ସ୍ମାର୍ଟଫୋନ୍‌ ମାୟାରେ ବାୟା…….

ଅନେକ ବର୍ଷ ପରେ ସ୍କୁଲ୍ ବେଳର ସାଙ୍ଗମାନଙ୍କ ସହ ଗୋଟିଏ ବନ୍ଧୁମିଳନ କାର୍ଯ୍ୟକ୍ରମଟେ ସ୍ଥିର ହେଇଥିଲା। ଆମେ ସଭିଏଁ ଖୁବ୍ ଉତ୍କଣ୍ଠିତ ଥିଲୁ। ଏତେ ବର୍ଷ ପରେ ସଭିଙ୍କ ସହ ଦେଖା ସାକ୍ଷାତ ହେବ। ସଭିଏଁ ସଭିଙ୍କ ସହ ମିଶିବୁ, ସମସ୍ତେ ସମସ୍ତଙ୍କ ବିଷୟରେ ଜାଣିବୁ। କାର୍ଯ୍ୟକ୍ରମ ଆରମ୍ଭ ହେବାର ମାତ୍ର ଅଧ ଘଣ୍ଟାଏ ପରେ ସାଙ୍ଗମାନଙ୍କ ସହ ସାକ୍ଷାତ କରିବାର ପୂର୍ବର ଯୋଉ ଉତ୍କଣ୍ଠା ଥିଲା ତାହା ଧୀରେ ଧୀରେ ମିଳେଇଗଲା ଭଳି ମୋତେ ଲାଗିଲା। ଔପଚାରିକ ହାଇ ହେଲୋ ପରେ ଆମେ ସଭିଏଁ ଗପସପ କମ୍ ସେଲ୍ଫି ଓ ଫଟୋ ଉଠେଇବାରେ ବ୍ୟସ୍ତ ରହିଲୁ। କିଏ ଜାଣେ କାଲିକୁ ଏମିତି ଭେଟ ଘାଟଟିଏ ସମ୍ଭବ କି ନା। କିଛି ସମୟ ପରେ ଦେଖାଗଲା ଯେ ଆଉ କେହି କାହା ସହ କଥା ବାର୍ତ୍ତା କରୁନାହାନ୍ତି, କେବଳ ନିଜ ନିଜ ମୋବାଇଲରେ ମୁଣ୍ଡଟି ମାନ ଗଳେଇ ବ୍ୟସ୍ତ ଅଛନ୍ତି। କିଏ ଫେସବୁକ୍‌ରେ ଫଟୋ ସବୁ ଅପଲୋଡ଼ କରି ଲାଇକ କମେଣ୍ଟ୍ କରିବାରେ ବ୍ୟସ୍ତ ତ କିଏ ରିଲ ବନେଇବାରେ ବ୍ୟସ୍ତ। ଏହା ଦେଖି ମୋ ମନ ଖୁବ୍ ବ୍ୟଥିତ ହୋଇଗଲା। କି ଯୁଗ ହେଇଗଲା !!! ମାତ୍ର ଛଅ ଇଞ୍ଚର ଗୋଟିଏ ନିର୍ଜୀବ ବସ୍ତୁ ଗୋଟିଏ ଛଅ ଫୁଟର ମଣିଷ ମନରୁ ନିଜ ବନ୍ଧୁ ଆତ୍ମୀୟଙ୍କଠାରୁ ସ୍ନେହ, ମମତା, ଆତ୍ମୀୟତା ଆନ୍ତରିକତା ଆଦି ମାନବିକ ଲକ୍ଷଣ ସବୁ ଦୂରେଇ ଦେବାରେ ଯେ ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରିଛି ଏହା ଠାରୁ ବଳି ବଡ଼ ଦୁଃଖ ଓ ଆଶ୍ଚର୍ଯ୍ୟର ବିଷୟ କ’ଣ ହୋଇପାରେ??
