଅଧିକାରୀ ଭାବେ ଥାନାରେ ବିଧିବଦ୍ଧ ଏତଲା ଦେବାକଥା। ତେବେ ଏହା ନକରି ସେ ଶାସକ ଦଳ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଭୟରେ ନିଜେ ଏତଲା ନଦେଇ ଉକ୍ତ ଗାଡିର ଚାଳକ ତାଙ୍କୁ କରିଥିବା ଲିଖିତ ଅଭିଯୋଗକୁ ବିଡିଓ ପ୍ରଦୀପ କୁମାର ସାହୁ ଏକ ପତ୍ର ସଂଯୋଗ କରି ଥାନାକୁ ପଠାଇ ଦେଇଥିଲେ। ଥାନା ଅଧିକରୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ପ୍ରଚାର ଗାଡି ଚାଳକଙ୍କୁ ଅଭିଯୋଗକାରୀ ଭାବେ ଦର୍ଶାଇ ଏତଲା ପଞ୍ଜିକୃତ କରିଥିବା ଜଣାପଡ଼ିଛି।

ଏହି ଘଟଣାକୁ ଆଠଗଡ଼ ଭାରତୀୟ ଜନତା ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଗାନ୍ଧିମାର୍ଗସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ଏହି ଆକ୍ରମଣ ଘଟଣାକୁ ଦୁଃଖଦାୟକ ଓ ନିନ୍ଦନୀୟ ବୋଲି ମତବ୍ୟକ୍ତ କରିଥିଲେ।

Comments are closed.