www.samajalive.in
Sunday, December 7, 2025
13.1 C
Bhubaneswar

ଧ୍ୱଂସମୁହାଁ ଧରିତ୍ରୀ

ଦିନକ ପରେ କ୍ୟାଲେଣ୍ଡର ବଦଳିବ। ନୂଆ ବର୍ଷ ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆସିବ; କିନ୍ତୁ ଶେଷ ପାହାଚରେ ପହଞ୍ଚିଥିବା ବର୍ଷଟି ବିପର୍ଯ୍ୟୟର ବର୍ଷ ଥିଲା, କହିଲେ ଭୁଲ ହେବ ନାହିଁ। କେଉଁଠି ପ୍ରାକୃତିକ ବିପର୍ଯ୍ୟୟ ତ କେଉଁଠି ମନୁଷ୍ୟକୃତ ଧ୍ବଂସଲୀଳା। ସାରା ପୃଥିବୀ ଏହାକୁ ନେଇ ବ୍ୟସ୍ତ, ବିବ୍ରତ। ପରିସ୍ଥିତି ଏଭଳି ହେବାରେ ଲାଗିଛି ଯେ, କେଉଁ ଦିନ ସାରା ମାନବ ସମାଜ ଏକ ଅପ୍ରତ୍ୟାଶିତ ଘାତକ ମୁହୂର୍ତ୍ତକୁ ସାମନା ନକରିବ ତାହା କହିହେବନାହିଁ। ପାଖାପାଖି ଅଢେଇ ମାସରୁ ଅଧିକ କାଳ ଧରି ଲାଗି ରହିଥିବା ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଇସ୍ରାଏଲ ସୈନ୍ୟମାନେ ହମାସ୍‌ ବିରୁଦ୍ଧରେ ସେମାନଙ୍କର ଆକ୍ରମଣକୁ ଅଧିକ ପରିବ୍ୟାପ୍ତ କରିବା ସହିତ ଗାଜା ଓ ଲେବାନନ୍‌ ଉପରେ ଅାକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ ଉତ୍ତର ଲେବାନନ୍‌ରୁ ପ୍ରାୟ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଲାଣି। ହେଜବୋଲ୍ଲା ଆତଙ୍କୀ ଗୋଷ୍ଠୀ ବିରୁଦ୍ଧରେ ଇସ୍ରାଏଲ ତାହାର ଆକ୍ରମଣକୁ ଅଧିକ ଶାଣିତ କରୁଥିବାବେଳେ ହମାସ୍‌ ସହିତ ମିଶି ହେଜବୋଲ୍ଲା ମଧ୍ୟ ଇସ୍ରାଏଲର ବିଭିନ୍ନ ସହର ଉପରେ ଘମାଘୋଟ ଆକ୍ରମଣ ଜାରି ରଖିଛି।

ଇତିମଧ୍ୟରେ ଏହି ଯୁଦ୍ଧରେ ସିଧାସଳଖ ଲମ୍ଫ ଦେଇଛି ୟେମେନର ହୁଟି ଆତଙ୍କୀ ଗୋଷ୍ଠୀ। ଏବେ ଇସ୍ରାଏଲ ଏହି ତିନି ଆତଙ୍କୀ ଗୋଷ୍ଠୀ ବିରୁଦ୍ଧରେ ଲଢେଇ କରୁଥିବାବେଳେ ପ୍ରତିପକ୍ଷଙ୍କୁ ଇରାନର ପ୍ରତ୍ୟକ୍ଷ ସମର୍ଥନ ମିଳୁଥିବା ଅଭିଯୋଗ କରିଛନ୍ତି ଇସ୍ରାଏଲ କର୍ତ୍ତୃପକ୍ଷ। ଏଭଳି ପରିସ୍ଥିତିରେ ଇରାନ ସମର୍ଥିତ ୟେମେନର ହୁଟି ବିଦ୍ରୋହୀଙ୍କ ଆକ୍ରମଣ କାରଣରୁ ସମୁଦାୟ ଲୋହିତ ସାଗର ବିପଦସଙ୍କୁଳ ହୋଇପଡିଛି। ସେଠାରେ ଏକାଧିକ ଜାହାଜ ଉପରେ ହୁଟି ଆକ୍ରମଣ ପରେ ବିଶ୍ବର ପ୍ରମୁଖ ଜାହାଜ ଚଳାଚଳ କମ୍ପାନୀ ସେହି ବାଟଦେଇ ଆଉ ପଣ୍ୟବାହୀ ଜାହାଜ ନ ଚଳାଇବାକୁ ସ୍ଥିର କରିଛନ୍ତି। ଏହି କାରଣରୁ ବିଶ୍ବବ୍ୟାପୀ ଆମଦାନୀ ରପ୍ତାନି ଗୁରୁତର ପ୍ରଭାବିତ ହୋଇଛି। ତାହାର ପ୍ରଭାବ ବିଭିନ୍ନ ସାମଗ୍ରୀର ମୂଲ୍ୟ ଉପରେ ପଡୁଛି। ଭାରତ ସମେତ ବିଭିନ୍ନ ରାଷ୍ଟ୍ରରେ ମୁଦ୍ରାସ୍ଫୀତି ବୃଦ୍ଧିପାଇବା ଆଶଙ୍କା ବୃଦ୍ଧିପାଇଛି। ସେଠାରେ ହୁଟି ବିଦ୍ରୋହୀଙ୍କର ମୁକାବିଲା ସକାଶେ ଆମେରିକା ନେତୃତ୍ବରେ ପ୍ରାୟ ୨୦ଟି ରାଷ୍ଟ୍ରର ଯୁଦ୍ଧ ଜାହାଜ ପଇଁତରା ମାରୁଥିବାବେଳେ ୟେ​‌େ​‌ମେନ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ବୁଧବାର ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡସ୍‌ର ଜଣେ ତୁଙ୍ଗ ପରାମର୍ଶଦାତା ବ୍ରିଗେଡିୟର ଜେନେରାଲ ସୟିଦ ରାଜି ମୋୖସାଭୀଙ୍କୁ ହତ୍ୟା କରାଯିବା ଘଟଣାରେ ଇସ୍ରାଏଲୀ ଗୋଇନ୍ଦା ସଂସ୍ଥା ମୋସାଦ୍‌ର ହାତ ରହିଥିବା ଅଭିଯୋଗ ଆଣିଛି ଇରାନ।

- Advertisement -

ଏହାର ପ୍ରତିଜବାବ ଦେବାକୁ ମଧ୍ୟ ଇରାନ ପ୍ରସ୍ତୁତ ରହିଛି। ଅନ୍ୟପକ୍ଷରେ ସାରା ବିଶ୍ବରେ ବିଧ୍ବଂସୀ କାର୍ଯ୍ୟକଳାପ ପାଇଁ କୁଖ୍ୟାତ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍‌ ଜଙ୍ଗ ଉନ୍‌ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିଜର ସୈନ୍ୟବାହିନୀ ଓ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏଥିସହିତ ଦେଶର ଅସ୍ତ୍ରଶସ୍ତ୍ର ଉତ୍ପାଦନ ଶିଳ୍ପ ଏବଂ ଆଣବିକ ଅସ୍ତ୍ର କ୍ଷେତ୍ର ଯୁଦ୍ଧ ପ୍ରସ୍ତୁତି ତ୍ବରାନ୍ବିତ କରିବାକୁ ଉନ୍‌ ନିର୍ଦେଶ ଦେଇଛନ୍ତି। ଆମେରିକା ପଟୁ ଅପ୍ରତ୍ୟାଶିତ ଭାବରେ ସାମ୍‌ନା ସାମନି ପରିସ୍ଥିତି ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ଉତ୍ତର କୋରିଆ ଏଭଳି ପ୍ରସ୍ତୁତି ଚଳାଇଥିବା କୁହାଯାଉଛି। ଉନ୍‌ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ତାଙ୍କ ଦେଶ ସାମ୍ରାଜ୍ୟବାଦ ବିରୋଧୀ ରାଷ୍ଟ୍ରଗୁଡିକ ସହିତ ରଣକୋୖଶଳାତ୍ମକ ସହଯୋଗ ବୃଦ୍ଧି କରିବ। ତାଙ୍କ ଦେଶ ଏହା ଭିତରେ ରୁଷିଆ, ଚୀନ ଆଦି ରାଷ୍ଟ୍ର ସହିତ ସମ୍ପର୍କ ଅଧିକ ନିବିଡ କରିବା ପ୍ରୟାସ ଜାରି ରଖିଛି। ଏହା ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷକୁ ବିଭିନ୍ନ ଯୁଦ୍ଧାସ୍ତ୍ର ଯୋଗାଇବାରେ ଲାଗିଛି। ଅପରପକ୍ଷେ ଚୀନ-ତାଇୱାନ ବିବାଦ ପୁଣି ଘନେଇଛି। ଆସନ୍ତା ମାସରେ ତାଇୱାନ ରାଷ୍ଟ୍ରପତି ଏବଂ ସାଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଚୀନ ତାହା ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ। ତାଇୱାନକୁ ନିଜର ଅଞ୍ଚଳ ବୋଲି ଦାବି କରିଆସୁଥିବା ଚୀନର ବିସ୍ତାରବାଦୀ ନେତା ସି ଜିନ୍‌ପିଙ୍ଗ ତାଇୱାନ ଉପରେ ସାମରିକ ଆକ୍ରମଣ ପାଇଁ ଧମକ ଦେଇଛନ୍ତି। ଚୀନର ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି, ଆମେରିକା ପ୍ରରୋଚନାରେ ତାଇୱାନ ଉକ୍ତ ଅଞ୍ଚଳରେ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି।