ଏକବିଂଶ ଶତାବ୍ଦୀରେ ସ୍ମାର୍ଟ ଫୋନର ଆବିଷ୍କାର ଏକ ବୈପ୍ଳବିକ ଆବିଷ୍କାର କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟି ଯାଇଛି। କି ପିଲା କି ବୁଢ଼ା ସଭିଏଁ ଏହି ସ୍ମାର୍ଟ ଫୋନ୍ ମାୟାରେ ବାୟା। ଏହା ଏବେ ଡ୍ରଗ୍ସ, ହେରଇନ ଆଦି ନିଶା ଦ୍ରବ୍ୟ ଭଳି ସମସ୍ତଙ୍କୁ ଏପରି ବଶ କରିଛି ଯେ ଏଇ ଫୋନ୍ ଆଡ଼ିକ୍ସନରୁ ମୁକୁଳିବା ଏକ ଦୁରୁହ ବ୍ୟାପାର ହୋଇପଡିଛି।
ଏହି ସ୍ମାର୍ଟ ଫୋନ୍ ପାଇଁ ସଙ୍କୁଚିତ ହୋଇ ଯାଇଛି ପୃଥିବୀର ପରିସୀମା। ଯୋଜନ ଯୋଜନ ଦୂରତାରେ ଥିବା ଆତ୍ମୀୟମାନଙ୍କ ସହ ଦେଖା ହେବା, କଥା ହେବା କେବେ ଦିନେ ସ୍ୱପ୍ନ ଥିଲା ଏବେ କିନ୍ତୁ ସବୁ ବାସ୍ତବତାରେ ପରିଣତ ହୋଇପାରିଛି। ମାତ୍ର କେଇ ଇଞ୍ଚର ବସ୍ତୁଟିଏ ପୃଥିବୀରେ ଲକ୍ଷ ଲକ୍ଷ କିମି ଦୂରତାକୁ ଖୁବ ନିକଟତର କରିଦେଇଛି। ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାରେ ସକ୍ଷମ ହେଇଚି ଏଇ ସ୍ମାର୍ଟଫୋନ୍। ଯୋଗାଯୋଗ କୁହନ୍ତୁ ଅବା ଶିକ୍ଷା,ଚିକିତ୍ସା କ୍ଷେତ୍ର ହେଉ ଅବା ବ୍ୟାଙ୍କିଙ୍ଗ, ବ୍ୟବସାୟ ହେଉ ଅବା କୌଣସି ତଥ୍ୟ ହାସଲ କରିବା, କୌଣସି ସ୍ମୃତିକୁ ଲିପିବଦ୍ଧ କରିବା ହେଉ ଅବା ସ୍ମୃତିକୁ ଫଟୋ ମାଧ୍ୟମରେ ଜୀବିତ ରଖିବା ସବୁ କାମକୁ କେଇ ସେକେଣ୍ଡରେ ପୂରା କରିପାରିଛି ଏଇ ସ୍ମାର୍ଟ ଫୋନ୍।
ସମସ୍ତ ବସ୍ତୁର ଦୁଇଟି ପାର୍ଶ୍ବ ଥାଏ। ଗୋଟିଏ ଭଲ ଗୋଟିଏ ମନ୍ଦ।
ସ୍ମାର୍ଟ ଫୋନର ଗୋଟିଏ ପାର୍ଶ୍ୱରେ ଉପକାରିତା ଯେତିକି ଏହାର ଅପର ପାର୍ଶ୍ୱର ଭୟାବହତା ସେତିକି। ସ୍ମାର୍ଟ ଫୋନ୍ ଯୋଗୁଁ ମଣିଷ ଭିତରେ ଥିବା ସମ୍ବେଦନଶୀଳତା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଆଗରୁ କୋଉଠି ଦୁଇ ବ୍ୟକ୍ତିଙ୍କ ଭିତରେ ଝଗଡ଼ା ହେଉଥିଲେ ତୃତୀୟ ବ୍ୟକ୍ତିଟି ସମାଧାନ କରିବାରେ ଲାଗୁଥିଲା। ଆଜିକାଲି କିନ୍ତୁ ତୃତୀୟ ବ୍ୟକ୍ତି ଦୁଇ ଜଣକ ଝଗଡ଼ା ମେଣ୍ଟେଇବ କଣ, ଭିଡ଼ିଓ କରିବାରେ ବ୍ୟସ୍ତ। ରାସ୍ତାଘାଟ କୋଉଠି ଘଟଣା କି ଦୁର୍ଘଟଣାଟିଏ ଘଟିଲେ, ଆହତ ବ୍ୟକ୍ତିକୁ ମେଡିକାଲ ପହଞ୍ଚାଇବା ବଦଳରେ ଲୋକେ ଭିଡିଓ କରି ଭାଇରାଲ କରୁଛନ୍ତି।
ଏଥିରୁ ସ୍ପଷ୍ଟ ଅନୁମେୟ ମୋବାଇଲ ମଣିଷ ମନରୁ ଧୀରେ ଧୀରେ ସମ୍ବେଦନଶୀଳତା ହ୍ରାସ କରେଇବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ରାତାରାତି ନାମ ଓ ପ୍ରସିଦ୍ଧି ଲାଭ କରିବା ପାଇଁ ମୋବାଇଲ ଏକ ଅତି ଉତ୍କୃଷ୍ଟ ମାଧ୍ୟମ ପାଲଟିଯାଇଛି। ଯେକୌଣସି ସମ୍ବେଦନଶୀଳ ଘଟଣାକୁ ଲୋକେ ଭିଡ଼ିଓ କରି ଦ୍ଭାଇରାଲ କରୁଛନ୍ତି। ଯାହାଫଳରେ କୌଣସି ଅତି ସାମାନ୍ୟ ଘଟଣା ମୋବାଇଲ ପାଇଁ ଦଙ୍ଗାର ରୂପ ନେଉଛି।
ଏବେ ସମାଜକୁ ଛାଡ଼ି ଆମ ଘର ପରିବାରକୁ ଆସିବା। ପ୍ରତି ଘରେ ଏବେ ସ୍ମାର୍ଟ ଫୋନ୍ ମାନିଆ। ଘରର ସଦସ୍ୟ ସଂଖ୍ୟା ଯେତେ ମୋବାଇଲ ସଂଖ୍ୟା ସେତେ। । ଆଜିକାଲି ଘରର ସଦସ୍ୟମାନେ କେହି କାହା ସହ ବସି କଥାବାର୍ତ୍ତା, ଦୁଃଖସୁଖ ହେବା ଦେଖାଯାଉନି। ସମସ୍ତେ ନିଜନିଜ ମୋବାଇଲରେ ବ୍ୟସ୍ତ। ଯେଉଁ ଦିନଠାରୁ ଲୋକମାନେ ସ୍ମାର୍ଟଫୋନ୍ ସହ ବନ୍ଧୁତା ବାନ୍ଧିଲେଣି ସେଦିନ ଠାରୁ ସେମାନେ ନିଜ ଆତ୍ମୀୟଙ୍କ ଠାରୁ ଦୂରେଇ ଗଲେଣି। ଗୋଟିଏ ଘରେ ଗୋଟିଏ ଛାତତଳେ ବସି ମଧ୍ୟ ସଭିଏଁ ସଭିଙ୍କଠାରୁ କୋଶେ ଦୂରରେ ଥିବାଭଳି ମନେ ହେଉଛନ୍ତି। କହିବାକୁ ଗଲେ ବେଶୀ ଅବହେଳିତ ହେଇ ପଡ଼ିଛନ୍ତି ଘରର ବୟସ୍କ ସଦସ୍ୟମାନେ। ବୟସ୍କମାନେ ଏକ ପ୍ରକାର ନିଃସଂଗ ଜୀବନ ଯାପନ କରୁଛନ୍ତି। ଏମାନଙ୍କ ସହ ଟିକିଏ ସମୟ କାଟିବାକୁ କାହା ପାଖରେ ସମୟ ନାହିଁ। ସମସ୍ତେ ମୋବାଇଲରେ ବ୍ୟସ୍ତ । ମୋବାଇଲ ବିନା ଯେପରି ଜୀବନର କିଛି ମାନେ ନାହିଁ। ଖାଇବା ବେଳେ ମୋବାଇଲ। ଟଏଲେଟ୍ ଗଲେ ବି ମୋବାଇଲ। ଶୋଇବାବେଳେ ବି ମୋବାଇଲ। ମୋବାଇଲ ଆମର ନିତିଦିନିଆ ଜୀବନ ଚର୍ଯ୍ୟାର ଏକ ମୁଖ୍ୟ ସାଧନ ପାଲଟି ଯାଇଛି।
ଶିକ୍ଷାର୍ଥୀମାନେ ମୋବାଇଲରୁ ପାଠ ପଢ଼ିବା ବଦଳରେ ଫ୍ରି ଫାଇର, ପବଜି ଭଳି ଗେମ୍ ଖେଳିବାରେ, ଫିଲ୍ମ ରିଲ୍ ଆଦି ଦେଖିବାରେ ବ୍ୟସ୍ତ ରହୁଛନ୍ତି। ଏହାଦ୍ବାରା ସେମାନେ ବୁଝି ପାରୁ ନାହାନ୍ତି ଯେ ସେମାନଙ୍କ ଭବିଷ୍ୟତକୁ ସେମାନେ ଅନ୍ଧକାର କୂପ ମଧ୍ୟକୁ ଠେଲି ଦେଉଛନ୍ତି ବୋଲି। କେବଳ ଗେମ୍ ଖେଳିବା ନୁହଁ; ଗେମ୍ ଖେଳି ଅଭିଭାବକମାନଙ୍କ ଆକାଉଣ୍ଟକୁ ଖାଲି କରିଦେବା ଏବଂ ଏଥି ନିମନ୍ତେ ପାଟି ତୁଣ୍ଡ ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାର ଅନେକ ନଜିର ରହିଛି।
କେବଳ ବଡ଼ ମାନେ ନୁହନ୍ତି, କୁନି କୁନି ଛୁଆମନେ ମଧ୍ୟ ମୋବାଇଲ ପାଇଁ ପାଗଳ। ଆଜିକାଲି ଅଧିକାଂଶ ଘରେ ଦେଖା ଯାଇଛି, ଛୁଆମାନେ ଖାଇବା ପାଇଁ ବିରକ୍ତ କରିବା ବେଳେ ମାଆମାନେ ମୋବାଇଲରେ କାର୍ଟୁନ୍,ଗୀତ ସବୁ ଲଗେଇ ଦେଲେ ଛୁଆମନେ ସୁନା ପିଲାଟି ଭଳି ଖାଦ୍ୟ ଖାଇ ଦେଉଛନ୍ତି। ରାତିରେ ଶୋଇବାବେଳେ ବି ମାଆମାନଙ୍କୁ ଗୀତ ଗପ କହିବାକୁ ପଡୁନି, କୋଳରେ ଧରି ଜହ୍ନ ମାମୁ ଦେଖେଇବାକୁ ପଡୁନି କିମ୍ବା କୋଳରେ ଝୁଲାଇ ଗୀତ ଗାଇ ଶୁଆଇବାକୁ ପଡୁନି। ମୋବାଇଲ ଧରେଇଦେଲେ ପିଲାଟି ଗୀତ ଶୁଣିଶୁଣି ଆରାମରେ ଶୋଇ ପଡ଼ୁଚି। ସ୍ମାର୍ଟ ଫୋନ୍ ମାଆମାନଙ୍କ କାମକୁ ଅତି ସହଜ କରି ଦେଇଚି। କିନ୍ତୁ ମାଆମାନେ ଭୁଲି ଯାଉଛନ୍ତି ଯେ ଅଧିକ ସମୟ ମୋବାଇଲ ଦେଖିବା ଦ୍ବାରା ଛୁଆମାନେ ବିଭିନ୍ନ ଶାରୀରିକ ସମସ୍ୟା, ମାନସିକ ଅବସାଦ ଭୋଗିବାରେ ଲାଗିଛନ୍ତି।
ସ୍ମାର୍ଟଫୋନ୍ ଯୋଗୁଁ ପାରିବାରିକ ହିଂସା ବଢ଼ିବାରେ ତଥା ନିଦ୍ରା ହୀନତା, ଦୃଷ୍ଟି ଦୋଷ, କର୍ଣ୍ଣ ସମ୍ବନ୍ଧୀୟ ସମସ୍ୟା, ଚିଡିଚିଡାପଣ, ଅସ୍ଥିରତା, ମାନସିକ ଅବସାଦ ଆଦି ବଢ଼ିବାରେ ଲାଗିଚି। ଅପର ପକ୍ଷେ ମଣିଷ ହୃଦୟରୁ ମଣିଷ ମାନଙ୍କ ପ୍ରତି ସମ୍ବେଦନଶୀଳତା, ଆବେଗହୀନତା, ମାନବିକତା, ବୌଦ୍ଧିକ କ୍ଷମତା ଆଦି ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଏଣୁ ବେଳ ଥାଉଥାଉ ସଭିଏଁ ସଚେତନ ହୋଇଯିବା ଉଚିତ୍। ନଚେତ୍ ନେଡି ଗୁଡ଼ କହୁଣିକୁ ବୋହିଯିବ। ଆବଶ୍ୟକତା ଠାରୁ ଅଧିକ ମୋବାଇଲକୁ ବ୍ୟବହାର ନକରି ଆମେ ତା’ର ଉଚିତ୍ ବ୍ୟବହାର କରିବା ଆବଶ୍ୟକ। ମୋବାଇଲଠାରୁ ଆମେ ଆମ ସଂପର୍କକୁ ବେଶୀ ଗୁରୁତ୍ବ ଦେବା। ପିଲାଙ୍କ କ୍ଷେତ୍ରରେ ତାଙ୍କର ବୌଦ୍ଧିକ ବିକାଶ ନିମନ୍ତେ ଆମେ ମୋବାଇଲ ବଦଳରେ ନିଜର ବ୍ୟକ୍ତିଗତ ସଂପୃକ୍ତିକୁ ବେଶୀ ପ୍ରାଧାନ୍ୟ ଦେବା। ଅତ୍ୟଧିକ ମୋବାଇଲ ବ୍ୟବହାରର କୁ-ପରିଣାମ ସହ ନିଜେ ଅବଗତ ହେବା ଓ ଅନ୍ୟକୁ ଅବଗତ କରେଇବା। ଏହା ବ୍ୟତୀତ ସପ୍ତାହକୁ ଅବା ଦିନକୁ କିଛି ଘଣ୍ଟା ମୋବାଇଲ ଠାରୁ ଦୂରେଇ ରହିବା। ମାନେ ଡିଜିଟାଲ ଫାଷ୍ଟିଂ କରିବା। ମୋବାଇଲ ଭଳି ଯନ୍ତ୍ରଟିଏ ମାନବକୁ ନିଜ ଅକ୍ତିଆରରେ ରଖିବା ପୂର୍ବରୁ ମଣିଷ ନିଜ ହାତତିଆରି ଯନ୍ତ୍ର ଉପରେ ନିୟନ୍ତ୍ରଣ ରଖିବା ଦ୍ବାରା ସଭିଙ୍କର ମଙ୍ଗଳ ହେବ।

ସୁନିତା ପ୍ରଧାନ
ଲକ୍ଷ୍ମୀପୁର, କୋରାପୁଟ
ଦୂରଭାଷ:୭୭୪୯୮୫୦୫୭୫

Comments are closed.