ଉପକାର କରୁଥିବା ବ୍ୟକ୍ତିଙ୍କ ହୃଦୟ……ଶଠେ ଶାଠ୍ୟମ୍……
ସଂସ୍କୃତରେ ଏକ ଶ୍ଳୋକ ଅଛି ‘କୃତେ ପ୍ରତିକୃତଂ କୁର୍ଯ୍ୟାଦ୍ ହିଂସନେ ପ୍ରତିହିଂସନମ୍; ତତ୍ର ଦୋଷୋ ନ ମନ୍ତବ୍ୟୋ ଦୁଷ୍ଟେ ଦୌଷ୍ଟ୍ୟଂ ସମାଚରେତ୍’। (ଚାଣକ୍ୟ ନୀତି) ଏହାର ଅର୍ଥ ହେଲା ଉପକାରୀର ଉପକାର କରିବ। ହିଂସା କରୁଥିବା ବ୍ୟକ୍ତିଙ୍କ ପ୍ରତି ହିଂସା ପରାୟଣ ହେବ। ପ୍ରତିହିଂସାରେ କୌଣସି ଦୋଷ ନାହିଁ। ଦୁଷ୍ଟଙ୍କ ପ୍ରତି ଅନୁରୂପ ଆଚରଣ କରିବା ଉଚିତ।
ଉପକାର କରୁଥିବା ବ୍ୟକ୍ତିଙ୍କ ହୃଦୟ ସ୍ବଚ୍ଛ ଥାଏ। ସେମାନଙ୍କର ପ୍ରତ୍ୟୁପକାର କରିବା ଅବଶ୍ୟ କର୍ତ୍ତବ୍ୟ। ଈର୍ଷାବଶତଃ ଲୋକେ ଅନ୍ୟକୁ ହିଂସା କରିଥାନ୍ତି। ଯେଉଁମାନେ ହିଂସାଚରଣ କରୁଛନ୍ତି (ହିଂସାକାରୀ) ସେମାନଙ୍କର ପ୍ରତିରୋଧ ପୂର୍ବକ ଉପଯୁକ୍ତ ପଦକ୍ଷେପ ନନେଲେ, ସେମାନେ ଅପରକୁ ଦୁର୍ବଳ, ଅସହାୟ ମନେକରିବା
ସ୍ବାଭାବିକ। ସତ୍ୟ ଏହା ଯେ ଯେଉଁମାନେ ସ୍ବଭାବତଃ ଦୁଷ୍ଟ ସେମାନଙ୍କ ଅପକର୍ମ ସହ୍ୟ କରିଗଲେ ସେମାନେ ଉତ୍ସାହିତ ହୋଇ ଅଧିକ କ୍ଷତି କରିଥାନ୍ତି। ଖଳ ପ୍ରକୃତିର ହୋଇଥିବାରୁ ଅନ୍ୟର ସହ୍ୟ ଶକ୍ତିକୁ, ଶାନ୍ତ ମନୋଭାବକୁ ସେମାନେ ଦୁର୍ବଳତା ଭାବିଥାନ୍ତି। ସାଧୁସନ୍ଥ, ମହାମନୀଷୀମାନେ ବାରମ୍ବାର କହି ଆସିଛନ୍ତି ହିଂସୁକ ପ୍ରତି ହିଂସାଚରଣ କରିବା ଓ ଦୁଷ୍ଟ ପ୍ରତି ଦୁଷ୍ଟତା ଆଚରଣ କରିବା ଅନୈତିକ। ଜାତିର ଜନକ ଗାନ୍ଧୀ ମହାତ୍ମା ଅହିଂସାର ପୃଷ୍ଠପୋଷକ ଥିଲେ। ସେ ସର୍ବଦା କହୁଥିଲେ କେହି ତୁମର ଗୋଟିଏ ଗାଲକୁ ଚାପୁଡ଼ାଟିଏ ମାରିଲେ ତୁମେ ପ୍ରତିକ୍ରିୟାଶୀଳ ନହୋଇ ଅପର ଗାଲଟି ତାକୁ ଦେଖାଇଦେବ।
ଏହାଦ୍ବାରା ସଂପୃକ୍ତ ବ୍ୟକ୍ତିର ଭାବାନ୍ତର ସୃଷ୍ଟି ହେବ। ପ୍ରକୃତ କଥା ହେଲା ସାଧୁସନ୍ଥ, ମହାମନୀଷୀମାନେ ସମାଜ ସୁଧାରକର ଦାୟିତ୍ବ ନିଭାଇଥାନ୍ତି। ସେମାନେ ଦୁଷ୍ଟ, ଖଳ ବ୍ୟକ୍ତିକୁ ସୁଧାରିବାକୁ ଚେଷ୍ଟା କରିଥାନ୍ତି, ସେମାନଙ୍କ ପାଇଁ ଅଧିକ ଚିନ୍ତିତ ଥା’ନ୍ତି। କାରଣ ସେମାନଙ୍କୁ ସତ୍ମାର୍ଗକୁ ଆଣିବା ଦାୟିତ୍ବ ସେଇମାନେ ହିଁ ବହନ କରିଥାନ୍ତି; ହେଲେ ସମାଜରେ ପରିବାରବର୍ଗଙ୍କ ସହ ରହୁଥିବା ଲୋକେ ହିଂସା ଓ ଦୁଷ୍ଟ ଆଚରଣ କରୁଥିବା ଲୋକର ସମୁଚିତ ପ୍ରତିରୋଧ ନକଲେ ସେମାନେ ଅଧିକ ଦୁଷ୍ପ୍ରବୃତ୍ତିସଂପନ୍ନ ହେବା ସହ ହିଂସା କରିବା ସ୍ବାଭାବିକ। ଏପରି କି ଜୀବନହାନି ମଧ୍ୟ କରିପାରନ୍ତି। ଏ କ୍ଷେତ୍ରରେ ‘ଶଠେ ଶାଠ୍ୟମ୍ ସମାଚରେତ୍’ ନୀତି ଆଦରି ନେବା ସମୀଚୀନ। ପ୍ରତିପତ୍ତିଶାଳୀ ବ୍ୟକ୍ତି ସମାଜର ଦୁର୍ବଳ ଶ୍ରେଣୀର ତଥା ଅପେକ୍ଷାକୃତ କମ୍ଜୋର ମଣିଷ ଉପରେ ପ୍ରାୟଶଃ ଆଧିପତ୍ୟ ଜାହିର କରିବା ସହ ନାନା ଉପାୟରେ କ୍ଷମତା, ପ୍ରତିଷ୍ଠାର ଅପବ୍ୟବହାର କରିଥାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନିଜର ସୀମିତ ଶକ୍ତି, ସାମର୍ଥ୍ୟ ମଧ୍ୟରେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ଉଚିତ୍।
Comments are closed.