ନୂଆଦିଲ୍ଲୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ର ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଲାର ‘ଆଜାଦୀ କେ ଦିୱାନେ’ ସଂଗ୍ରହାଳୟରେ ପ୍ରାୟ ଦୁଇ ଦଶନ୍ଧି ପରେ ପୁନଃ ସ୍ଥାପିତ କରା ଯାଇଛି ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏହି ଫଟୋଚିତ୍ରକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣର ମହାନିର୍ଦେଶକ ପ୍ରଫେସର କିଶୋର କୁମାର ବାସା ସ୍ୱାଧୀନତା ସଂଗ୍ରାମୀଙ୍କ ଗ୍ୟାଲେରୀରେ ସ୍ଥାପିତ କରିଛନ୍ତି। ଓଡ଼ିଶାର ଏହି ବରପୁତ୍ରଙ୍କ ଫଟୋଚିତ୍ରଟି ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ଯଥା -ଜବାହରଲାଲ ନେହେରୁ, ମଦନ ମୋହନ ମାଲବିୟ , ମୋତିଲାଲ ନେହେରୁ ଏବଂ ସରୋଜିନୀ ନାଇଡୁଙ୍କ ସହିତ ସ୍ଥାନପାଇଛି। ପଣ୍ଡିତ ଗୋପବନ୍ଧୁଙ୍କ ଏହି ଫଟୋଚିତ୍ରଟି ବାଲେଶ୍ବର ଆର୍ଟ ଏବଂ କ୍ରାଫଟ ମହାବିଦ୍ୟାଳର ପୁରାତନ ବିଭିଏ ଛାତ୍ର ମନୋଜ କୁମାର ରାଉଳଙ୍କ ଦ୍ବାରା ଅଙ୍କାଯାଇଛି।
ଏହି କାର୍ୟ୍ୟକ୍ରମଟି ବାଣୀବିହାର ପୁରାତନ ଛାତ୍ର ସଂଘ (ଭୋସ ୯୨)ର ପ୍ରଚେଷ୍ଟାରେ ସଫଳ ହୋଇ ପାରିଛି ଓ ଏହି ଅବସରରେ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣର ଦିଲ୍ଲୀ ଅଧିକାରୀ ପ୍ରବୀଣ ସିଂ, ଓଡିଶା ପରିମଣ୍ଡଳ ଅଧିକାରୀ ସୁଶାନ୍ତ କୁମାର କର, ଭୋସ ୯୨ର ସଂସ୍ଥାପକ ସଦସ୍ୟ ତଥା ପ୍ରାକ୍ତନ ସମ୍ପାଦକ ଗଦାଧର ରଥ, ଭୋସ ଦିଲ୍ଲୀ ଶାଖାର ମୁଖ୍ୟ ସଂଯୋଜକ ବିଶ୍ୱ ଭୂଷଣ ସୁଆର ଏବଂ ବରିଷ୍ଠ ସାମ୍ବାଦିକ ବିଭୁଦତ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଭୋସ ୯୨ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ଉଦ୍ୟାନରେ ପଣ୍ଡିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ୨୦୧୭ମସିହାରେ ସ୍ଥାପିତ କରାଯାଇଥିଲା।