ଚୀନ ନିଜର ସାର୍ବଭୋୖମତା ଏବଂ ଅଖଣ୍ଡତା ବଜାୟ ରଖିବା ସକାଶେ ତାଇୱାନ ଉପରେ ଯେ କୋୖଣସି ସମୟରେ ବି ଆକ୍ରମଣ କରିବାକୁ ପ୍ରସ୍ତୁତ ରହିଛି। ତେବେ ତାଇୱାନ ନିଜର ସ୍ବାଧୀନ ପରିଚୟ ବଜାୟ ରଖିବା ଜିଦ୍‌ରେ ଅଟଳ ରହିଛି। ଏଭଳି ପରିସ୍ଥିତିରେ ୨୦୨୨ ଫେବୃଆରୀରୁ ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଭୟାନକ ରୂପ ନେଇଛି। ନୂଆବର୍ଷ ଅବ୍ୟବହିତ ପୂର୍ବରୁ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣକୁ ଜୋର୍‌ଦାର ଓ ପରିବ୍ୟାପ୍ତ କରିଛନ୍ତି। ଗୁରୁବାର ରାତିରେ ୟୁକ୍ରେନର କିଭ୍‌, ଓଡ଼େଶା, ଖାର୍କିଭ, ନିପ୍ରୋ, ଡୋନବାସ ଆଦି ଏକାଧିକ ସ୍ଥାନରେ ରୁଷ ସେନା ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର ମାଡ କରିଛନ୍ତି। ଏଥିସହିତ ୟୁକ୍ରେନ ଦ୍ବାରା ଦଖଲ କରାଯାଇଥିବା କିଛି ଅଞ୍ଚଳକୁ ରୁଷ ସେନା ପୁନର୍ବାର ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଅନ୍ୟପକ୍ଷରେ ଜଳ ଓ ଆକାଶ ମାର୍ଗରେ ୟୁକ୍ରେନର ଘନ ଘନ ଆକ୍ରମଣରେ ରୁଷ ପଛଘୁଞ୍ଚା ଦେଇଛି। ନୂଆବର୍ଷ ପୂର୍ବରୁ କିଭ୍‌କୁ ସମ୍ପୂର୍ଣ୍ଣ ଦଖଲ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶପଥ କରିଥିବା କୁହାଯାଉଛି। ରୁଷର ଏଭଳି ଆକ୍ରମଣରେ ନାଟୋ ସଦସ୍ୟ ରାଷ୍ଟ୍ର ନେଦରଲାଣ୍ଡସ୍‌ ଗଭୀର ଉତ୍‌କ୍ଷିପ୍ତ ହେବା ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିଜର ସୈନ୍ୟବାହିନୀକୁ କହିଛି। ତାହା ସହିତ ଦେଶବାସୀ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଏବଂ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଦେଶର ସରକାର କହିଛନ୍ତି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ଦେଖାଦେଇଛି। ବିଶ୍ବର ସବୁ ପ୍ରମୁଖ ରାଷ୍ଟ୍ର ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା ଓ ବିକାଶକୁ ପ୍ରାଧାନ୍ୟ ଦେଉଥିବାବେଳେ ଅନ୍ୟପଟେ ଅସହିଷ୍ଣୁତା, ଆଧିପତ୍ୟ ବିସ୍ତାର ନୀତି ଏବଂ ବୈରଭାବ କାରଣରୁ ପରସ୍ପର ବିରୁଦ୍ଧରେ ରଣହୁଙ୍କାର ଦେବାରେ ଲାଗିଛନ୍ତି, ଯାହା ସେମାନଙ୍କ ପାଇଁ ବିନାଶର କାରଣ ହେବାକୁ ଯାଉଛି। ସମସ୍ତେ ଏହା ଜାଣୁଥିଲେ ବି କେହି ଯେମିତି ବୁଝିବାକୁ ପ୍ରସ୍ତୁତ ନାହାନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories