ଚୌଦ୍ୱାର: ଚୌଦ୍ୱାରସ୍ଥିତ ବଧୀ ଶ୍ମଶାନ ପାଖରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଡିମିରି ଗ୍ରାମର ନିଶ୍ଚଳ ରଞ୍ଜନ ମହାପାତ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଘଟଣାର ଚୌଦ୍ୱାର ପୁଲିସ ପର୍ଦ୍ଦାଫାସ କରିଛି। ନିଶ୍ଚଳଙ୍କୁ ପୋଡ଼ି ମାରିଥିବା ଅଭିଯୋଗରେ ପୁଲିସ ତାଙ୍କ ପତ୍ନୀ ସମେତ ତାଙ୍କ ପ୍ରେମିକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ମୃତ ନିଶ୍ଚଳଙ୍କ ପତ୍ନୀ ସୁହାସିନୀ ମହାପାତ୍ର (୩୬) ଓ ତାଙ୍କ ପ୍ରେମିକ କୁହାଯାଉଥିବା ଚୌଦ୍ୱାର ପୌରପାଳିକା ୧୮ ନମ୍ବର ୱାର୍ଡ଼ ଅନ୍ତର୍ଗତ ଚୂଡ଼ଙ୍ଗସାହିର ପୂର୍ଣ୍ଣଚନ୍ଦ୍ର ମହାରଣା (୩୯) ଓରଫ ଡୋରା।
ସୂଚନାଯୋଗ୍ୟ ଯେ ଚଳିତ ମାସ ୨ତାରିଖ ଦିନ ବଧୀସ୍ଥିତ ଶ୍ମଶାନ ନିକଟରେ ଜଣେ ଯୁବକ ଜଳି ପୋଡ଼ିଯାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବସିଥିବା କିଛି ଲୋକଙ୍କ ଠାରୁ ଖବର ପାଇ ଚୌଦ୍ୱାର ପୁଲିସ ଯୁବକକୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ତାଙ୍କ ପତ୍ନୀ ସୁହାସିନୀ ଓ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ଶବ ହସ୍ତାନ୍ତର କରିଥିଲେ। ହେଲେ ୬ ତାରିଖ ଦିନ ସୁହାସିନୀ ଚୌଦ୍ୱାର ଥାନାରେ ଏତାଲା ଦାଖଲ କରି ତାଙ୍କ ସ୍ୱାମୀଙ୍କୁ କେହି ମାରି ଦେଇଥିବା ଅଭିଯୋଗ କରିଥିଲେ। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏସ୍ଆଇ ଏସ୍.ଏ. ପାଣି ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ ସୁହାସିନୀଙ୍କର ଚୌଦ୍ୱାର ଚୂଡ଼ଙ୍ଗସାହିର ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ନିଶ୍ଚଳ ସେମାନଙ୍କର ପ୍ରେମ ସମ୍ପର୍କରେ ଜାଣିବା ପରେ ସୁହାସିନୀଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିଲେ। ନିଶ୍ଚଳଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବା ପାଇଁ ଉଭୟ ସୁହାସିନୀ ଓ ପୂର୍ଣ୍ଣଚନ୍ଦ୍ର ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ମତେ ପୂର୍ଣ୍ଣଚନ୍ଦ୍ର ୧ତାରିଖ ଦିନ ନିଜ ସ୍କୁଟିରେ ନିଶ୍ଚଳଙ୍କୁ ତାଙ୍କ ଗାଁ ଡିମିରି ଗ୍ରାମରୁ ଚୌଦ୍ୱାର ନେଇ ଆସିଥିଲେ। ସେହିଦିନ ସଂଧ୍ୟାରେ ପୂର୍ଣ୍ଣଚନ୍ଦ୍ର ବଧୀ ଶ୍ମଶାନ ନିକଟରେ ନିଶ୍ଚଳଙ୍କୁ ପ୍ରଚୁର ମଦ ପିଆଇବା ପରେ ତାଙ୍କ ଦେହରେ ପେଟ୍ରୋଲ ଢ଼ାଲି ନିଅଁ ଲଗାଇ ଦେଇ ଫେରାର ହୋଇ ଯାଇଥିଲା। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏସ୍ଆଇ ଶ୍ରୀ ପାଣି ସଦଳବଳେ ପୂର୍ଣ୍ଣଚନ୍ଦ୍ରର ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲେ।



