ସନ୍ତୋଷ ଟ୍ରଫି ଫୁଟ୍‍ବଲ : କେରଳ ଚମ୍ପିଆନ୍‍

0

କଲକାତା : କେରଳ ୬ଷ୍ଠ ଥର ଜାତୀୟ ସିନିୟର ପୁରୁଷ ଫୁଟ୍‍ବଲ ଟୁର୍ଣ୍ଣାମେଣ୍ଟ ସନ୍ତୋଷ ଟ୍ରଫି  ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‍ରେ କେରଳ ଗତଥରର ଚମ୍ପିଆନ୍‍ ତଥା ଆୟୋଜକ ବଙ୍ଗଳାକୁ ୪-୨ ଟାଇବ୍ରେକର ଗୋଲ୍‍ରେ ପରାସ୍ତ କରିଛି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‍ର ନିର୍ଦ୍ଧାରିତ ସମୟ ୧-୧ ଏବଂ ଅତିରିକ୍ତ ସମୟ ୨-୨ ଗୋଲ୍‍ରେ ଶେଷ ହୋଇଥିଲା। ପରେ ଟାଇବ୍ରେକରରେ କେରଳ ୪-୨ ଗୋଲ୍‍ରେ ଆଗୁଆ ରହିଥିଲା।
ସଲ୍‍ଟଲେକ୍‍ ଷ୍ଟାଡିୟମ୍‍ରେ ଏହି ମ୍ୟାଚ୍‍ରେ ଘରୋଇ ଦଳକୁ ପ୍ରବଳ ଜନ ସମର୍ଥନ ମିଳିଥିଲା। ତଥାପି କେରଳ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳିଥିଲା। ୧୯ ମିନିଟରେ ଏମ୍‍.ଏସ୍‍. ଜିତୀନ ଗୋଲ୍‍ଦେଇ କେରଳକୁ ଆଗୁଆ କରିଥିଲେ। ମଧ୍ୟାନ୍ତର ସୁଦ୍ଧା କେରଳ ଏହି ଗୋଲ୍‍ ବଳରେ ଆଗୁଆ ରହିଥିଲା। ତେବେ ୬୮ ମିନିଟରେ ବଙ୍ଗଳାର ଜିତେନ ମୁର୍ମୁ ଗୋଲ୍‍ଦେଇ ସ୍କୋର୍‍କୁ ୧-୧ କରିଥିଲେ। ୯୦ ମିନିଟର ଖେଳ ସମାପ୍ତି ପର୍ଯ୍ୟନ୍ତ ଆଉ ଗୋଲ୍‍ ହୋଇନଥିଲା। ଫଳରେ ଅତିରିକ୍ତ ସମୟ ଖେଳ ହୋଇଥିଲା। ୧୧୭ ମିନିଟରେ କେରଳର ଭିବିନ ଥମାସ୍‍ ଗୋଲ୍‍ଦେଇ ଦଳକୁ ପୁଣି ଆଗୁଆ କରିଥିଲେ। ତେବେ ଅତରିକ୍ତ ସମୟ ସରିବାକୁ କେଇ ସେକେଣ୍ଡ ବାକିଥିବା ବେଳେ ଘରୋଇ ବଙ୍ଗଳାର ରାଜନ ବର୍ମନ୍‍ ଗୋଲ୍‍ଦେଇ ଦର୍ଶକଙ୍କୁ ମତୁଆଲା କରିଥିଲେ। ସ୍କୋର୍‍ ୨-୨ ରହିବାରୁ ଟାଇବ୍ରେକର ପେନାଲ୍‍ଟି ସୁଟ୍‍ଆଉଟ ହୋଇଥିଲା। ଏଥିରେ ବଙ୍ଗଳାର ଦୁଇ ଖେଳାଳି ଅଙ୍କିତ ଓ ନବି ହୁସେନ୍‍ ଖାଁଙ୍କ ପ୍ରୟାସକୁ କେରଳ ଗୋଲ୍‍ରକ୍ଷକ ମିଧୁନ ରୋକିଦେବାରୁ ଦଳର ବିଜୟ ନିଶ୍ଚିତ ହୋଇଥିଲା। ବଙ୍ଗଳାର ପରବର୍ତ୍ତୀ ୨ ଖେଳାଳି ତୀର୍ଥଙ୍କର ଓ ସଞ୍ଚୟନ ସାମାଦାର ଗୋଲ୍‍ ଦେଇଥିଲେ ହେଁ କେରଳର ୪ ଖେଳାଳି ରାହୁଲ ଭି. ରାଜ୍‍, ଜିନୀନ ଗୋପାଳନ, ଜଷ୍ଟିନ୍‍ ଜର୍ଜ ଓ ସିସାନ୍‍ ଏସ୍‍. ଗୋଲ୍‍ ସ୍କୋର୍‍ କରି ପାରିଥିଲେ। ଏହି ବିଜୟ ସହ ଦୀର୍ଘ ୧୩ ବର୍ଷ ପରେ କେରଳ ସନ୍ତୋଷ ଟ୍ରଫି ଜିତିପାରିଛି।

Leave A Reply